ଉତ୍ତରକାଶୀରେ ଟନେଲ ଭୁଶୁଡିବା ଘଟଣା: ଫଶି ରହିଛନ୍ତି ୫ ଓଡ଼ିଆ ଶ୍ରମିକ

103

କନକ ବ୍ୟୁରୋ: ଟନେଲ ଦୁର୍ଘଟଣାରେ ଫସି ରହିଛନ୍ତି ୫ ଜଣ ଓଡିଆ ଶ୍ରମିକ । ଗତକାଲି ଟନେଲ କାର୍ଯ୍ୟ ଚାଲୁଥିବା ବେଳେ ଭୁଷୁଡି ପଡିଥିଲା ନିର୍ମାଣଧିନ ଟନେଲ । ୨୪ ଘଂଟା ବିତିଯାଇଥିଲେ ବି ସେମାନଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ । ମାଟି ଓ ପଥର ଅତଡା ଦେଇ ସେମାନଙ୍କୁ ଟନେଲ ଭିତରେ ଅକ୍ସିଜେନ୍ ଯୋଗାଇ ଦିଆଯାଉଛି । କିନ୍ତୁ ଫଶିରହିଥିବା ଶ୍ରମିକଙ୍କ ପାଖରେ ଉଦ୍ଧାରକାରୀ ଟିମ ପହଂଚି ପାରିନାହାନ୍ତି । ଶ୍ରମିକଙ୍କ ଉଦ୍ଧାର ଉପରେ ନଜର ରଖିଛନ୍ତି ଓଡ଼ିଶା ସରକାର । ଆଉ ଏହି ଖବର ପଂହଚିବା ପରେ ଶ୍ରମିକ ଘରେ ଅଚାନକ ଦୁଃଖ ମାଡିଆସିଛି ।

ଯଦିଓ ଟନେଲ ଭିତରେ ଫଶୀ ରହିଥିବା ଶ୍ରମିକମାନେ ସୁରକ୍ଷିତ ଅଛନ୍ତି ଏବଂ ତାଙ୍କ ପାଖକୁ ଅକ୍ସିଜେନ ଓ ଖାଦ୍ୟ ପହଂଚାଉଛି, ତଥାପି ସମୟ ଗଡୁଥିବାରୁ ଅନେକ ଆଶା-ଆଶଙ୍କା ସୃଷ୍ଟି ହୋଇଛି । ସମୟ ଯେତେ ଗଡୁଛି, ଟନେଲରେ ଫଶି ରହିଥିବା ଶ୍ରମିକଙ୍କ ପରିବାର ଲୋକଙ୍କ ମଧ୍ୟରେ ସେତେ ଭୟ ବଢୁଛି ।

– ଧିରେନ ନାୟକ, ବେଢ଼ାକୁଦର, ମୟୁରଭଞ୍ଜ
– ବିଶେଶ୍ୱର ନାୟକ, ଯୋଗୀବନ୍ଧ, ମୟୁରଭଞ୍ଜ
– ରାଜୁ ନାୟକ, କୁଲଡ଼ିଆ, ମୟୁରଭଞ୍ଜ
– ଭଗବାନଭତ୍ରା, ନବରଙ୍ଗପୁର (ସିଲାଇଟି)
– ତପନ ମଣ୍ଡଳ, ଶଙ୍କର୍ଷଣପୁର (ସିଲାଇଟି)

୫ ଜଣ ଓଡ଼ିଆ ଶ୍ରମିକ, ଯେଉଁମାନେ ଉତରାଖଣ୍ଡର ଉତରକାଶୀରେ ନିର୍ମାଣଧୀନ ଟନେଲ ଦୁର୍ଘଟଣାରେ ଫସି ରହିଛନ୍ତି । ଟନେଲ ଭିତରେ ଘରର ସଦସ୍ୟ ଫଶି ରହିଥିବା ଖବର ଯେତେବେଳେ ଆସିଛି, ପରିବାର ଲୋକଙ୍କ ଭିତରେ ଆଶା-ଆଶାଙ୍କାର କଳାବାଦଳ ଘେରିଯାଇଛି । ବିଶେଶ୍ୱର ନାୟକଙ୍କ ବୟସ୍କ ମା’-ବାପା । ପୁଅ, ବିଷୟର ଜାଣିବା ପରେ ଆଖିରୁ ଲୁହ ଶୁଖୁନି । ଠାକୁରଙ୍କୁ ଡାକୁଛନ୍ତି ଯେମିତି ହେଉ ତାଙ୍କ ପୁଅକୁ ସୁରକ୍ଷିତ ଫେରାଇ ଆଣନ୍ତୁ । ସମାନ ଚିତ୍ର କୁଲଡିହା ଗାଁରୁ ବି ଆସିଛି । ପେଟ ପାଟଣା ପାଇଁ ଘର ଛାଡ଼ି ଯାଇଥିବା ରାଜୁ ନାୟକଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି, ମା’ ସୁକାନ୍ତି ନାୟକ ।

କେବଳ ଏହି ଦୁଇ ପରିବାର କାହିଁକି, ବେଢ଼ାକୁଦରର ଧିରେନ ନାୟକଙ୍କ ପରିବାର ଲୋକଙ୍କ ମନରେ ବି ଭୟ ଛୁଇଁଛି । କ’ଣ ହେବ, କେମିତି ପୁଅ ଘରକୁ ଫେରିବ ସେ କଥା ଭାବିଲା ବେଳକୁ ମା’ଙ୍କ ଆଖିରୁ ଲୁହ ଝରି ଆସୁଛି । ଏସବୁ ଭିତରେ ଯେଉଁ ଟନେଲରେ ଶ୍ରମିକମାନେ ଫଶି ରହିଛନ୍ତି, ସେଠି କାମ କରିବା କେତେ ଆହ୍ୱନପୂର୍ଣ୍ଣ, ସେ ବିଷୟରେ ନିଜର ଅଭିଜ୍ଞତା କହିଛନ୍ତି, ସେହି ବେଢ଼ାକଦୁର ଗାଁର ଶୁଭାକର ।

ଉତରକାଶୀରେ ଫଶି ରହିଥିବା ଓଡ଼ିଆ ଶ୍ରମିକଙ୍କ ଉଦ୍ଧାର ଉପରେ ନଜର ରଖିଛନ୍ତି ଓଡ଼ିଶା ସରକାର ଓ ପ୍ରଶାସନ । କେମିତି ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ, ତା ଉପରେ ଧ୍ୟାନ ଦିଆଯାଉଥିବା କହିଛନ୍ତି ଶ୍ରମ ମନ୍ତ୍ରୀ ।

ସବୁଠାରୁ ଆଶ୍ୱସ୍ତକର ବିଷୟ ହେଉଛି, ଟନେଲ ଭିତରେ ଫଶୀ ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଭରପୁର ପ୍ରୟାସ କରାଯାଉଛି । ସେମାନଙ୍କ ପାଖକୁ ଖାଦ୍ୟ ଓ ଅକ୍ସିଜେନ୍ ପଠାଯାଉଛି । ସେହିପରି ବନ୍ଦ ଥିବା ରାସ୍ତା ସଫା କରି ଶ୍ରମିକଙ୍କ ପାଖରେ ପହଂଚିବା ପାଇଁ ଯୁଦ୍ଧକାଳୀନ ଭିତିରେ ଉଦ୍ୟମ ହେଉଛି ।