ଦିଲ୍ଲୀ ବିଧାନସଭା ତଳୁ ମିଳିଲା ଗୁପ୍ତ ସୁଡଙ୍ଗ, ଲାଲକିଲ୍ଲା ପର୍ଯ୍ୟନ୍ତ ଯାଇଛି ଗୁପ୍ତ ରାସ୍ତା

276

କନକ ବ୍ୟୁରୋ : ଦିଲ୍ଲୀ ବିଧାନସଭାରେ ଗୁରୁବାର ଦିନ ଏକ ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି । ବିଧାନସଭା ଗୃହ ମଧ୍ୟରେ ଏକ ସୁଡଙ୍ଗ ଥିବା ଜଣାପଡିଛି । ଏହି ସୁଡଙ୍ଗ ଦେଇ ଏକ ଲମ୍ବା ରାସ୍ତା ଲାଲକିଲ୍ଲା ପର୍ଯ୍ୟନ୍ତ ବ୍ୟାପିଥିବା କୁହାଯାଇଛି । ଏନେଇ ଦିଲ୍ଲୀ ବିଧାନସଭାର ବାଚସ୍ପତି ରାମ ନିବାସ ଗୋଏଲ କହିଛନ୍ତି ଏହି ସୁଡଙ୍ଗ ବିଧାନସଭାରୁ ଲାଲ କିଲ୍ଲାକୁ ଯୋଡି ହୋଇଛି । ଦେଶ ପରାଧୀନ ଥିବା ବେଳେ ସ୍ୱାଧୀନତା ସଂଗ୍ରାମୀ ଓ ସାଧାରଣ ଲୋକଙ୍କ ଆକ୍ରୋସରୁ ରକ୍ଷା ପାଇବାକୁ ଇଂଗ୍ରେଜମାନେ ଏହାର ବ୍ୟବହାର କରିଥିବା ସେ କହିଛନ୍ତି ।

ରାମ ନିବାସ ଗୋଏଲ ଆହୁରି କହିଛନ୍ତି କି, “ମୁଁ ଯେତେବେଳେ ୧୯୯୩ ମସିହାରେ ପ୍ରଥମଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭାକୁ ଆସିଲି ସେତେବେଳେ ଏନେଇ ବି କିଛି ଉଡା ଖବର ମିଳିଥିଲା । ସେତେବେଳେ ଏହି ସୁଡଙ୍ଗ ଲାଲକିଲ୍ଲା ପର୍ଯ୍ୟନ୍ତ ବ୍ୟାପିଥିବା କୁହାଯାଇଥିଲା । ଏହାପରେ ଏହାର ଇତିହାସ ଖୋଜିବାକୁ ଚେଷ୍ଟା କରି ମୋତେ କିଛି ସ୍ପଷ୍ଟତା ମିଳିନଥିଲା ।”

ବାଚସ୍ପତି କହିଛନ୍ତି କି ଏବେ ଆମକୁ ସୁଡଙ୍ଗର ମୁହଁ ମିଳିଯାଇଛି, ହେଲେ ମେଟ୍ରୋ ପରିଯୋଜନା ଫଳରେ ସୁଡଙ୍ଗର ସବୁ ରାସ୍ତା ବନ୍ଦ ହୋଇଯାଇଥିବାରୁ ଏହାକୁ ଖୋଳାଯାଇ ପାରିବ ନାହିଁ । ଅନ୍ୟପଟେ ସେ ଆହୁରି କହିଛନ୍ତି କି ଏବେ ଯେଉଁ ଗୃହରେ ଦିଲ୍ଲୀ ବିଧାନସଭା ଚାଲିଛି ତାହା ୧୯୧୨ ମସିହାରେ ଦେଶର ରାଜଧାନୀ କୋଲକତାରୁ ଦିଲ୍ଲୀ ସ୍ଥାନାନ୍ତର ହେବା ପରେ କେନ୍ଦ୍ରୀୟ ବିଧାନସଭା ଭାବେ ବ୍ୟବହାର କରାଯାଉଥିଲା । ଏହାପରେ ୧୯୨୬ ରେ ଏହାକୁ ଏକ ଅଦାଲତ ଭାବେ ବ୍ୟବହାର କରାଗଲା । ଇଂଗ୍ରେଜମାନେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅଦାଲତକୁ ଆଣିବା ପାଇଁ ଏହି ରାସ୍ତା ବ୍ୟବହାର କରାଯାଉଥିଲା ।

ଗୋଏଲଙ୍କ କହିବା ମୁତାବକ ଏହା ମଧ୍ୟରେ ଏକ ଫାଶିଗୃହ ଥିବା କଥା ଆମେ ସମସ୍ତେ ଜାଣିଥିଲୁ, ହେଲେ ତାହା କେବେ ବି ଖୋଲା ହୋଇ ନାହିଁ । ସ୍ୱାଧୀନତାର ୭୫ ତମ ଉତ୍ସବରେ ସେ ଏହାକୁ ନିରୀକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିବା କଥା କହିଛନ୍ତି । ଏହି ଗୃହକୁ ସେ ସ୍ୱାଧୀନତା ସଂଗ୍ରାମୀଙ୍କ ମନ୍ଦିର ଭାବେ ବଦଳାଇ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଚାହୁଁଥିଲେ ବୋଲି କହିଛନ୍ତି ।