ସାଙ୍ଗ ହୋଇ ଆସିଥିଲେ, ସାଙ୍ଗ ହୋଇ ଚାଲିଗଲେ… କରୋନାରେ ଆଖିବୁଜିଲେ ଦୁଇ ଯାଆଁଳା ଭାଇ । ଜନ୍ମଦିନ ପାଳିବାର ଦିନ କେଇଟା ପରେ ଭୂତାଣୁ ଲିଭେଇଦେଲା ଦୁଇଭାଇଙ୍କ ଜୀବନ ଦୀପ…

256

କନକ ବ୍ୟୁରୋ : ସାଙ୍ଗରେ ଆସିଥିଲେ, ସାଙ୍ଗ ହୋଇ ଚାଲିଗଲେ । ଭାଇରସ ନେଇଗଲା ଦୁଇ ଭାଇଙ୍କ ଜୀବନ । ସାଙ୍ଗରେ ଜନ୍ମ ହୋଇଥିଲେ, ଆଉ ସାଙ୍ଗ ହୋଇ ଆରପାରିକୁ ଚାଲିଗଲେ । ଦୁଇ ଜାଆଁଳା ଭାଇଙ୍କ ଜୀବନ ନେଇଗଲା ଭୂତାଣୁ । କରୋନା କଷ୍ଟର ଆଉ ଏକ କାହାଣୀ ଆସିଛି ଉତରପ୍ରଦେଶର ମେରଠରୁ । ଯେଉଁଠି କରୋନାରେ ସଂକ୍ରମିତ ହୋଇ ଦୁଇ ଜାଆଁଳା ଭାଇଙ୍କର ଜୀବନ ଚାଲିଯାଇଛି । ଦୁଇ ପୁଅଙ୍କୁ ଏଳାବେଳେ ହରାଇ ବାପା ମା’ଙ୍କ ଆଖିରୁ ଲୁହ ଶୁଖୁନି ।

ମେରଠ ନିବାସୀ ରେମଣ୍ଡ ରାଫେଲ ଗ୍ରେଗରୀଙ୍କର ଦୁଇ ଜଣ ପୁଅ ଇଞ୍ଜିନିୟର ଥିଲେ । ଦୁଇ ପୁଅଙ୍କର ନାଁ ହେଉଛି ଜୋଫ୍ରେଡ ବର୍ଗୀଜ ଗ୍ରେଗରୀ ଏବଂ ରାଲଫ୍ରେଡ୍ ଜର୍ଜ ଗ୍ରେଗରୀ । ଗତମାସ ଅର୍ଥାତ ଏପ୍ରିଲ ୨୩ ତାରିଖରେ ଦୁଇଭାଇ ଏକାଠି ନିଜର ୨୪ତମ ଜନ୍ମଦିନ ପାଳନ କରିଥିଲେ । ହେଲେ କିଏ ଜାଣିଥିଲା ହସଖୁସି ଭରି ରହିଥିବା ଘରେ ହଠାତ ତାଣ୍ଡବ ରଚିବ ମୃତ୍ୟୁ ।

ଜନ୍ମଦିନ ପାଳନ କରିବାର ଠିକ୍ ଦିନକ ପରେ ଅର୍ଥାତ ଏପ୍ରିଲ ୨୪ ତାରିଖରେ ଦୁଇଭାଇ କରୋନାରେ ସଂକ୍ରମିତ ହୋଇଥିଲେ । ଏବଂ ମେ ୧୩ ତାରିଖ ଏବଂ ୧୪ ତାରିଖରେ ଆଗପଛ ହୋଇ ପରପାରିକୁ ଚାଲିଗଲେ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କରୋନାରେ ସଂକ୍ରମିତ ହେବା ପରେ ମେ ୧୦ ତାରିଖରେ ଦୁଇ ଭାଇ କରୋନା ନେଗେଟିଭ୍ ମଧ୍ୟ ହୋଇଥିଲେ ଅର୍ଥାତ କରୋନାରୁ ମୁକ୍ତ ହୋଇଥିଲେ । କିନ୍ତୁ ପୁଣି ପରଦିନ ହଠାତ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଯାଇଥିଲା । ଆଉ ଜୀବନ ମୃତ୍ୟୁର ଲଢେଇ ଭିତରେ ଶେଷରେ ଆଖିବୁଜିଦେଲେ ଦୁଇ ଭାଇ ।

ଦୁଇଜଣ ଭାଇ ଦକ୍ଷ କମ୍ପ୍ୟୁଟର ଇଞ୍ଜିନିୟର ଥିଲେ । ଏବଂ ଭଲ କମ୍ପାନୀରେ ମଧ୍ୟ ଚାକିରି କରିଥିଲେ । ଦୁଇ ଭାଇଙ୍କ ଜନ୍ମ ଭିତରେ ମାତ୍ର ୩ ମିନିଟର ଅନ୍ତର ରହିଥିଲା । ଏକାଠି ଜନ୍ମ ହୋଇଥିବା ଦୁଇ ଭାଇ ପରସ୍ପରକୁ ବହୁତ ଭଲ ପାଉଥିଲେ । ଆଉ ସେଇଥିପାଇଁ ବୋଧେ ଏକାଠି ମଧ୍ୟ ପରପାରିକୁ ଚାଲିଯାଇଛନ୍ତି ।

କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଅନେକ ପରିବାର ଆଖିରେ ଲୁହ ଆଣିଦେଇଛି । ଭାଇରସ ଅଧିକ ଭୟଙ୍କର ହେଉଥିବା ବେଳେ, ମୃତ୍ୟୁ ସଂଖ୍ୟା ବଢିବା ବର୍ତମାନ ସମୟରେ ଚିନ୍ତାର କାରଣ ପାଲଟିଛି । ଆଉ ଏଥିପାଇଁ ଆମକୁ ଅଧିକ ସତର୍କ ହେବାକୁ ପଡିବ । ଯଦି ଆପଣଙ୍କ ପାଖରେ କିଛି ବି ଲକ୍ଷଣ ପ୍ରକାଶ ପାଉଛି, ଏହାକୁ ଅଣଦେଖା କରନ୍ତୁ ନାହିଁ, ସଙ୍ଗେ ସଙ୍ଗେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ଏବଂ କରୋନା ପରୀକ୍ଷା ମଧ୍ୟ କରାଇନିଅନ୍ତୁ । ଘରୁ ବାହାରକୁ ବାହାରିଲେ ମୁହଁରେ ମାସ୍କ ପିନ୍ଧିବା ସହ ଗହଳି ସ୍ଥାନରୁ ନିଜକୁ ଦୂରେଇ ରଖନ୍ତୁ । ସମସ୍ତେ ସଚେତନ ହେଲେ, ଆମେ କରୋନାକୁ ହରାଇପାରିବା । ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିୟମକୁ ସଠିକ୍ ଭାବେ ପାଳନ କରନ୍ତୁ ।