କନକ ବ୍ୟୁରୋ: ଆଫଗାନିସ୍ତାନ ରାଜଧାନୀ କାବୁଲରେ ଗତକାଲି ଦୁଇ ଦୁଇଟି ଆତ୍ମଘାତୀ ବିସ୍ଫୋରଣରେ ୪୦ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୫୦ ଜଣ ଆହତ ହୋଇଛନ୍ତି । ମୃତମାନଙ୍କ ମଧ୍ୟରେ ୧୦ ଜଣ ସାମ୍ବାଦିକ ଥିବା ଜଣାପଡ଼ିଛି । ଦୁର୍ଦାନ୍ତ ଆତଙ୍କବାଦୀ ସଂଗଠନ ଆଇଏସଏ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ସେହିଭଳି ଆଉ ଏକ ବିସ୍ଫୋରଣରେ ୧୧ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି । ରାଜଧାନୀ କାବୁଲ ଶାସ ଦରକ ଅଞ୍ଚଳରେ ସଂଘଟିତ ଏହି ଦୁଇଟି ବିସ୍ଫୋରଣ ଗତକାଲି ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଆଫଗାନିସ୍ତାନର ମୁଖ୍ୟ ଗୁଇନ୍ଦା ସଂସ୍ଥା ଏନ୍ଡିଏସ (ନ୍ୟାସନାଲ ଡାଇରେକ୍ଟୋରେଟ୍ ଅଫ୍ ସିକ୍ୟୁରିଟି) କାର୍ଯ୍ୟାଳୟ ନିକଟରେ ଦୁଇଟି ଯାକ ବିସ୍ଫୋରଣ ଘଟିଛି। ପ୍ରଥମ ବିସ୍ଫୋରଣ ଘଟିବାର ୨୦ ମିନିଟ୍ ପରେ ଦ୍ୱିତୀୟ ବିସ୍ଫୋରଣ ଘଟି ରାଜଧାନୀ କାବୁଲକୁ ଥରାଇ ଦେଇଛି ।
ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରୀୟ ଶାସ୍ ଦରକ ଅଞ୍ଚଳରେ ନାଟୋ ମୁଖ୍ୟାଳୟ ଏବଂ ଆମେରିକା ଦୂତାବାସ, ଆଫଗାନ୍ ଗୁଇନ୍ଦା ସଂସ୍ଥା ସହ ବିଭିନ୍ନ ସରକାରୀ ଅଫିସ୍ ରହିଛି । ଏହି ଅଞ୍ଚଳରେ ଗତକାଲି ସଳାଳ ୮ଟା ସମୟରେ ଜଣେ ଆତଙ୍କବାଦୀ ପ୍ରଥମେ ବାଇକରେ ଆସି ବିସ୍ଫୋରଣ ଘଟାଇଥିଲା। ଉକ୍ତ ଆତଙ୍କବାଦୀ ଜଣକ ନିଜକୁ ମଧ୍ୟ ବିସ୍ଫୋରଣରେ ଉଡ଼ାଇ ଦେଇଥିବା ଜଣାପଡ଼ିଛି । ତେବେ ପ୍ରଥମ ବିସ୍ଫୋରଣ ଘଟିବାର ୨୦ ମିନିଟ୍ ମଧ୍ୟରେ ପୁଣି ଅନ୍ୟ ଏକ ବିସ୍ଫୋରଣ ଘଟିଥିଲା। ଦ୍ୱିତୀୟ ବସ୍ଫୋରଣ ସାମ୍ବାଦିକମାନଙ୍କୁ ଟାର୍ଗେଟ କରାଯାଇ ହୋଇଥିଲା। ପ୍ରଥମ ବିସ୍ଫୋରଣର ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନଙ୍କ ଗହଣରେ ହଠାତ୍ ଜଣେ ବ୍ୟକ୍ତି ଆସି ନିଜକୁ ସାମ୍ବାଦିକ ଦର୍ଶଇ କ୍ୟାମେରା ଧରି ଠିଆ ହୋଇଥିଲା। ଏହି ସମୟରେ ସେ ବିସ୍ଫୋରଣ ଘଟାଇବା ଦ୍ୱାରା ୧୦ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଯାଇଛି । ଆଫଗାନ୍ ସାମ୍ବାଦିକ ସୁରକ୍ଷା କମିଟି ପକ୍ଷରୁ ଜଣାଯାଇଛି ଯେ ପ୍ରଥମ ବିସ୍ଫୋରଣର ଖବର ସଂଗ୍ରହ କରିବାକୁ ଯାଇଥିବା ୧୦ ଜଣ ସାମ୍ବାଦିକ ଦ୍ୱିତୀୟ ବିସ୍ଫୋଣରେ ପ୍ରାଣ ହରାଇଛନ୍ତି। ମୃତ ସାମ୍ବାଦିକମାନଙ୍କ ମଧ୍ୟରେ ଏଏଫପି ନ୍ୟୁଜ୍ ଏଜେନ୍ସିର ଜଣେ ମୁଖ୍ୟ ଫଟୋଗ୍ରାଫର ଶାହ ମରାଇଙ୍କର ମୃତ୍ୟୁ ହୋଇଯାଇଛି। ଆହତ ୫୦ ଜଣଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି ।
ଆଉ ଏକ ବିସ୍ଫୋରଣରେ ୧୧ ଶିଶୁ ପ୍ରାଣ ହରାଇଛନ୍ତି। ଜଣେ ଆଫଗାନ୍ ଅଧିକାରୀଙ୍କ କହିବା ଅନୁଯାୟୀ ଉତ୍ତର କାନ୍ଦାହାର ପ୍ରଦେଶରେ ନାଟୋ ଗାଡ଼ି ଉପରକୁ ହୋଇଥିବା ଏହି ଆକ୍ରମଣରେ ୧୧ ଶିଶୁ ବଳି ପଡ଼ିଯାଇଛନ୍ତି। ସୂଚନାନୁଯାୟୀ ଏକ ଧାର୍ମିକ ସ୍କୁଲ୍ ନିକଟରେ ଏହି ବିସ୍ଫୋରଣ ଘଟିଥିବାବେଳେ ସ୍କୁଲ୍ ପରିସରରେ ଥିବା ୧୧ ଜଣ ଶିଶୁ ପ୍ରାଣ ହରାଇଛନ୍ତି। ଏହାବାଦ୍ ୫ ଜଣ ନାଟୋ ସୈନିକ, ୯ ସାଧାରଣ ଜନତା ଏବଂ ୨ ଜଣ ପୁଲିସ କର୍ମୀଙ୍କ ସମେତ ସମୁଦାୟ ୧୬ ଜଣ ବିସ୍ଫୋରଣରେ ଆହତ ହୋଇଛନ୍ତି।