କନକ ବ୍ୟୁରୋ : ଭଗବାନ ପର୍ଶୁରାମଙ୍କୁ ଅସମ୍ମାନ ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ପାଟଣାଗଡ ବନ୍ଦ । ସହରର ଦୋକାନ, ବଜାର ସ୍କୁଲ, କଲେଜ, ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି । ବିଧାୟକ ସରୋଜ ମେହେର ଭଗବାନ ପର୍ଶୁରାମଙ୍କୁ ଅସମ୍ମାନ କରିଥିବା ପ୍ରତିବାଦରେ ଆନ୍ଦୋଳନ କରାଯାଇଛି । ଗତ ୨୦୧୯ ମସିହାରେ ହିନ୍ଦୁ ସମାଜ ପକ୍ଷରୁ ହନୁମାନ ଜୟନ୍ତୀ ଦିନ ପାଟଣାଗଡ ଛକରେ ପର୍ଶୁରାମଙ୍କ ଫଟୋକୁ ପୂଜା କରାଯାଇ ସେଠାରେ ପରବର୍ତ୍ତୀ ସମୟରେ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

Advertisment

ହେଲେ ଗତ ୨ ଦିନ ତଳେ ବିଧାୟକ ସରୋଜ ମେହେରଙ୍କ ସମର୍ଥକ ଆସି ସେହି ସ୍ଥାନରେ ଥିବା ପର୍ଶୁରାମଙ୍କ ଫଟୋଚିତ୍ରକୁ ହଟାଇ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତି ସ୍ଥାପନ କରିଥିଲେ । ଏହାକୁ ବିରୋଧ କରି ପାଟଣାଗଡର ସମସ୍ତ ସଙ୍ଗଠନ ବନ୍ଦ ପାଳନ କରିଛନ୍ତି । ହିନ୍ଦୁଙ୍କ ଧର୍ମୀୟ ଭାବନାକୁ ବିଧାୟକ ଜାଣିଶୁଣି ଆଘାତ ପହଁଞ୍ଚାଇ ଥିବା ଅଭିଯୋଗ କରି ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି । ତୁରନ୍ତ ସେହି ସ୍ଥାନରୁ ବିଜୁ ପ୍ରତିମୂର୍ତ୍ତି ହଟାଇ ଭଗବାନ ପର୍ଶୁରାମଙ୍କ ଫଟୋ ପୁନଃସ୍ଥାପନ କରାନଗଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ।