କନକ ବ୍ୟୁରୋ: ଏ ଲୁହ ଜଣେ ସେହ୍ନମୟୀ ମା’ର । ଏ କୋହ ତା’ କୋଳର ସାହାରାରେ ଦୁନିଆ ଦେଖୁଥିବା ଦୁଇ ଜାଆଁଳା ଛୁଆର । କାରଣ ଦୁନିଆ କଣ ଜାଣିବା ଆଗରୁ ଚକ୍ଷୁ କର୍କଟ ରୋଗରେ ପୀଡ଼ିତ ହୋଇଛନ୍ତି ଜନ୍ମକଲା ଦୁଇ ନବଜତ ଶିଶୁପୁତ୍ର । ଯମଜ ପିଲାଙ୍କ ଜୀବନ ବଞ୍ଚାଇବାକୁ କୋଳରେ ଧରି ଲୁହ ଗଡାଉଛି ଜନ୍ମକଲା ମା । ତେବେ ଦୁଇଜଣ ଯମଜ ହୋଇଥିବା ବେଳେ ଦୁଇ ଜଣଙ୍କ ଆଖିରେ ଏହି ରୋଗର ଲକ୍ଷଣ ଦେଖାଦେଇଛି । ଯାହା ପରିବାର ଉପରେ ଢ଼ାଙ୍କିଦେଇଛି ଦୁଃଖର କଳାବାଦଲ ।
ଗଞ୍ଜାମ ବେଗୁନିଆପଡା କେ. ବରିଡା ଗ୍ରାମର ଜିତେନ୍ଦ୍ର ବେହେରା । ଦୁଇ ଝିଅ ପରେ ଜନ୍ମ ହୋଇଥିଲେ ଦୁଇଟି ଜାଆଁଳା ଶିଶୁପୁତ୍ର । ଯମଜ ଶିଶୁପୁତ୍ର ଜନ୍ମ ହେବା ପରେ ପରିବାରରେ ଖୁସିର ଲହରି ଖେଳି ଯାଇଥିଲା କିନ୍ତୁ ଜାଣି ନଥିଲେ ବିଧାତା ତାଙ୍କ କପାଳରେ କର୍କଟ ରୋଗର କଷ୍ଟ ଲେଖିଛି । ଶିଶୁପୁତ୍ର ଶିବାଂଶୁ ଓ ଦେବାଂଶୁ ଦୁଇଜଣଙ୍କୁ ୮ ମାସ ହେବା ପରେ ଚକ୍ଷୁ କର୍କଟ ହୋଇଥିବା ଜାଣିବାକୁ ପାଇଲେ ।
ପ୍ରଥମେ ଦେବାଂଶୁର ଗୋଟିଏ ଆଖି ଧଳା ହୋଇଗଲା । ଏହା ଦେଖି ପରିବାର ଲୋକ ସ୍ତାନୀୟ ମେଡିକାଲରେ ଦେଖାଇଥିବା ବେଳେ ପରବର୍ତ୍ତୀ ମୁହୁର୍ତ୍ତରେ ବ୍ରହ୍ମପୁର ଏଲ ବି ପ୍ରସାଦ ମେଡିକାଲରେ ଦେଖାଇଥିଲେ । ଜାଣିବାକୁ ପାଇଥିଲେ ଦୁଇ ଶିଶୁଙ୍କୁ ରେଟିନା ବ୍ଲାଷ୍ଟୋମା ବା ଚକ୍ଷୁ କର୍କଟ ହୋଇଛି । ଜଣଙ୍କ ଆଖି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ସେହି ଆଖିକୁ ବାହର କରିବା ସହ ଦୁଇ ଜଣଙ୍କ ଚିକତ୍ସା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକ ରହିଛି । ଅର୍ଥଅଭାବରୁ ଦୁହିଁଙ୍କ ଚିକତ୍ସା ଠିକସେ ହୋଇପାରୁନି ବୋଲି କହିଛନ୍ତି ବାପା ଜିତେନ୍ଦ୍ର ।
ଏପଟେ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ଜିତେନ୍ଦ୍ରଙ୍କ ନାମ ଥିବା ବେଳେ ସେଥିରେ ଦୁଇ ପୁଅଙ୍କ ନାମ ନଥିବାରୁ ସେମାନଙ୍କ କିଚିତ୍ସା ହୋଇପାରୁନି । ଜିତେନ୍ଦ୍ର ବେହେରା ଜଣେ ଅଟୋ ଡ୍ରାଇଭର ହୋଇଥିବା ବେଳେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରନ୍ତି । ପିଲାଙ୍କୁ କେମୋ ଦେବା ପାଇଁ ଡାକ୍ତର କହିଥିବା ବେଳେ କେମୋ ଓ ମେଡିସିନି ପାଇଁ ଟଙ୍କାର ଆବଶ୍ୟକ ରହିଛି । ତେବେ ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି ଅବା ସ୍ୱେଚ୍ଛାସେବୀ ସଂଗଠନ ସାହାଯ୍ୟ କଲେ ଦୁଇ ନିଷ୍ପାପ ଶିଶୁ ଭବିଷ୍ୟତ ଦେଖିପାରନ୍ତେ ବୋଲି ଆକୁଳ ନିବେଦନ କରିଛନ୍ତି ପରିବାର ଲୋକ ।
ଆପଣ ସାହାଯ୍ୟ କରିବାକୁ ଚାହୁଁଥିଲେ
ନାଁ- ଜିତେନ୍ଦ୍ର ବେହରା
A/C No – 39655931797
IFSC –SBIN0061664
PHONE Pay NO – 7012425431