ହଳଦୀ ଦେଇଛି ରୋଜଗାର । ରାସ୍ତା କଡରେ ହଳଦୀ ପେଶି କୁଚିଣ୍ଡାର ମନୋଜ ମାସକୁ ଉପାର୍ଜନ କରୁଛନ୍ତି ଲକ୍ଷାଧିକ ଟଙ୍କା ।

167

କନକ ବ୍ୟୁରୋ: ହଳଦୀ ଦେଇଛି ରୋଜଗାର , ଆଉ କରିଛି ସ୍ୱାବଲମ୍ବୀ । ନିଜେ ହଳଦୀ ଚାଷ କରି ତାକୁ ଗୁଣ୍ଡ କରି ଲୋକଙ୍କ ଚାହିଦା ପୂରଣ କରିବା ସହ ବର୍ଷକୁ ରୋଜଗାର କରୁଛନ୍ତି ତିନିରୁ ଚାରି ଲକ୍ଷ ଟଙ୍କା । ଆମେ କହୁଛୁ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଂଚଳର ସାହାଜବାହାଲ ଗାଁର ମନୋଜ ପଟେଲଙ୍କ କଥା । ଯିଏକି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ ।

ରାସ୍ତା କଡରେ ଚାଲିଛି ହଳଦୀ ପେଷା ଆଉ ତାକୁ ନେବା ପାଇଁ ଲୋକଙ୍କ ଭିଡ । କିଏ କିଲେ ତ ଆଉ କିଏ ଦୁଇ ଚାରି କିଲୋ ନେବାପାଇଁ ଅପେକ୍ଷା କରିଛନ୍ତି । କାହିଁକି ନା ଚାଷୀ ନିଜେ ଚାଷ କରିବା ସହିତ ତାକୁ ନିଜେ ତିଆରି କରିଥିବା ମେସିନ ସାହାଯ୍ୟରେ ଲୋକଙ୍କ ସାମ୍ନାରେ ପେଷି ଆବଶ୍ୟକତା ମୁତାବକ ଲୋକଙ୍କୁ ଦେଉଛି । ବିଶୁଦ୍ଧ ତଥା ଭଲ ଥିବାରୁ ଲୋକଙ୍କ ପ୍ରିୟ ହୋଇପାରିଛି ମନୋଜ ପଟେଲଙ୍କ ହଳଦୀ ।

କୁଚିଣ୍ଡା, ସାହାଜବାହାଲର ମନୋଜ ଦୀର୍ଘ ୧୦ବର୍ଷରୁ ଅଧିକ ସମୟ ହେବ ଏହି ହଳଦୀ ବ୍ୟବସାୟୀ କରିଆସୁଛନ୍ତି । ନିଜର ସାଜ ସରଞାମ ଧରି ପ୍ରତିଦିନ ପାଖ ଆଖରେ ବସୁଥିବା ହାଟ ବଜାରକୁ ଯାଇ ହଳଦୀ ବିକ୍ରି କରିଥାନ୍ତି ସେ । ତେବେ ଗତ ବର୍ଷ ଠାରୁ କରୋନା ଯୋଗୁଁ ଅନେକ ଯାଗାରେ ହାଟ ବଜାର ବନ୍ଦ ହୋଇଯିବା ଫଳରେ ଅନ୍ୟ ଉପାୟ ନ ପାଇ ରାସ୍ତା କଡ ଓ ଛକ ଯାଗା ମାନଙ୍କରେ ତାଙ୍କର ବ୍ୟବସାୟ ଆରମ୍ଭ କରିଛନ୍ତି । ତେବେ କନ୍ଧମାଳର ପ୍ରସିଦ୍ଧ ହଳଦୀ ଭଳି କୁଚିଣ୍ଡାର ମନୋଜ ପଟେଲଙ୍କ ହଳଦୀର ଆଖ ପାଖ ଅଂଚଳରେ ବେଶ ଚାହିଦା ରହିଛି । ଅକ୍ଳାନ୍ତ ପରିଶ୍ରମ ଓ ଦୃଢ ମନୋବଳ ଯେ ଦିନେ ନା ଦିନେ ସଫଳତା ଆଣିଦେଇଥାଏ ସେ କଥା ପ୍ରମାଣିତ କରିଛନ୍ତି ମନୋଜ ପଟେଲ । ସେ ରାସ୍ତା କଡ ହେଉ ବା ହାଟ ବଜାର , ଲୋକଙ୍କୁ ଗୁଣ୍ଡ ହଳଦୀ ଯୋଗାଇ ସେ ଆଜି ହୋଇପାରିଛନ୍ତି ଲକ୍ଷପତି ।