ଏମିତି ବି ଅଛନ୍ତି ଫ୍ୟାନ୍! ଷ୍ଟାଡିୟମ ଭିତରକୁ ଛାଡ଼ିଲେନି ବୋଲି କ୍ରେନରେ ଚଢ଼ି ନିଜ ପ୍ରିୟ ଟିମର ଦେଖିଲେ ମ୍ୟାଚ, ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

45

ଅନେକ ସମୟରେ ନିଜ ପ୍ରିୟ ଟିମ୍ ପାଇଁ ଫ୍ୟାନ ମାନେ ଏମିତି କିଛି କାମ କରିଥାନ୍ତି ଯାହା ତାଙ୍କୁ ଚର୍ଚ୍ଚାରେ ରଖିଥାଏ । ସେ ପଡ଼ିଆ ଭିତରେ ହେଉ ଅବା ବାହାରେ । ଆଇପିଏଲରେ ମଧ୍ୟ ଏହାର ଝଲକ ଅନେକ ସମୟରେ ଦେଖିବାକୁ ମିଳିଛି । କିନ୍ତୁ କ୍ରିକେଟ ଅପେକ୍ଷା ଫୁଟବଲ ଖେଳରେ ଫ୍ୟାନ ମାନଙ୍କର ଅଧିକ ପାଗଳାମୀ ଦେଖିବାକୁ ମିଳେ । ନିଜ ଟିମ୍ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି ଫୁଟବଲ ଫ୍ୟାନ । ଏପରିକି ନିଜ ପ୍ରିୟ ଟିମର ଗୋଟିଏ ବି ମ୍ୟାଚ ମିସ କରନ୍ତି ନାହିଁ ଏଭଳି ଫୁଟବଲ ଫ୍ୟାନ । କିନ୍ତୁ କ୍ରେନ ଉପରେ ଛିଡ଼ା ହୋଇ ନିଜ ପ୍ରିୟ ଟିମର ମ୍ୟାଚ ଦେଖିବା ହୁଏତ କୌଣସି ଫ୍ୟାନ କରିନଥିବେ । ଆଉ ଏଭଳି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ତୁର୍କୀରେ ଜଣେ ଫୁଟବଲପ୍ରେମୀ ଏଭଳି କରି ଏବେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

ନିଜ ପ୍ରିୟ ଟିମର ମ୍ୟାଚ ଦେଖିବା ପାଇଁ କ୍ରେନ ଉପରେ ଚଢ଼ିଲେ ଫୁଟବଲ ପ୍ରେମୀ । ତୁର୍କୀର ୟାମୁକ ଅଲ୍ଲୀ ନାମକ ଜଣେ ବ୍ୟକ୍ତି କ୍ରେନ ଉପରେ ଚଢ଼ି ନିଜ ପ୍ରିୟ ଟିମ ଡିନିଜିସ୍ପୋର ଫୁଟବଲ କ୍ଲବର ମ୍ୟାଚ ଦେଖିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ତେବେ ୟାମୁକ ଅଲ୍ଲୀ କଣ ପାଇଁ ଷ୍ଟାଡିୟମରେ ମ୍ୟାଚ ନ ଦେଖି କ୍ରେନ ଉପରେ ମ୍ୟାଚ ଦେଖିଲେ ତାହା ପଛର କାରଣ ବେଶ ରୋମାଞ୍ଚକର ।

ୟାମୁକ ଅଲ୍ଲୀ ଡିନିଜିସ୍ପୋର ଫୁଟବଲ କ୍ଲବର ଏକ ବଡ଼ ଫ୍ୟାନ । ତେବେ ଯେଉଁ ଷ୍ଟାଡିୟମରେ ଡ଼ିନିଜିସ୍ପୋର କ୍ଲବ ଫୁଟବଲ ଖେଳିବାକୁ ସ୍ଥିର ହୋଇଥିଲା ସେଠାରେ ଖରାପ ବ୍ୟବହାର ପାଇଁ ୟାମୁକଙ୍କ ପ୍ରବେଶ ଉପରେ ଗୋଟିଏ ବର୍ଷ ବ୍ୟାନ ଲଗାଯାଇଥିଲା । କିନ୍ତୁ ନିଜ ପ୍ରିୟ କ୍ଲବର ମ୍ୟାଚକୁ ମିସ କରିବାକୁ ଚାହୁଁନଥିଲେ ୟାମୁକ । ଖାସ ମ୍ୟାଚ ଦେଖିବା ପାଇଁ ଏକ ନୂଆ ଉପାୟ ଆପଣାଇଥିଲେ ୟାମୁକ । ଏକ କ୍ରେନ ଭଡ଼ା ନେଇ ତାହାକୁ ଷ୍ଟାଡିୟମ ବାହାରେ ପାର୍କିିଂ କରିଥିଲେ । ଆଉ ଏହି କ୍ରେନ ଉପରେ ଚଢ଼ି ପଡ଼ିଆରେ ମ୍ୟାଚ ଦେଖିଥିଲେ ୟାମୁକ ।


କ୍ରେନ ଉପରେ ୟାମୁକଙ୍କୁ ଦେଖି ଅନେକ ଫୁଟବଲ ପ୍ରେମୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏପରିକି କ୍ରେନ ଉପରେ ମ୍ୟାଚ ଦେଖୁଥିବା ବେଳେ ନିଜ ପ୍ରିୟ ଟିମକୁ ଚିୟରଅପ କରିବାକୁ ଆଦୌ ଭୁଲିନଥିଲେ ୟାମୁକ । ତେବେ ଖେଳ ମଝିରେ ପୋଲିସ ପହଞ୍ଚି କ୍ରେନକୁ ହଟାଇ ଦେଇଥିଲା । ଏହି ମ୍ୟାଚରେ ବିଜୟ ହୋଇଥିଲା ୟାମୁକଙ୍କ ଟିମ୍ । ତେବେ ମ୍ୟାଚ ପରେ ପରେ ସୋସିଆଲ ମିିଡ଼ିଆରେ ଷ୍ଟାର ପାଲଟିଯାଇଥିଲେ ୟାମୁକ । କ୍ରେନରେ ମ୍ୟାଚ ଦେଖୁଥିବା ବେଳେ ଏହାର ଭିଡ଼ିଓ ସୁଟିଂ କରି କିଛି ଦର୍ଶକ ସୋସିଆଲ ମିଡ଼ିଆରେ ଛାଡ଼ିଥିଲେ । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।