କନକ ବ୍ୟୁରୋ : ତୁର୍କୀରେ ଭୟଙ୍କର ଭୂମିକମ୍ପରେ ଉଜୁଡିଯାଇଛି ଅନେକ ଧନ ସମ୍ପତ୍ତି । ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ବର୍ତ୍ତମାନ୍ ଏପରି ପରିସ୍ଥିତି ହୋଇଯାଇଛି ଯେ, ଶବ ପୋତିବା ପାଇଁ ସ୍ଥାନ ମିଳୁନି । ଗୋଟିଏ ସହରରେ ୫ହଜାର ଶବକୁ ପୋତାଯାଇଥିବା ବେଳେ ଆଉ ଶବ ପୋତିବା ପାଇଁ ସ୍ଥାନ ମିଳୁନି ।

Advertisment

ତୁର୍କୀ ଓ ସିରିଆରେ ଫେବୃଆରୀ ୬ତାରିଖରେ ୭.୮ ତିବ୍ରତାର ସହ ଭୟଙ୍କର ଭୂମିକମ୍ପ ସବୁକିଛିରୁ ଉଜାଡି ଦେଇଛି । ଏବେ ସୁଦ୍ଧା ୩୩ହଜାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଭୂମିକମ୍ପରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଶବକୁ କାର ଏବଂ ଭ୍ୟାନ୍ ସାହାଯ୍ୟରେ କବରଖାନାକୁ ନିଆଯାଉଛି । ଶବ ବୋହୁଥିବା ଗାଡି ଦିନ ରାତି କାମରେ ଲାଗିଛି । କାହିଁକି ନା ଭୂମିକମ୍ପରେ ହଜାର ହଜାର ଲୋକଙ୍କ ଜୀବନ ଯାଇଛି ।

ତେବେ ଶବ ପୋତିବା ଦାୟିତ୍ୱରେ ନିୟୋଜିତ ଥିବା କର୍ମୀଙ୍କ କହିବା ଅନୁସାରେ, ତୁର୍କୀରେ ଶବ ସଂଖ୍ୟା ଲଗାତାର ବଢିବାରେ ଲାଗିଛି । ପ୍ରତିଟି ସହରର ରାସ୍ତା କଡରେ ବଡ ବଡ ବିଲ୍ଡିଂର ଧ୍ୱଂଶାବଶେଷ ପଡିରହିଛି । ସେଥିରୁ ଏବେ ବି ଲୋକଙ୍କ ଶବକୁ ବାହାର କରିବା କାର୍ଯ୍ୟ ଜାରି ରହିଛି । ଅନେକ ଲୋକ ୧୦୦ ଘଣ୍ଟା ମାଟି ତଳେ ପୋତି ହୋଇ ରହିବା ପରେ ବି ନିଜକୁ ବଞ୍ଚାଇ ରଖିବାରେ ସଫଳ ହୋଇଛନ୍ତି । ୧୦୦ ଘଣ୍ଟା ପରେ ବି ଜୀବନ୍ତ ଲୋକଙ୍କୁ ଏହି ଧ୍ୱଂଶାବଶେଷ ତଳୁ ଲୋକଙ୍କୁ ଉଦ୍ଧାର କରାଯାଉଛି । କିନ୍ତୁ ଅସୁବିଧାର କଥା ଏହା ଯେ, ଭୂମିକମ୍ପରେ ହଜାର ହଜାର ଲୋକଙ୍କ ଜୀବନ ଯାଇଥିବାରୁ ଶବ ପୋତିବାକୁ କବରଖାନାରେ ସ୍ଥାନ ମିଳୁନି ।