କନକ ବ୍ୟୁରୋ: ଚଳିତ ବିଶ୍ୱକପରେ ପାକିସ୍ତାନର ସାଥ୍ ଦେଉନି ଭାଗ୍ୟ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତଠୁ ମ୍ୟାଚ୍ ହାରିବା ପରେ ବେଙ୍ଗାଲୁରୁରେ ବି ପାକିସ୍ତାନକୁ ମାଟି କାମୁଡ଼ାଇଦେଲା କଙ୍ଗାରୁ ଟିମ୍ । ଆଉ ଏହା ପରେ ସତେ ଯେମିତି ପାକ୍ ଟିମ ସହ ଦଳର କିଛି ଷ୍ଟାର ଖେଳାଳିଙ୍କୁ ସୋସିଆଲ ମିଡ଼ିଆରେ ଟ୍ରୋଲ କରୁଛନ୍ତି ପାକିସ୍ତାନୀ ଫ୍ୟାନ୍ସ ।

Advertisment

ଗତ ଶୁକ୍ରବାର ଦିନ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ପାକିସ୍ତାନ ଟିମ୍ ୫ ଥରର ବିଶ୍ୱକପ୍ ବିଜୟୀ ଅଷ୍ଟ୍ରେଲିଆ ଦଳର ସାମ୍ନା କରିଥିଲା । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପାକିସ୍ତାନକୁ ୬୨ ରନରେ ଶୋଚନୀୟ ପରାଜୟ କରିଥିଲା । ଆଉ ଏହା ପରେ ସୋସିଆଲ ମିଡ଼ିଆରେ ପାକ୍ ଟିମକୁ ଟ୍ରୋଲ କରିବା ଆରମ୍ଭ କରିଦେଲେ ପାକ୍ ପ୍ରଶଂସକ । ହାସଟ୍ୟାଗ୍ ଦିଲ୍ ଦିଲ୍ ପାକିସ୍ତାନ, ବାବର ଆଜମ, ରିଜ୍ୱାନ ଓ ଇଫ୍ତିକାର ନାଁରେ ମିମ୍ସ ଟ୍ରେଣ୍ଡ କରିବାରେ ଲାଗିଛି । ବିଶ୍ୱକପରେ ପାକ୍ ଦଳର କ୍ୟାପଟେନ୍ ବାବରଙ୍କ ବ୍ୟାଟରୁ ଏଯାଏଁ ସେମିତି କିଛି ଖାସ୍ ରନ୍ ବାହାରିନାହିଁ । ତେଣୁ ପାକ୍ ଫ୍ୟାନ୍ସ ତାଙ୍କୁ ଟ୍ରୋଲ କରିବାରେ ଲାଗିପଡ଼ିଛନ୍ତି ।

ଏକ୍ସରେ ଜଣେ ୟୁଜର ପାକିସ୍ତାନରେ ଟିଭି ଭାଙ୍ଗୁଥିବାର ମିମ୍ସ ଭିଡ଼ିଓ ପୋଷ୍ଟ କରି ଟ୍ରୋଲ କରିଛନ୍ତି । ଆଉ କହିଛନ୍ତି, ପାକ୍ ଖେଳାଳି ଖେଳରେ ମନ ନଦେଇ ଦିଲ୍ ଦିଲ୍ ପାକିସ୍ତାନ ହ୍ୟାସଟାଗ୍କୁ ଫୋକସ୍ କଲେ , ଯାହା ଦ୍ୱାରା ସେ ଖାଲି ମ୍ୟାଚ୍ ପରେ ମ୍ୟାଚ୍ ହାରୁଛନ୍ତି । ବାବର ଆଜମଙ୍କ ପାଇଁ ପାକିସ୍ତାନରେ ଏବେ ଆହୁରି ଟିଭି ଭାଙ୍ଗୁଛି ବୋଲି କହି ସମାଲୋଚନା କରିଛନ୍ତି ।
ଆଉ ଜଣେ ବାବରଙ୍କୁ ଟ୍ରୋଲ କରି ପୋଷ୍ଟ କରିଛନ୍ତି କି, ଭାଇ ମାନେ ବିଶ୍ୱକପରେ ନେପାଳକୁ କାହିଁକି ଖେଳାଉନାହାନ୍ତି?

ସୋସିଆଲ ମିଡ଼ିଆରେ କିଛି ୟୁଜର୍ସ ବାବରଙ୍କୁ ବିରାଟ କୋହଲିଙ୍କ ସହ ତୁଳନା କରୁଥିବା କ୍ରିକେଟପ୍ରେମୀଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଇନାହାନ୍ତି । ଖାସ୍ କରି ମିମ୍ସ ଦ୍ୱାରା ବାବରଙ୍କ ବ୍ୟାଟିଂର ଥଟ୍ଟା ପରିହାସ କରିଛନ୍ତି ।

ଏବେ କ୍ରୀଡ଼ା ସମୀକ୍ଷକଙ୍କ ଆକଳନ ଅନୁସାରେ, ଏବେ ଉଭୟ ପାକ୍ ଓ କଙ୍ଗାରୁ ଟିମ୍ ପାଇଁ ଆଗକୁ ସବୁ ମ୍ୟାଚ୍ କର ବା ମର ଭଳି ରହିବ । ଏବେଠାରୁ ଦୁଇ ଦଳ ଯଦି ଗୋଟିଏ ବି ମ୍ୟାଚ୍ ପରାଜିତ ହୁଅନ୍ତି ଉଭୟଙ୍କର ସେମିଫାଇନାଲ ଟିକେଟ୍ ସମ୍ଭାବନା କମ୍ ହୋଇଯିବ ।