କାଲିମେଳା ବ୍ଲକରେ ଖୋଲିଛି ଟସର ତାଲିମ କେନ୍ଦ୍ର, ତାଲିମ ନେଇ ସ୍ୱାବଲମ୍ବୀ ହେବେ ସ୍ୱୟଂସହାୟକ ଗୋଷ୍ଠୀର ମହିଳା

106

କନକ ବ୍ୟୁରୋ : ଟସର ତାଲିମ ନେଇ ସ୍ୱାବଲମ୍ବୀ ହେବେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ପ୍ରଥମଥର ପାଇଁ ଉପାନ୍ତ ଅଂଚଳ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକରେ ଖୋଲିଛି ଟସର ତାଲିମ କେନ୍ଦ୍ର । ଟସର କୋଷାରୁ କିପରି ରେଶମ ସୂତା ପ୍ରସ୍ତୁତ କରାଯିବ ସେନେଇ ଏକ ତାଲିମ କେନ୍ଦ୍ର ସ୍ଥାପନ କରି ୩୦ ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ତାଲିମ ଦେବା ଆରମ୍ଭ ହୋଇଛି । ଏଥି ପାଇଁ ୩୦ ଗୋଟି ମେସିନ କିଣାଯାଇ ୩୦ ଜଣ ସ୍ୱଂୟ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଏକ ମାସ ପର୍ଯ୍ୟନ୍ତ ତାଲିମ ପ୍ରଦାନ କରାଯାଉଛି । ଏଥିପାଇଁ ମହିଳାମାନଙ୍କ ମଧ୍ୟରେ ବେଶ ଆଗ୍ରହ ଥିବାର ଦେଖିବାକୁ ମିଳିଛି ।

ଟସର କୋଷାକୁ ସଂଗ୍ରହ କରାଯିବାପରେ ତାକୁ ଗରମ ପାଣିରେ କିଛି ସମୟ ସିଝାଇବାକୁ ପଡ଼ିଥାଏ । ଏହାପରେ ତାକୁ ପବନରେ ସୁଖାଇଲାପରେ ଟସର କୋଷା ଗୁଡ଼ାକୁ ମେସିନ ସାହାଯ୍ୟରେ ସୂତା ବାହାର କରାଯାଇଥାଏ । ଏଥିପାଇଁ ସ୍ୱତନ୍ତ୍ର ତାଲିମପ୍ରାପ୍ତ କୁଶଳୀ କାରିଗର ରହିଛନ୍ତି । ପଡ଼ୋଶୀ ଛତିଶଗଡ଼ ରାଜ୍ୟର ବିଳାସପୁର ଅଂଚଳର ଅସ୍ତିତ୍ୱ ମହିଳା ସମିତିକୁ ଏହାର ତାଲିମ ପ୍ରଦାନ ପାଇଁ ଦାୟିତ୍ୱ ଦିଆଯାଇଛି । ଏହି ମହିଳା ସମିତି ଅଧ୍ୟକ୍ଷ ପୂଜା ବର୍ମାଙ୍କ ନେତୃତ୍ୱରେ ଏକ ୭ ଜଣିଆ ଟିମ କାଲିମେଳା ଆସି ଟସର କୋଷାରୁ କିପରି ରେଶମ ସୂତା ପ୍ରସ୍ତୁତ କରାଯିବ ସେ ଉପରେ ତାଲିମ ପ୍ରଦାନ କରୁଛନ୍ତି ।

ଟସର କୋଷାରୁ ପ୍ରସ୍ତୁତ ରେଶମ ସୁତାରେ ତିଆରି ହେବ ବିଭିନ୍ନ ପ୍ରକାରର ପୋଷାକ । ଏହା ରାଜ୍ୟ ତଥା ରାଜ୍ୟ ବାହାରେ ବିକ୍ରି ମଧ୍ୟ କରାଯିବ । ଯାହାଦ୍ୱାରା ଆତ୍ମନିର୍ଭର ହୋଇପାରିବେ ଉପାନ୍ତ ଅଂଚଳର ମହିଳା ।