ଭୟଙ୍କର ଭୂକମ୍ପ ପରେ ରାସ୍ତା ସାରା ଶବ ଆଉ ଶବ । ଶ୍ମଶାନ ପାଲଟିଛି ସହର । ଚାପି ରହିଥିବା ଜୀବନମାନେ କରୁଛନ୍ତି ଚିତ୍କାର…

284

କନକ ବ୍ୟୁରୋ: ସହର ସବୁ ଶ୍ମଶାନ ପାଲଟି ଯାଇଛି । ବଡ ବଡ ଅଟ୍ଟାଳିକା ତାସ ଘର ପରି ଭୁଶୁଡି ପଡିଛି । ହଠାତ୍ ମୃତ୍ୟୁ ମାଡିଆ ଆସିବା ପରେ ଜୀବନ ମାଟିରେ ମିଶି ଯାଇଛି । ଆଖି ଆଗରେ ଗୋଟେ ମୃତ୍ୟୁର ତାଣ୍ଡବ ଦେଖିଥିବା ତୁର୍କୀବାସୀ ଭୟଙ୍କର ଭୂକମ୍ପରେ ଅନେକ କିଛି ହରାଇ ସାରିଛନ୍ତି । କିଏ ବାପାକୁ ହରାଇଛି ତ କିଏ ମାଆକୁ ହରାଇଛି । ପୁଣି କିଏ ଭାଇଭଉଣୀକୁ ହରାଇ ହତବାକ୍ ହୋଇଛି । ଜୀବନ- ମୃତ୍ୟୁର ଦୋଛକିରେ ବି ଅନେକ ଅଟକି ରହିଛନ୍ତି । ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନେ ଶବ ପାଲଟି ଯାଇଛନ୍ତି । ମାତ୍ର ଯେଉଁମାନେ ବଞ୍ଚି ଯାଇଛନ୍ତି ସେମାନେ ନିଜକୁ ଶ୍ମଶାନରେ ଆବିଷ୍କାର କରୁଛନ୍ତି ।

ତୁର୍କୀ ସହରର ଶେଷ ରାତି, ମୃତ୍ୟୁର ରାତି । ଏମିତି ରାତି ବୋଧହୁଏ କେବେ କେହି କଳ୍ପନା କରି ନଥିଲେ । ନୂଆ ସକାଳ ଅପେକ୍ଷାରେ ଥିବା ଆଖି, ଆଉ ସକାଳ ଦେଖିନଥିଲା । ଅନ୍ଧାରରୁ ଆରପାରିକୁ ଚାଲିଯାଇଥିଲା ଜୀବନ, ମାଟି ସିମେଣ୍ଟର କାନ୍ଥରେ ଚାପି ହୋଇ ଯାଇଥିଲା ମଣିଷ । ସମୟ ପାଖାପାଖି ଭୋର ୪ଟା ହେବ । ସମସ୍ତେ ନିଘୋଡ ନିଦରେ ଶୋଇଥିବା ବେଳେ ଅଚାନକ ଘରଦ୍ୱାର ଥରିବାକୁ ଲାଗିଲା । ଘରୁ ଉଠି ବାହାରେ ଦେଖିବା ବେଳକୁ ସବୁ ଭୁଶୁଡି ପଡୁଥିଲା । ମୃତ୍ୟୁ ଭୟଙ୍କର ରୂପ ନେଇ ମାଡି ଆସୁଥିଲା । ଜୀବନ ବଞ୍ଚାଇବା ପାଇଁ କାହା ପାଖରେ ସୁଯୋଗ ବି ନଥିଲା । ଆଖି ସାମ୍ନାରେ ସମସ୍ତେ ଆବୋରି ନେଉଥିଲେ ମୃତ୍ୟୁକୁ…

ଏ ଫଟୋକୁ ଦେଖନ୍ତୁ । ଓଃ କେତେ ଦାରୁଣ ଏ ଦୃଶ୍ୟ । ମୁଣ୍ଡ ଉପରେ ମୃତ୍ୟୁ ମାଡି ବସିଛି । ଭଙ୍ଗା ଘର ତଳେ ଜୀବନ ଚାପି ହୋଇ ଛଟପଟ ହେଉଛି । ଆଉ ତାରି ଭିତରେ ଭାଇ ପ୍ରତି ଥିବା ଭଲପାଇବା ଆଉ କର୍ତ୍ତବ୍ୟକୁ ଭୁଲି ନାହିଁ ଏ କୁନି ଝିଅ । ନିଜେ ଚାପି ହୋଇଥିଲେ ବି ତା ଭାଇ ପାଇଁ ସେ ସାଜିଛି ସୁରକ୍ଷା କବଚ । ପ୍ରତି ମୁହୂର୍ତ୍ତରେ ଜୀବନକୁ ମୃତ୍ୟୁ ଧମକ ଦେଉଥିବା ବେଳେ ଭାଇ- ଭଉଣୀ ୨ ଜଣ ଭଗବାନକୁ ଉଦ୍ଧାର ପାଇଁ ଭିକ୍ଷା ମାଗୁଛନ୍ତି ।

ଏଠି ଦେଖନ୍ତୁ ଆତ୍ମୀୟ ସ୍ୱଜନଙ୍କୁ ହରାଇ ତାଙ୍କ ଶବ ବହି ନେଲା ବେଳେ କେମିତି ଛାତିଫଟା ଚିକ୍ରାର କରୁଛନ୍ତି ଏ ଯୁବକ ଜଣଙ୍କ । ମୃତ୍ୟୁ ବାପାମାଆଙ୍କ ଠାରୁ ଛୁଆକୁ ଅଲଗା କରିଦେଇଛି । ଆଉ ଭୟରେ ତଣ୍ଟି ଶୁଖି ଯାଉଛି । ଶୋଷ ଥିଲେ ବି ସାମ୍ନାରେ ଥିବା ପାଣି ବୋତଲ ଦେଖି ପିଇପାରୁନି । ହାତ ବଢାଉଛି, ହେଲେ ହାତ ପାଉନି । ମୃତ୍ୟୁର ଆଁରୁ ଅଳ୍ପକେ ବର୍ତ୍ତି ଯାଇଛି ଏ ପିଲା । ବୋଧେ ଯମ ଦୟା କରି ଛାଡି ଦେଇଛି । ହେଲେ ତାଠୁ ବାକି ସବୁ ଛଡେଇ ନେଇଛି । ବାପାମାଆ, ପରିବାରକୁ ଏ ଭଗ୍ନ ସହରରେ କେଉଁଠି ପାଇବ । ସହରକୁ ସେ ଯେମିତି ଦେଖିଥିଲା ତାର ଚିତ୍ର ବଦଳିଯାଇଛି । ଚିହ୍ନ ସହର ତାକୁ ଏବେ ଅଚିହ୍ନ ଲାଗୁଛି । ତେଣୁ ଭୟରେ କାନ୍ଦୁଛି କଅଁଳ ଶିଶୁ । ତୁର୍କୀରେ ଭୟଙ୍କର ଭୁକମ୍ପ ଏଯାଏଁ ପ୍ରାୟ ୫ ହଜାର ଲୋକଙ୍କ ଜୀବନ ନେଇସାରିଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ଆଉ ୟାରି ଭିତରେ ଏ ହୃଦୟଥରା ଛବି ଛାତିକୁ ଦୋହଲାଇ ଦେଉଛି ।