କନକ ବ୍ୟୁରୋ: ତୁର୍କୀ ଓ ସିରିୟାର ୧୩ରୁ ଅଧିକ ସହ ଏବେ ଧ୍ୱଂସସ୍ତୁପରେ ପରିଣତ ହୋଇଛି । ସେହି ଭଗ୍ନସ୍ତୁପ ତଳୁ ବିପନ୍ନ ଲୋକଙ୍କୁ ଉଦ୍ଧାର ଉଦ୍ୟମ ଜାରି ରହିଛି । ଆଉ ଉଦ୍ଧାର ସମୟରେ ଭାବପ୍ରବଣ କରିଦେଲା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି ।

ଉଦ୍ଧାର ପରେ ଏହି କୁନି ପୁଅର ଖୁସିକୁ ଦେଖନ୍ତୁ । ଦୀର୍ଘ ୫୩ଘଂଟା ଅଟ୍ଟାଳିକାର ଭଗ୍ନାବଶେଷ ତଳେ ଫସିଥିବା ଏହି ଶିଶୁ ଉଦ୍ଧାର ପରେ ବାପାକୁ ପାଖରେ ବାପାଙ୍କ ଗାଲକୁ ଚିପି ଦେଉଛି । ଆଉ ଖୁସିରେ ଆତ୍ନହରା ହୋଇପଡୁଛନ୍ତି ବାପା ଓ ଉଦ୍ଧାରକାରୀ ଦଳ ।

ଭଗ୍ନସ୍ତୁପ ତଳୁ ଦୀର୍ଘ ୧୨୮ ଘଂଟା ପରେ ଉଦ୍ଧାର ହେଲା ୨ ମାସର ଶିଶୁ । ତୁର୍କୀର ହଟାୟ ସହରରେ ଦେଖିବାକୁ ମିଳିଛି ଏହି ଚମକ୍ରାର । ଭଙ୍ଗା ଅଟ୍ଟାଳିକା ତଳେ ଶିଶୁଟି ୫ ଦିନ ରହି ମୃତ୍ୟୁ ସହ ସଂଘର୍ଷ କରିବା ପରେ ଦେବଦୂତ ସାଜି ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ ।

ସେହିପରି ଦୀର୍ଘ ୪ ଦିନ କାଳ ଭଗ୍ନାବଶେଷ ତଳେ ଫସିରହିଥିବା ଏକ ଦେଢ ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ । ଚାରି ପ୍ରସ୍ତ କଂକ୍ରିଟ ଚାଦରକୁ କାଟି ଶିଶୁକୁ ଉଦ୍ଧାର କରାଯାଇଛି ।

ଦୀର୍ଘ ୧୨୦ ଘଂଟା କାଳ କଂକ୍ରିଟ ଚାଦର ତଳେ ମୃତ୍ୟୁ ସହ ସଂଗ୍ରାମ କରି ଦେଢ ମାସର ଶିଶୁଟି ମୃତ୍ୟୁକୁ ମାତ ଦେଇଛି । ଶିଶୁଟି ପାଇବା ପରେ ଖୁସିରେ କାନ୍ଦି ପକାଇଛନ୍ତି ପରିବାର ଲୋକେ । ତୁର୍କୀ ଓ ସିରିୟାରେ ଭୂମିକମ୍ପର ବିଭୀଷିକା । ପ୍ରାକୃତିକ ବିପର୍ଯ୍ୟୟର ବିକଟାଳ ରୂପ ଦେଖୁଛି ସାରା ବିଶ୍ୱ ।

ଭୟଙ୍କର ଭୂକମ୍ପକୁ ୭ ଦିନ ବିତିସାରିଥିଲା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରବଳ ଥଣ୍ଡା ସତ୍ୱେ ଉଦ୍ଧାରକାରୀ ଦଳ ଅଟ୍ଟାଳିକା, ଆପାର୍ଟମେଂଟର ଭଗ୍ନସ୍ତୁପ ତଳେ ଫସିରହିଥିବା ଲୋକଙ୍କୁ ଉଦ୍ଧାର ଉଦ୍ୟମ କରୁଛନ୍ତି । ଉଦ୍ଧାର କାର୍ଯ୍ୟ ଯେତେ ଆଗଉଛି, ମୃତ୍ୟୁ ସଂଖ୍ୟା ସେତେ ବଢୁଛି । ତୁର୍କୀ ଓ ସିରିୟାରେ ଏବେ ମୃତ୍ୟ ସଂଖ୍ୟା ପାଖପାଖି ୩୦ହଜାର ହେଲାଣି । ତୁର୍କୀରେ ମୃତକଙ୍କ ସଂଖ୍ୟା ପ୍ରାୟ ୨୫ ହଜାର ଓ ସିରିୟାରେ ମୃତ୍ୟୁ ସଂଖ୍ୟା ୪ ହଜାର ଟପିଛି । ସପଟେ ଜାତିସଂଘ ତୁର୍କୀ ଓ ସିରିୟାରେ ମୃତ୍ୟୁ ସଂଖ୍ୟା ୫୦ ହଜାର ଟପିବ ବୋଲି ଆଶଙ୍କା ପ୍ରକାଶ କରିଛି ।

ଭୂମିକମ୍ପ ଭଳି ପ୍ରାକୃତିକ ବିପତି ତୁର୍କୀ ଓ ସିରିୟାôକୁ ଅସହାୟ କରିଦେଇଛି । କ୍ଷତିଗ୍ରସ୍ତ ଓ ପ୍ରଭାବିତଙ୍କ ଉଦ୍ଧାର, ସହଯୋଗ ପାଇଁ ବିଭିନ୍ନ ରାଷ୍ଟ୍ର ଆଗେଇ ଆସିଛନ୍ତି । ଆଉ ଏପରି ସମୟରେ ପ୍ରଭାବିତ ଲୋକଙ୍କୁ ଲୁଟପାଟ କରୁଥିବା ଅଭିଯୋଗରେ ୪୮ ଜଣ ଲୁଟେରାଙ୍କୁ ଗିରଫ କରିଛି ତୁର୍କୀ ପୁଲିସ ।

ଭୂମିକମ୍ପ ତୁର୍କୀ ଓ ସିରିୟାରେ ପ୍ରାୟ ୨୬ ମିଲିୟନ ଲୋକ ପ୍ରଭାବିତ ହୋଇଛନ୍ତି । କେବଳ ତୁର୍କୀରେ ୫ ମିଲିୟନ ଲୋକଙ୍କୁ ବାସହରା କରିଦେଇଛି ଏହିି ପ୍ରାକୃତିକ ବିପର୍ଯ୍ୟୟ । ଏପଟେ ଭାରତ ପକ୍ଷରୁ ତୁର୍କୀକୁ ୨୩ ଟନ ରିଲିଫ ସାମଗ୍ରୀ ଏବଂ ଔଷଧ ପଠାଯାଇଛି ।