ସରିଲା ଦଶହରା, ବିଦାୟ ନେଉଛନ୍ତି ମାଆ ଜଗତଜନନୀ । ଟୁଇନ ସିଟିରେ ଅସ୍ଥାୟୀ ପୋଖରୀରେ ଚାଲିଛି ମୃଣ୍ମୟୀ ମୂର୍ତି ବିସର୍ଜନ

97

କନକ ବ୍ୟୁରୋ : ଶେଷ ହୋଇଛି ଜଗତଜନୀନ ମାଆ ଦୁର୍ଗାଙ୍କ ନବଦିନାତ୍ମକ ପୂଜା । ଆଜି ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଦେବୀ ଦୁର୍ଗା । ଦୁଇ ବର୍ଷର କୋଭିଡ୍ କଟକଣା ପରେ ଏବର୍ଷ ପୁଣି ଭସାଣୀ ଉତ୍ସବ ଆୟୋଜନ ହେଉଛି । ଭୁବନେଶ୍ୱର-କଟକରେ ମାଆଙ୍କ ବିସର୍ଜନ ପାଇଁ ନଦୀରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି । ବିଭିନ୍ନ ସ୍ଥାନରୁ ଆସୁଛି ଭସାଣିର ଚିତ୍ର । ଆଶୃଙ୍ଖଳିତ ଭସାଣୀ ଶୋଭାଯାତ୍ରା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । କୁଆଖାଇ ଓ ଦୟାନଦୀ ପଠାରେ କରାଯାଇଥିବା ଅସ୍ଥାୟୀ ପୋଖରୀରେ ବିସର୍ଜନ ପାଇଁ ପୂଜା ମଣ୍ଡପ ଗୁଡିକ ପାଇଁ ସ୍ୱତନ୍ତ୍ର ରୁଟ ନିର୍ଦ୍ଦାରିତ ହୋଇଛି । ଏଥିପାଇଁ ମୁଖ୍ୟତଃ ୩ଟି ରୁଟ୍ ସ୍ଥିର ହୋଇଛି । ନୟାପଲ୍ଲୀ ଆଡୁ ଆସୁଥିବା ମେଢ ସିଆରପି ଅଣ୍ଡର ପାସ୍ ଦେଇ ଡିଏଭି ସ୍କୁଲ ଛକରେ ଡାହାଣ ପଟକୁ ଯିବେ । ଓୟୁଏଟି, ଗଙ୍ଗନଗର ଦେଇ ନ୍ୟୁ ଏୟାରପୋର୍ଟ ଛକ ପଟୁ ଶୋଭାଯାତ୍ରାରେ ଆସିବେ । ସେହିପରି ବାଣୀବିହାର ପଟୁ ଆସୁଥିବା ମେଢ ସହୀଦନଗରରେ ଏକାଠି ହେବେ । ସେଠାରୁ ରାଜମହଲ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯିବେ । ଚନ୍ଦ୍ରଶେଖର ଡିଷ୍ଟ୍ରିକ ସେଂଟରରୁ ବାହାରି ତନିଶ୍କ କଟ୍ ଦେଇ ନାଲକୋ ଛକ ପର୍ଯ୍ୟନ୍ତ ଆସିବେ । ସେଠାରୁ ବାମପଟ ଦେଇ ଚାଲିଯିବେ । ୩୦ପ୍ଲାଟୁନ ଫୋର୍ସ ଲାଗିଛନ୍ତି । ପ୍ରତି ମେଢ ଶୋଭାଯାତ୍ରାର ଆରମ୍ଭ ଓ ଶେଷରେ ଜଣେ ଲେଖାଏଁ ଅଫିସରକୁ ନିୟୋଜିତ କରାଯାଇଛି । ବ୍ୟବସ୍ଥାକୁ ଦେଖି ଅସ୍ଥାୟୀ ବ୍ଲକିଂ କରାଯିବ ।
ସେପଟେ ମାଆଙ୍କ ବିସର୍ଜନ ପାଇଁ କଟକର ଦେବୀଗଡାରେ ୩ଟି ଅସ୍ଥାୟୀ ପୋଖରୀ କରାଯାଇଛି । ବାଲି ଖୋଳି ନଦୀ ପଠାରେ ଅସ୍ଥାୟୀ ପୋଖରୀ ତିଆରି କରଯାଇଛି । ସେହି ପୋଖରୀରେ ମାଆଙ୍କ ପ୍ରତିମୂର୍ତିକୁ ବିସର୍ଜନ କରାଯିବ । କଟକର ୧୬୦ରୁ ଅଧିଳ ମେଢ଼ ବିସର୍ଜନ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଶୃଙ୍ଖଳିତ ଭସାଣ ଯାତ୍ରା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ତେବେ ଭସାଣୀ ଉତ୍ସବ ପାଇଁ କେତେକ କଟକଣା ଜାରି କରିଛି କମିଶନରେଟ୍ ପୋଲିସ । କମିଶନରେଟ ପୋଲିସର ନିର୍ଦ୍ଦେଶ ଅନୁସାରେ, ଗୋଟିଏ ମେଢ଼ ସହ ଗୋଟିଏ ବ୍ୟାଣ୍ଡପାର୍ଟି ଓ ଗୋଟିଏ ମ୍ୟୁଜିକ ପାର୍ଟି ପ୍ରୋସେସନରେ ଯାଇପାରିବ । ଅଧିକ ବ୍ୟାଣ୍ଡ ପାର୍ଟି କିମ୍ବା ମ୍ୟୁଜିକ ପାର୍ଟିକୁ ସାଂଗରେ ନେବା ପାଇଁ ଅନୁମତି ନାହିଁ । ୬୫ ଡେସିବେଲରୁ ଅଧିକ ସାଉଣ୍ଡରେ ଡିଜେ ବା ମ୍ୟୁଜିକ ବାଜି ପାରିବ ନାହିଁ । ଭସାଣି ପାଇଁ ଦିଆଯାଇଥିବା ରୁଟ୍ ଅନୁସାରେ ମେଢ଼ଗୁଡିକ ପ୍ରୋସେସନ କରିବେ । ପ୍ରୋସେସନ ସମୟରେ ଫୋକସ ଓ ଫ୍ଲାସ ଲାଇଟ୍ ବ୍ୟବହାର କରିପାରିବେ ନାହିଁ । ସର୍ବାଧିକ ୬ଟି ଟ୍ରଲି ପ୍ରସେସନରେ ନେବାକୁ ଅନୁମତି ।