ନୂଆ କୃଷି ଆଇନକୁ ନେଇ ପଞ୍ଜାବ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମୁହାଁମୁହିଁ  । କେଜ୍ରିୱାଲଙ୍କୁ କଡ଼ା ସମାଲୋଚନା କଲେ ଅମରିନ୍ଦର ସିଂ, କହିଲେ ରାଜନୀତି ପାଇଁ ନିଜ ଆତ୍ମା ବିକ୍ରି କରିବାକୁ ପଛାଇବେନି କେଜ୍ରିୱାଲ । 

338

କନକ ବ୍ୟୁରୋ : ନୂଆ କୃଷି ଆଇନକୁ ନେଇ ଚାଷୀ ଆନ୍ଦୋଳନ ଜାରି ରହିଥିବା ବଳେ ଆଉ ଏକ ରୋଚକ ବିତର୍କ ଜାରି ରହିଛି  । ଅରବିନ୍ଦ କେଜ୍ରିୱାଲ ବନାମ ଅମରିନ୍ଦର ସିଂ  । କୃଷି ଆଇନକୁ ନେଇ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଟୁଇଟ ୱାର ଚାଲିଛି  ।

ପଂଜାବ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଶୁଣିଲେ ଜାଣିପାରିବେ ଯେ, ଗତ କିଛି ସପ୍ତାହ ହେବ କିଭଳି ପରସ୍ପରକୁ ସମାଲୋଚନା କରୁଛନ୍ତି କ୍ୟାପଟେନ ଅମରିନ୍ଦର ସିଂ ଓ ଅରବିନ୍ଦ କେଜ୍ରିୱାଲ  । ନୂଆ କୃଷି ଆଇନକୁ ନେଇ ଏହି ଦୁଇ ନେତାଙ୍କ ମଧ୍ୟରେ ଏକ ବାକ୍ ଯୁଦ୍ଧ ଜାରି ରହିଛି  ।  ଟୁଇଟରେ ଉଭୟ ଉଭୟକୁ ଟାର୍ଗେଟ କରିଚାଲିଛନ୍ତି  । ଉଭୟ ନୂଆ କୃଷି ଆଇନକୁ ବିରୋଧ କରିବା ସହ ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି  । ହେଲେ ପରସ୍ପରର ଆଭିମୁଖ୍ୟ ନେଇ କଥା କଟାକଟିରେ ଲାଗିଛନ୍ତି ଏହି ଦୁଇ ମୁଖ୍ୟମନ୍ତ୍ରୀ  ।

କେଜ୍ରିୱାଲଙ୍କୁ ଟାର୍ଗେଟ କରି ଅମରିନ୍ଦର ଲେଖିଛନ୍ତି ଏହି ନୂଆ ଟୁଇଟ୍  । ଦେଖନ୍ତୁ କ’ଣ ଲେଖିଛନ୍ତି “ ପଞ୍ଜାବର ସମସ୍ତେ ଜାଣିଛନ୍ତି, ମୋତେ ଇଡି କିମ୍ବା ଅନ୍ୟ କୌଣସି କେସକୁ ନେଇ ଦବା ଯାଇ ପାରିବ ନାହିଁ  । ହେଲେ କେଜ୍ରିୱାଲ ରାଜନୈତିକ ଫାଇଦା ପାଇଁ ତୁମେ ନିଜ ଆତ୍ମାକୁ ମଧ୍ୟ ବିକିବାକୁ ପଛଘୁଂଚା ଦେବ ନାହିଁ  । ଯଦି ଭାବୁଛ ଯେ, ତୁମ ଡ୍ରାମା ଯୋଗୁଁ ଚାଷୀମାନେ ଭଳିଯିବେ, ତାହେଲେ ତୁମେ ଭୁଲ ଧାରଣାରେ ଅଛ’ ।

ଅମରିନ୍ଦରଙ୍କ ଟୁଇଟର ଜବାବ ରଖିି ଓଲଟା ଅଭିଯୋଗ ଆଣିଛନ୍ତି କେଜ୍ରିୱାଲ  । ନୂଆ କୃଷି ବିଲ୍ ଡ୍ରାଫଟ୍ କମିଟିରେ ଅମରିନ୍ଦର ସଦସ୍ୟ ଥିଲେ, ତେଣୁ ଏହି ନୂଆ ଆଇନ ତାଙ୍କରି ହିଁ ଉପହାର ବୋଲି କଟାକ୍ଷ କରିଛନ୍ତି କେଜ୍ରିୱାଲ  । ପଞ୍ଜାବରେ ଆମ୍ ଆଦମୀ ପାର୍ଟି ନିଜ ସ୍ଥିତି ମଜବୁତ କରିବାକୁ ଚାହୁଁଛି  । ଆଉ ପଂଜାବ ରାଜନୀତିରେ ନିଜର ଦଖଲ ଚାହୁଁଛନ୍ତି କେଜ୍ରିୱାଲ  । ଏହାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ରାଜନୈତିକ ଶତ୍ରୁତା ରହିଆସିଛି  ।