ଚାଲିଗଲେ ‘ରାମାୟଣର ରାବଣ’ : ୮୨ ବର୍ଷ ବୟସରେ ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ

ରାବଣ ଚରିତ୍ରରେ ଅଭିନୟକୁ ବେଶ ପସନ୍ଦ କରିଥିଲେ ଦର୍ଶକ

808

କନକ ବ୍ୟୁରୋ : ଲୋକପ୍ରିୟ ପୌରାଣିକ ଧାରାବାହିକ ରାମାୟଣରେ ରାବଣ ଚରିତ୍ରରେ ଅଭିନୟ କରିଥିବା ବରିଷ୍ଠ ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ଦେହାନ୍ତ ହୋଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ଅରବିନ୍ଦଙ୍କ ଭଣଜା କୌସ୍ତୁଭ ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ବର୍ଷ ହୋଇଥିଲା । ଦୀର୍ଘ ଦିନ ହେବ ଅରବିନ୍ଦ ଅସୁସ୍ଥ ରହି ଆସୁଥିଲେ । ଅରବିନ୍ଦ ନିଜର ୪୦ବର୍ଷର ଅଭିନୟ କ୍ୟାରିୟରେ ସେ ୩୦୦ରୁ ଉର୍ଦ୍ଧ ସିନେମା ଓ ଧାରବାହିକରେ ଅଭିନୟ କରିଥିଲେ । ରାମାୟଣ ବ୍ୟତୀତ ବିକ୍ରମ ବେତାଳ ଓ ଅନ୍ୟାନ୍ୟ ପୌରାଣିକ ଏବଂ ସାମାଜିକ ଧାରବାହିକରେ ତାଙ୍କର ଚମକ୍ରାର ଅଭିନୟ ଦେଖିବାକୁ ମିଳିଥିଲା ।

ମଧ୍ୟପ୍ରଦେଶରେ ଜନ୍ମଗ୍ରହଣ କରଥିବା ଅରବିନ୍ଦ ଗୁଜରାଟୀ ରଙ୍ଗମଂଚରୁ ଅଭିନୟ ଆରମ୍ଭ କରିଥିଲେ । ଛୋଟ ପରଦାରେ ପ୍ରାୟ ୪୦ବର୍ଷ ଧରି ନିଜର ଯୋଗଦାନ ଦେଇଥିବା ଏହି ବରିଷ୍ଠ କଳାକାରଙ୍କୁ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି । ୩୦୦ରୁ ଅଧିକ ବହୁଭାଷୀ ସିନେମା ଓ ସିରିୟଲରେ ଅରବିନ୍ଦ ଅଭିନୟ କରି ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ କରିଥିଲେ । ୧୯୯୧ ଓ ୧୯୯୬ ମସିହା ପର୍ଯ୍ୟନ୍ତ ରାଜନୀତିରେ ସେ ସକ୍ରିୟ ରହିଥିଲେ । ସେ ଗୁଜରାଟର ସାବରକାଣ୍ଠା ନିର୍ବାଚନ ମଣ୍ଡଳୀ ପାଇଁ ମନୋନୀତ ହୋଇଥିଲେ । ଏହାଛଡ଼ା, ବିଜୟ ଆନନ୍ଦ ଇସ୍ତଫା ଦେବା ପରେ ସେ ‘ସେନ୍‌ସର୍‌ ବୋର୍ଡ ଫର୍‌ ସାର୍ଟିଫିକେସନ୍‌’ ର କାର୍ଯ୍ୟନିର୍ବାହୀ ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ବରିଷ୍ଠ ଅଭିନେତାଙ୍କ ଦେହାନ୍ତରେ କଳାଜଗତରେ ଶୋକର ଛାୟା ଖେଳିଛି ।

ହିନ୍ଦୀ ଚଳଚ୍ଚିତ୍ର ପରାୟା ଧନ, ଜଙ୍ଗଲ ମେ ମଙ୍ଗଲ, ଆଜ କୀ ତାଜା ଖବର, ତ୍ରିମୂର୍ତ୍ତି, ହମ୍ ତେରେ ଆଶିକ୍ ହେଁ ଆଦିରେ ଅରବିନ୍ଦଙ୍କ ଭୂମିକା ମଧ୍ୟ ଦଶର୍କଙ୍କ ଦୃଷ୍ଟି ଆକଷର୍ଣ କରିଥିଲା। ସେ ବିଶେଷ କରି ଗୁଜୁରାଟୀ ସିନେମାରେ ଜଣେ ବିବିଧବର୍ଣ୍ଣର ଅଭିନେତା ଭାବେ ପରିଚିତ ଥିଲେ। ତାଙ୍କ ଅଭିନୀତ ଗଜୁରାଟୀ ଚଳଚ୍ଚିତ୍ର ମଧ୍ୟରେ ଜେସାଲ ତୋରାଲ, କୁଆଁରବାଈ ନୁ ମାମେରୁଁ, ହୋତାଲ ପଦ୍ମିନୀ, ଯୋଗୀଦାସ ଖୁମା, ଶୀତଲ ନେ କାନ୍ଥେ, ସାନ୍ତୁ ରଙ୍ଗିଲୀ, ପୈସୋ ବୋଲେ ଛି, ଭଗତ ଗୋରା କୁମ୍ଭାର, ମାନିୟାରୋ, ସତୀ ତୋରାଲ, ଦାଦା ନେ ବହଲି ଦିକ୍‌ରି ଆଦି ଦର୍ଶକ ପ୍ରିୟ ହେଇଥିଲା ।

ଗୁଜୁରାଟୀ ସିନେମା ‘ଦେଶରେ ଜୟା ପରଦେଶ ଜୟା’ରେ ଦାଦାଜୀ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦଙ୍କ ପାଇଁ ସେତେବେଳେ ଉକ୍ତ ଗୁଜୁରାଟୀ ସିନେମାଟି ବକ୍ସ ଅଫିସ ରେକର୍ଡ କରିଥିଲା। ଅନ୍ୟୂନ ତିନିଶହ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅରବିନ୍ଦ ବିଶେଷ କରି ସାମାଜିକ ଓ ପୌରାଣିକ କାହାଣୀରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ୨୦୦୨ରେ ସେ ସେଣ୍ଟ୍ରାଲ ବୋର୍ଡ ଫର୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି)ର ଚେୟାରମ୍ୟାନ ଭାବେ ଅବସ୍ଥା‌ପିତ ଥିଲେ । ଚଳଚ୍ଚିତ୍ରରେ ନିପୁଣ ଅଭିନୟ ପାଇଁ ତାଙ୍କୁ ଗୁଜୁରାଟ ସରକାର ସାତ ଥର ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ କରିଛନ୍ତି । ସେ ଗଜୁରାଟର ସବରକଣ୍ଠ ଆସନରୁ ୧୯୯୬ରେ ସାଂସଦ ଭାବେ ନିର୍ବାଚିତ ହେଇଥିଲେ । ୧୯୬୬ରେ ସେ ନଳିନୀଙ୍କୁ ବିବାହ କରିଥିଲେ । ତାଙ୍କର ତିନି କନ୍ୟା ସନ୍ତାନ ଅଛନ୍ତି । ତାଙ୍କ ଭାଇ ଉପେନ୍ଦ୍ର ତ୍ରିବେଦୀ ଜଣେ ନାମକରା ଗୁଜୁରାଟୀ ଚଳଚ୍ଚିତ୍ର ଅଭିନେତା ଥିଲେ ।