କନକ ବ୍ୟୁରୋ : ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଡିଜେ ଗାଡ଼ି । ୨୦ରୁ ଅଧିକ ଆହତ ହୋଇଥିବା ବେଳେ ଗାଡ଼ି ତଳ ଚାପି ହୋଇ ଜଣଙ୍କର ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ ଟିକାୟତପାଲି ଥାନା ଅନ୍ତର୍ଗତ ସରସରା କୁଲକୁତା ଘାଟିରେ ଯାଉଥିବା ବେଳେ ପିକଅପ୍ ଭ୍ୟାନ ଓଲଟି ପଡ଼ିଥିଲା । ବରଗଡ଼ରୁ ଏକ ପିକଅପ୍ ଭ୍ୟାନରେ ଡିଜେ ସହ ପ୍ରାୟ ୨୫ ଜଣ ବାଜାବାଲା ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଇନ୍ଦରପୁର ଗାଁକୁ ଆସୁଥିଲେ । କୁଲକୁତା ଘାଟିରେ ଗାଡ଼ିର ବ୍ରେକ୍ ଫେଲ୍ ହେବାରୁ ଓଲଟି ପଡିଥିଲା । ଫଳରେ ଗାଡ଼ିରେ ଥିବା ଯାତ୍ରୀ ମଧ୍ୟରୁ କିଛି ତଳକୁ ଛିଟିକି ପଡ଼ିଥିଲେ, କିଛି ଗାଡ଼ିତଳେ ଚାପି ହୋଇ ଯାଇଥିଲେ ।

Advertisment

ତେବେ ଏହି ଦୁର୍ଘଟଣାରେ ମୋଟ ୨୦ ଜଣ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ଉଦ୍ଧାର କରି ତୁରନ୍ତ ବଣାଇ ଡାକ୍ତରଖାନାରେ ଭିର୍ତି କରାଯାଇଥିଲା । ଗାଡ଼ିତଳେ ଚାପି ହୋଇ ରହିଥିବା ଜଣେ ବ୍ୟକ୍ତିଙ୍କର ବଣାଇ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗୁରୁତର ଆହତ ହୋଇଥିବା ୫ ଜଣଙ୍କୁ ବୁର୍ଲା ମେଡିକାଲକୁ ପଠାଯାଇଛି ।