କନକ ବ୍ୟୁରୋ : କ୍ରିକେଟପ୍ରେମୀ ସବୁବେଳେ ଆଇପିଏଲକୁ ଚାହିଁ ରହିଥାନ୍ତି । ଷ୍ଟାଡିୟମ ଠାରୁ ଆରମ୍ଭ କରି ମୋବାଇଲରେ ଆଇପିଏଲ ଦେଖିବାକୁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ରହିଥାଏ । ଏପରିକି ଆଇପିଏଲ ମ୍ୟାଚ୍ ହେଲେ ରାସ୍ତାଘାଟ ଶୂନଶାନ ହୋଇଯାଏ ଓ ପ୍ରତି ଘର ଭିତରୁ ନିଜ ପସନ୍ଦର ଟିମକୁ ଚିୟର କରୁଥିବାର ଶବ୍ଦ ଶୁଣିବାକୁ ମିଳେ । କିନ୍ତୁ ଚଳିତ ଆଇପିଏଲରେ ବିସିସିଆଇକୁ ବଡ ଝଟକା ଦେଇଛନ୍ତି ଆଇପିଏଲ ପ୍ରଶଂସକ ।
ମାର୍ଚ୍ଚ ୨୬ରୁ ଆରମ୍ଭ ହୋଇଥିବା ଚଳିତ ଆଇପିଏଲରେ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ୧୬ଟି ମ୍ୟାଚ୍ ଖେଳାଯାଇଛି । ଯେଉଁଥିରେ ଅନେକ ରୋମାଞ୍ଚକର ମୁକାବିଲା ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ଗତ ସପ୍ତାହରେ ଆଇପିଏଲ ପ୍ରସାରଣକାରୀ ସଂସ୍ଥାକୁ ବଡ ଝଟକା ଲାଗିଛି । କାରଣ ଗତ ସପ୍ତାହରେ ଆଇପିଏଲ ମ୍ୟାଚକୁ ନେଇ ଆସିଥିବା ଟିଭି ରେଟିଂ ୩୩% ହ୍ରାସ ପାଇଛି । ବାର୍କ ରିପୋର୍ଟ ଅନୁଯାୟୀ ଗତ ୨୬ ମାର୍ଚ୍ଚରୁ ୧ ଏପ୍ରିଲ ମଧ୍ୟରେ ୮ଟି ମ୍ୟାଚ୍ ଖେଳାଯାଇଥିଲା । ଆଉ ଏହି ସମୟରେ ଟିଭି ରେଟିଂ ପଏଣ୍ଟ ୨.୫୨ ରହିଥିଲା । ଅନ୍ୟପଟେ ୨୦୨୧ ଆଇପିଏଲ ସିଜିନର ପ୍ରଥମ ସପ୍ତାହରେ ଟିଭି ରେଟିଂ ପଏଣ୍ଟ ୩.୭୫ ଥିଲା । ଆଉ ଏହି ତଥ୍ୟ ଦର୍ଶାଉଛି ଗତବର୍ଷ ତୁଳନାରେ ଚଳିତବର୍ଷ ଆଇପିଏଲର ପ୍ରଥମ ସପ୍ତାହରେ ଟିଭି ରେଟିଂ ପଏଣ୍ଟରେ ୩୩% ହ୍ରାସ ପାଇଛି । ଏହାପୂର୍ବରୁ ୨୦୨୦ ସିଜିନର ପ୍ରଥମ ସପ୍ତାହରେ ଟିଭି ରେଟିଂ ପଏଣ୍ଟ ୩.୮୫ ରହିଥିଲା । ଆଉ ଏହି ତଥ୍ୟ ସଂକେତ ଦେଉଛି ଆଇପିଏଲର ପ୍ରଥମ ସପ୍ତାହର ଟିଭି ରେଟିଂ ପଏଣ୍ଟ ଲଗାତାର ହ୍ରାସ ପାଉଛି ।
କେବଳ ରେଟିଂ ନୁହେଁ ବରଂ ଆଇପିଏଲ ଦେଖିବାକୁ କ୍ରିକେଟପ୍ରେମୀଙ୍କ ମନରେ ଆଗ୍ରହ କମୁଛି । ଚଳିତବର୍ଷ ଆଇପିଏଲର ପ୍ରଥମ ସପ୍ତାହରେ ପ୍ରସାରଣ ହେଉଥିବା ସବୁ ଫର୍ମାଟରେ ୨୨୯.୦୬ ମିଲିୟନ ଲୋକ ମ୍ୟାଚ୍ ଦେଖିଛନ୍ତି । କିନ୍ତୁ ଗତବର୍ଷ ଏହି ସଂଖ୍ୟା ଥିଲା ୨୬୭.୭ ମିଲିୟନ । ଏହାପୂର୍ବରୁ ଆଇପିଏଲ ଆରମ୍ଭ ହେବା ମାତ୍ରେ ଏହାର ପ୍ରସାରଣ କରୁଥିବା ଚ୍ୟାନେଲ ବାର୍କର ରେଟିଂ ପଏଣ୍ଟରେ ଏକ ନମ୍ବରକୁ ଆସିଥାଏ । କିନ୍ତୁ ଚଳିତଥର ସେମିତି ଦେଖିବାକୁ ମିଳିନି । ବାର୍କର ରିପୋର୍ଟ ଅନୁଯାୟୀ ଏବେ ବି ପ୍ରସାରଣକାରୀ ସଂସ୍ଥା ୩ ନମ୍ବରରେ ରହିଛି । ଯାହା ଦର୍ଶାଉଛି ଚଳିତଥର କ୍ରିକେଟପ୍ରେମୀଙ୍କ ମଧ୍ୟରେ ଆଇପିଏଲରେ ସେତେଟା କ୍ରେଜ ନାହିଁ । କିନ୍ତୁ ଏଭଳି ରିପୋର୍ଟ ବିସିସିଆଇ ଅଧିକାରୀଙ୍କ ଚିନ୍ତା ବଢାଇ ଦେଇଛି । କାରଣ ୨୦୨୩-୨୭ ଯାଏଁ ଖୁବଶୀଘ୍ର ଆଇପିଏଲ ପ୍ରସାରଣ ପାଇଁ ମିଡିଆ ରାଇଟସର ନିଲାମୀ ଡକାହେବ । ଆଉ ଏହା ମାଧ୍ୟମରେ ହିଁ ବିସିସିଆଇ ଅଧିକ ଟଙ୍କା ଯୋଗାଡ କରିବା ଲକ୍ଷ୍ୟରେ ରହିଛି ।