୨୦୧୯ ନିର୍ବାଚନ, ବିଜେଡିରେ ପ୍ରଥମ । ଘୋଷଣା ହୋଇଥିଲା ସୁରେନ୍ଦ୍ରଙ୍କ ନାଁ, ଟିକେଟ ନେଲେ ତୁଷାରକାନ୍ତି ।

472

କନକ ବ୍ୟୁରୋ : ୧୪୭ ବିଧାନସଭା ଆସନ ମଧ୍ୟରୁ ୧୪୬ ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । କେବଳ କେନ୍ଦ୍ରାପଡାକୁ ବାଦ୍ ଦେଲେ ବାକି ସବୁ ଆସନରେ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ତେବେ ୨୦୧୯ ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରିଛି । ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା ତୁଷାରକାନ୍ତିଙ୍କୁ କାକଟପୁର ଆସନରୁ ପ୍ରାର୍ଥୀ କରିଛି ବିଜେଡି । ଏହି ଆସନ ପାଇଁ ପୂର୍ବରୁ ଦଳ ସୁରେନ୍ଦ୍ର ସେଠୀଙ୍କ ନାଁ ଘୋଷଣା କରିଥିଲା । ଏପରିକି ନାମାଙ୍କନ ଭରିବା ପାଇଁ ସୁରେନ୍ଦ୍ର ପ୍ରସ୍ତୁତ ହେଉଥିବା ବେଳେ ଏଥିରେ ବ୍ରେକ ଲଗାଇଥିଲା ଦଳ ।

ଆସନ୍ତା ୯ରେ ଚତୁର୍ଥ ପର୍ଯ୍ୟାୟ ନାମାଙ୍କନର ଶେଷ ତାରିଖ ରହିଥିବା ବେଳେ ଆଜି ତୁଷାରଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ । ଆଉ ଏହାସହ ୨୦୧୯ ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେଡି ଟିକେଟ ବଣ୍ଟନରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଯେତେବେଳେ ଜଣେ ବିଧାୟକଙ୍କର ଟିକେଟ ଘୋଷଣା କରାଯାଇ ପୁଣିଥରେ ତାଙ୍କ ସ୍ଥାନରେ ଅନ୍ୟ ଜଣକୁ ପ୍ରାର୍ଥୀ କରିଛି ଦଳ ।

ଏହାର ଝଲକ ଗତ ୨୦୧୪ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଥିଲା । ଯେତେବେଳେ ବଲାଙ୍ଗୀର ଓ ରାଜନଗରରେ ପ୍ରାର୍ଥୀ ଘୋଷଣା କରାଯାଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଦଳ ଏଠାରେ ପ୍ରାର୍ଥୀ ପରିବର୍ତ୍ତନ କରିଥିଲା । ବଲାଙ୍ଗୀରରେ ପ୍ରଥମେ ହରେକୃଷ୍ଣ ଷଡଙ୍ଗୀଙ୍କୁ ଦଳ ପ୍ରାର୍ଥୀ କରିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଅନଙ୍ଗଙ୍କୁ ସାମ୍ନାକୁ ଆଣିଥିଲା ଦଳ । କାରଣ ବିରୋଧୀ ଶିବିରରୁ ମୈଦାନକୁ ଓହ୍ଲାଇଥିଲେ ହେଭିୱେଟ ନରସିଂହ । ତେଣୁ ତାଙ୍କୁ ମୁକାବିଲା କରିବାକୁ ଅନଙ୍ଗଙ୍କୁ ପୁଣିଥରେ କମବ୍ୟାକ୍ କରାଇଥିଲା ଦଳ ।

ସେହିଭଳି ବିଜୁ ବାବୁଙ୍କ କର୍ମଭୂମି କୁହାଯାଉଥିବା ରାଜନଗରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ହେଭିୱେଟ ନଳିନୀ ମହାନ୍ତିଙ୍କୁ ହରାଇ ପ୍ରଥମ ଥର ବିଧାୟକ ହୋଇଥିବା ଅଲେଖ ଜେନାଙ୍କ ଟିକେଟ ଦଳ ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ କରିଥିଲା । ସେତେବେଳେ ଅଲେଖଙ୍କ ବଦଳରେ ଦଳ ଧ୍ରୁବ ସାହୁଙ୍କୁ ନାମାଙ୍କନର ଶେଷ ଦିନରେ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଳାଇଥିଲା । ଅଲେଖଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ବିଜେଡିର ଅନ୍ୟ ନେତା ନବୀନଙ୍କ ନିକଟରେ ଫେରାଦ ହେବା ପରେ ବିଜେଡି ସୁପ୍ରିମୋ ଏଠାରେ ପ୍ରାର୍ଥୀ ପରିବର୍ତ୍ତନ କରିଥିଲେ । ତେବେ ଗତଥର ଏହି ଦୁଇଟି ଆସନରେ ଦଳ ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ପରିବର୍ତ୍ତନ କରିଥିଲେ ମଧ୍ୟ ଦଳ ଏଠାରେ ସଫଳତା ପାଇନଥିଲା । ତେଣୁ ଚଳିତ ଥର ଏହି ଟ୍ରେଣ୍ଡ ଭାଙ୍ଗିବାକୁ ଜୋରଦାର ପ୍ରୟାସ କରିବ ।