ଅକ୍ଟୋବର ମାସର କୋଭିଡ ଗାଇଡଲାଇନ: ସହରାଞ୍ଚଳରେ ଜାରି ରହିବ ନାଇଟକର୍ଫ୍ୟୁ

ଅକ୍ଟୋବର ୧୧ରୁ ୨୦ ଯାଏଁ କଟକ ଭୁବନେଶ୍ୱରରେ ରାତି ୮ଟାରୁ ସକାଳ ୫ ଯାଏ ନାଇଟ୍ କର୍ଫ୍ୟୁ; ପାର୍ବଣରେ ବାଣ ବିକ୍ରି ଓ ଫୁଟାଇବା ଉପରେ ବି ଲାଗିଲା ରୋକ୍

260

କନକ ବ୍ୟୁରୋ : ଅକ୍ଟୋବର ମାସର କୋଭିଡ ଗାଇଡଲାଇନ । ପାର୍ବଣ ଋତୁରେ କୋଭିଡ ଗାଇଡଲାଇନକୁ କଡାକାଡି ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ପାର୍ବଣକୁ ଦୃଷ୍ଟିରେ ରଖି ଅକ୍ଟୋବରରେ ସହରାଞ୍ଚଳ ପାଇଁ ନାଇଟ କର୍ଫ୍ୟୁ କଟକଣାରେ କିଛି ପରିବର୍ତନ କରାଯାଇଛି । ଅକ୍ଟୋବରରେ ସହରାଞ୍ଚଳରେ ରାତି ୧୦ରୁ ସକଳା ୫ ଯାଏ ନାଇଟ କର୍ଫ୍ୟୁ ଜାରି ରହିବ ।

ତେବେ ଦୁର୍ଗାପୂଜା ସମୟରେ ଅର୍ଥାତ ଅକ୍ଟୋବର ୧୧ ତାରିଖରୁ ୨୦ ଯାଏଁ କଟକ-ଭୁବନେଶ୍ୱରରେ ନାଇଟ କର୍ଫ୍ୟର ସମୟକୁ ବଢାଯାଇଛି । ଏହି ୧୦ ଦିନ ଅବଧିରେ ନାଇଟ କର୍ଫ୍ୟୁ ରାତି ୮ଟାରୁ ଆରମ୍ଭ ହୋଇ ସକାଳ ୫ଟା ଯାଏଁ ରହିବ । ତେବେ ଅଗଷ୍ଟ ୯ରେ ଜାରି ହୋଇଥିବା ପାର୍ବଣ ଗାଇଡଲାଇନ ଅନୁସାରେ ପୂଜା ହେବ । ସାଧାରଣରେ ଏକାଠି ନ ହେବା, ପରିବାର ଭିତରେ ରହି ପାର୍ବଣ ପାଳନ କରିବାକୁ ସରକାର ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ପାର୍ବଣ ସମୟରେ କୌଣସି ବଡ ସମାବେଶ ହେବ ନାହିଁ । ନିରାଡମ୍ବର ଭାବେ ପୂଜା କରିବେ । ତେବେ ପରିସ୍ଥିତିକୁ ଦେଖି କଟକ, ଭୁବନେଶ୍ୱରରେ ସ୍ଥାନୀୟ ପ୍ରଶାସନ କଟକଣା ନେଇ ଅଧିକ ନିଷ୍ପତ୍ତି ନେଇପାରିବେ । ତେବେ ଅନ୍ୟ ସବୁ କ୍ଷେତ୍ର ପାଇଁ ସେପେଟମ୍ବର ମାସ ଗାଇଡଲାଇନ ଯାହା ଥିଲା , ତାହା ବଳବତ୍ତର ରହିବ ।

ପାର୍ବଣରେ କଟକ ଓ ଭୁବନେଶ୍ବରରେ ଅଧିକ ଜନଗହଳି ହେବାକୁ ଥିବାରୁ କୋଭିଡ କଟକଣା କଡ଼ାକଡ଼ି ପାଳନ କରିବା କଷ୍ଟଦାୟକ ହେବ । ସତର୍କତା ଅବଲମ୍ବନ ନକଲେ ପରିସ୍ଥିତି ଗମ୍ଭୀର ହୋଇପାରେ । ଏହାକୁ ନଜରରେ ରଖି ଦୁଇ ସହରରେ ନାଇଟ୍‌ କର୍ଫ୍ୟୁ ସମୟ ବଢ଼ାଯାଇଛି ବୋଲି ଏସ୍‌ଆର୍‌ସି କହିଛନ୍ତି । ସେହିପରି ସେପ୍ଟେମ୍ବର ମାସରେ ଯାହା ସବୁ ଅନଲକ୍ ହୋଇଥିଲା ତାହାକୁ ଅକ୍ଟୋବର ମାସରେ ବଳବତ୍ତର ରଖାଯାଇଛି। ଯେଉଁମାନେ କୋଭିଡ କଟକଣା ଉଲ୍ଲଂଘନ କରିବେ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି ।