ହାଇକୋର୍ଟରେ ଟ୍ୱିନ୍ ସିଟି ଗଣେଶ ପୂଜା ମାମଲା: ଜନସ୍ୱାର୍ଥ ମାମଲା ରୁଜୁ କଲେ ଆଇନଜୀବୀ ବିଭୁତ ଭୂଷଣ ଚୌଧୁରୀ; କରୋନା କଟକଣା ଭିତରେ ପୂଜା ପାଳନ ପାଇଁ ଅନୁମତି ଦେବାକୁ ଆବେଦନ

ସଂକ୍ରମଣ ଏଡାଇବା ଉଦେଶ୍ୟରେ ଟ୍ୱିନସିଟି ସମେତ ଅନ୍ୟ କିଛି ଜିଲ୍ଲାରେ ପୂଜା ବନ୍ଦ ପାଇଁ ହୋଇଛି ଘୋଷଣା

456

କନକ ବ୍ୟୁରୋ: ହାଇକୋର୍ଟରେ ପହଂଚିଛି ଟ୍ୱିନ୍ ସିଟି ଗଣେଶ ପୂଜା ମାମଲା । କଟକ ଓ ଭୁବନେଶ୍ୱରରେ ଗଣେଶ ପୂଜା କରାଇବା ପାଇଁ ଉଦେଶ୍ୟରେ ଉଚ୍ଚ ନ୍ୟାୟଳୟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି ଆଇନଜୀବୀ ବିଭୁତ ଭୂଷଣ ଚୌଧୁରୀ । ଆବେଦନକାରୀଙ୍କ ମତରେ ପୂଜା ପାର୍ବଣ ଓ ପରମ୍ପରା ପାଳନ ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର । ତେଣୁ କରୋନା କଟକଣା ଭିତରେ ଟ୍ୱିନସିଟିରେ ପୂଜା ପାଳନ ପାଇଁ ଅନୁମତି ପ୍ରଦାନ କରିବାକୁ କୋର୍ଟଙ୍କୁ ଆବେଦନ କରିଛନ୍ତି ଆଇନଜୀବୀ । କଟକ- ଭୁବନେଶ୍ୱରରେ ଗଣେଶ ପୂଜା କରାଯାଉ । ଲୋକେ ସାମାଜିକ ଦୂରତା ରକ୍ଷା କରି ମୁହଁରେ ମାସ୍କ ପିନ୍ଧି, ସବୁ ପ୍ରକାର କରୋନା କଟକଣାକୁ ମାନି ପୂଜା କରିବେ । ଏଥିପାଇଁ ଆବେଦନକାରୀ ଆଇନ୍ଜୀବୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି ।

ଗଂଜାମରେ ଏବର୍ଷ ହେବନି ଗଣେଶ ପୁଜା । ଗଣେଶ ପୂଜା ପାଳନ ଉପରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ । ଏନେଇ ଟ୍ୱିଟକରି ସୂଚନା ଦେଲେ ଗଂଜାମ ଜିଲ୍ଳପାଳ ବିଜୟ ଅମୃତା କୁଲାଙ୍ଗେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସଂପୂର୍ଣ୍ଣ ଭାବେ ପୂଜା ବନ୍ଦ ରଖିବାକୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜନସାଧାରଣଙ୍କୁ ଏନେଇ ସହଯୋଗ କରିବାକୁ ନିବେଦନ କରିଛନ୍ତି । ଅତି ଜରୁରୀ କାମ ନଥିଲେ ଘରୁ ନବାହାରିବା ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସାମାଜିକ ଦୂରତାକୁ ମାନି ସଂକ୍ରମଣକୁ ବୃଦ୍ଧି ନକରିବାପାଇଁ କୁହାଯାଇଛି । ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ପଂଚସୂତ୍ରୀ ନିୟମ ପାଳନ କରିବାକୁ ନିବେଦନ କରିଛନ୍ତି ଜିଲ୍ଲାପାଳ । ଏହା ପୂର୍ବରୁ କଟକ, ଭୁବନେଶ୍ୱର, ଗଜପତି ଓ ଜଗତସିଂହପୁରରେ ଗଣେଶ ପୂଜା ପାଳନ ଉପରେ କଟକଣା ଜାରି କରାଯାଇଛି ।