ଧାନ ବିଲରେ ଫୁଟିଛି କଇଁ ଫୁଲ। ଏକର ଏକର ଚାଷ ଜମିରେ ଜମିଛି ପାଣି, ଅଭିଯୋଗ ପରେ ବି ହୋଇପାରୁନି ନିଷ୍କାସନ।

76

କନକ ବ୍ୟୁରୋ : ଧାନ ବିଲରେ ଫୁଟୁଛି କଇଁଫୁଲ । ଯେଉଁଠି କ୍ଷେତ୍ରରେ ଧାନ ସହିତ ବିଭିନ୍ନ କିମସର ଫସଲ ଫଳିବା କଥା ସେଠି ଏବେ କଇଁ ଦଳ ଭର୍ତ୍ତି ହୋଇଛି । ଏହ ଦୃଶ୍ୟ ଆସିଛିି କଣାସ ବ୍ଲକରୁ । କଣ୍ଠପଡାରୁ ନେଇ ରାଣୀପଡା ଓ ସୁଧାକର ଅଞ୍ଚଳର ଚାଷୀମାନେ ଚାଷ କାମ ପାଇଁ ବିଭିନ୍ନ ସ୍ଥାନରୁ ଋଣ କରଜ କରିଥିଲେ । ସରକାରଙ୍କୁ ବର୍ଷ ବର୍ଷ ଧରି ଖଜଣା ମଧ୍ୟ ଦେଇ ଆସୁଛନ୍ତି, ହେଲେ ଚାଷ ଉଜୁଡିଗଲାଣି । ଚାଷ ଜମି ଗଡିକରେ ବର୍ଷ ତମାମ ପାଣି ଜମି ରହୁଛି । ଏପରିକି ସେଠାରେ ସଠିକ୍ ଭାବେ ଜଳ ନିଷ୍କାସନ ହୋଇପାରୁନି । ଯାହାଫଳରେ ପାଣି ଜମି ରହି ଏକର ଏକର ଚାଷ ପଚି ସଢି ନଷ୍ଟ ହୋଇଯାଇଛି ।

ମୂଲ୍ୟବାନ ଜମି ଏବେ ତାର ମୂଲ୍ୟ ହରାଇବାକୁ ବସିଲାଣି । ବିଲ ଜମିରେ ପାଣି ଜମି ରହିବାରୁ ଅନାବନା ଘାସ ସହିତ କଇଁ ଦଳ ଭର୍ତି ହୋଇଗଲାଣି । ୧୯୮୨ ମସିହାରୁ ଏହି ସମସ୍ୟା ବଢିଚାଲିଥିବା ବେଳେ ଏପର୍ଯ୍ୟନ୍ତ ଏହାର କୌଣସି ସ୍ଥାୟୀ ସମାଧାନ କରାଯାଉନି । ବନ୍ୟାପାଣି ଜମିରହୁଛି, ନିଷ୍କ।।ସନ ପାଇଁ ଅଭିଯୋଗ ବି ହେଉଛି । ହେଲେ ବର୍ଷ ବର୍ଷ ଧରି ଚାଷ ଜମିରୁ ପାଣି ବାହାର କରାଯାଇପାରୁନି । ଯାହା ଫଳରେ ସୁନା ଫଳୁଥିବା ଚାଷ ଜମିରେ ଫସଲ ବଦଳରେ ଜମୁଛି କଇଁ ଦଳ ସହ ଅନାବନା ଘାସ । ଚାଷୀ କ୍ଷତିରେ ପହୁଛନ୍ତି । ହେଲେ ସେମାନଙ୍କୁ କୌଣସି କ୍ଷତିପୂରଣ ଦିଆଯାଉନି । ଏନେଇ ଖୁବଶୀଘ୍ର ସମାଧାନ ନକରିଲେ ରାଜରାସ୍ତାକୁ ଓହ୍ଲାଇବାର ଚେତାବନୀ ଦେଇଛନ୍ତି ଚାଷୀମାନେ ।