ହାରିନି ନ୍ୟୁଜିଲାଣ୍ଡ ! କିନ୍ତୁ ବିଶ୍ୱବିଜେତା ହେଲା ଇଂଲଣ୍ଡ, ଜାଣନ୍ତୁ କେଉଁଠି ବଦଳିଥିଲା ଫାଇନାଲ୍ ଫାଇଟର ମୋଡ ।

496

କନକ ବ୍ୟୁରୋ : ରବିବାରର ଲର୍ଡସ ଫାଇନାଲ୍ ବେଶ ଉତଥାନ ଓ ପତନ ଦେଇ ଗତି କରିଥିଲା । ଏକାଧିକ ଟର୍ନି ପଏଣ୍ଟ୍ ଦେଖିଥିଲେ ଦର୍ଶକ । ନ୍ୟୁଜିଲାଣ୍ଡ୍ ନିୟମିତ ୱିକେଟ୍ ହରାଇ ୨୪୧/୮ରେ ସୀମିତ ରହିଯାଇଥିଲା । ହେନରି ନିକଲ୍ସ ଏବଂ ଟମ୍ ଲଥାମଙ୍କ ପାଳି ପାଇଁ ନ୍ୟୁଜିଲାଣ୍ଡ୍ ସ୍ଥିତି ସୁଧୁରିଥିଲା । ଇଂଲଣ୍ଡ କିନ୍ତୁ ୧୭ଟି ୱାଇଡ୍ ପକାଇବା ନ୍ୟୁଜିଲାଣ୍ଡ୍ ପାଳିକୁ ଆହ୍ବାନ ଭରା ସ୍କୋର୍ ପ୍ରଦାନରେ ସହାୟକ ହୋଇଥିଲା । ଜବାବରେ ଇଂଲଣ୍ଡ ଯେତେବେଳେ ୮୬ ରନରେ ୪ ୱିକେଟ୍ ହରାଇ ଦେଇଥିଲା ମ୍ୟାଚ୍ ନ୍ୟୁଜିଲାଣ୍ଡ୍ ଆଡକୁ ଢ଼ଳିଥିଲା । ଏହି ସମୟରେ ଜୋସ୍ ବଟଲର୍ ଏବଂ ବେନ୍ ଷ୍ଟୋକ୍ସଙ୍କ ଶତକୀୟ ଭାଗୀଦାରି (୧୧୦ ରନ, ୨୧.୪ ଓଭର) କରି ଇଂଲଣ୍ଡକୁ ପୁଣି ସୁଯୋଗ ପ୍ରଦାନ କରିଥିଲେ । ବଟଲର୍ ଏବଂ ଷ୍ଟୋକ୍ସ ନିଜ ନିଜ ଅର୍ଧଶତକ ହାସଲ କରିଥିଲେ । ଲୋକି ଫର୍ଗୁସନ୍ କିନ୍ତୁ ବଟଲରଙ୍କୁ ବିଦାୟ କରି ଏହି ଭାଗୀଦାରିକୁ ଭାଙ୍ଗିଦେଇଥିଲେ । ବେନ୍ ଷ୍ଟୋକ୍ସଙ୍କ ସଟକୁ ସୀମାରେଖା ପାଖରେ ବୋଲଟ କ୍ୟାଚ୍ କରିଥିଲେ ମଧ୍ୟ ପଛ ପାଦରେ ସୀମା ରେଖା ରଶିକୁ ମାଡ଼ିବସିବାରୁ ଏହା ଛକା ହୋଇଥିଲା ।

ଛକା ନୁହେଁ ୬ :
ଶେଷ ଓଭରରେ ଚତୁର୍ଥ ବଲରୁ ବେନ୍ ଷ୍ଟୋକ୍ସ ୨ ରନ୍ ନେଇଥିଲେ । କିନ୍ତୁ ଓଭର ଥ୍ରୋରୁ ଚୌକା ମିଳିଯିବାରୁ ନିର୍ଣ୍ଣାୟକ ହୋଇଥିଲା । ପୂର୍ବ ବଲରେ ଷ୍ଟୋକ୍ସ ମଧ୍ୟ ବୋଲଟଙ୍କୁ ଛକା ମାରିଥିଲେ । ଘଟଣାବହୁଳ ଏହି ଓଭରରୁ ୧୫ ରନ୍ ଆବଶ୍ୟକ ଥିଲା । କିନ୍ତୁ ଇଂଲଣ୍ଡ ୧୪ ରନ୍ କରିପାରି ମ୍ୟାଚକୁ ଟାଇ କରିବାରେ ସକ୍ଷମ ହୋଇଥିଲା ।