ଗାନ୍ଧୀଜୀଙ୍କ ପରିକଳ୍ପିତ ରେମୁଣାର ‘ତୁଣ୍ଡରା’ ଗାଁ: ଘଣ୍ଟା ବାଜିଲେ ଏକାଠି ହୋଇ ଗାଁ ସଫେଇ କରନ୍ତି, ସାମୂହିକ ସହଯୋଗରେ ସଜାଡ଼ି ହୋଇଛି ଗାଁ ପରିବେଶ

198

କନକ ବ୍ୟୁରୋ: ଗାଁ’ରେ ରହିଛି ଭାରତର ପ୍ରକୃତ ଆତ୍ମା। ମହାତ୍ମା ଗାନ୍ଧୀଙ୍କ ଏହି ପଦକ କଥା ଆଜି ବି ବଡ଼ ବଡ଼ ଅର୍ଥନୀତିଜ୍ଞ, ରାଜନୀତିଜ୍ଞ ଓ ବୁଦ୍ଧିଜୀବୀଙ୍କୁ ଆନ୍ଦୋଳିତ କରୁଛି। ଗାଁ କଥା କହିବାକୁ ଯାଇ ବାପୁ ସ୍ବଚ୍ଛତାକୁ ସର୍ବାଧିକ ଗୁରୁତ୍ବ ଦେଉଥିଲେ, ଯାହା ଆଜିର ଦିନରେ ଅନେକ ପ୍ରାସଙ୍ଗିକତା ବହନ କରୁଛି। ମହାତ୍ମାଙ୍କ ଏହି ପବିତ୍ର ବାଣୀକୁ ମୂଳମନ୍ତ୍ର ଭାବେ ଗ୍ରହଣ କରିଛନ୍ତି ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକର ତୁଣ୍ଡରା ଗ୍ରାମବାସୀ। ଗାଁ ଲୋକଙ୍କ ସାମୂହିକ ସହଯୋଗରେ ଗାଁ ପରିବେଶ ସବୁଜଶ୍ୟାମଳ ହେବା ସହ ଏକ ସ୍ବଚ୍ଛ ପରିବେଶ ସୃଷ୍ଟି ହୋଇପାରିଛି।

ବାଲେଶ୍ବର ଜିଲ୍ଲା ସଦର ମହକୁମାଠାରୁ ୧୭ କିମି ଦୂରରେ ରହିଛି ତୁଣ୍ଡରା ଗାଁ। ତୁଣ୍ଡରା ପଞ୍ଚାୟତର ୧୨ଟି ୱାର୍ଡରେ ପ୍ରାୟ ୮ ହଜାର ଲୋକ ବସବାସ କରନ୍ତି। ୨୦୧୭ ମସିହାରେ ଏହି ପଞ୍ଚାୟତର ସରପଞ୍ଚ ଭାବେ ଅଜୟ କୁମାର ବାରିକ ନିର୍ବାଚିତ ହେବା ପରେ ନିଜ ଅଞ୍ଚଳକୁ ସ୍ବଚ୍ଛ ରଖିବା ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ। ସାମାଜିକ କର୍ମୀ କାର୍ତ୍ତିକ ଚନ୍ଦ୍ର ବେହେରାଙ୍କ ସମେତ ପଞ୍ଚାୟତର ସମସ୍ତ ୱାର୍ଡସଭ୍ୟ, ସ୍ଥାନୀୟ ଚେତନା ସାମାଜିକ ସଂଗଠନର କର୍ମକର୍ତ୍ତା, ଗ୍ରାମର ଛାତ୍ରଛାତ୍ରୀଙ୍କ ସହିତ ସମସ୍ତ ଗ୍ରାମବାସୀ ଏକାଠି ହୋଇ ଅଣ୍ଟା ଭିଡ଼ିଥିଲେ। ସପ୍ତାହକୁ ଥରେ ରବିବାର ସକାଳ ବେଳା ସମସ୍ତଙ୍କୁ ଏକାଠି କରାଯିବା ପାଇଁ ନିଷ୍ପତ୍ତି ନିଆଗଲା। ଆଉ ସେବେଠାରୁ ଆଜି ପର୍ଯ୍ୟନ୍ତ ନିଜ ଅଞ୍ଚଳକୁ ନିର୍ମଳ ଓ ସ୍ବଚ୍ଛ ରଖିବାରେ ସକ୍ଷମ ହୋଇଛନ୍ତି ଗ୍ରାମବାସୀ।

ଗାଁ ଲୋକଙ୍କ କାମ ଦେଖିଲା ଭଳି। ସାପ୍ତାହିକ ସଫେଇ କାର୍ଯ୍ୟ ପାଇଁ ରବିବାର ସକାଳେ ପ୍ରଥମେ ଜଣେ ବ୍ୟକ୍ତି ଗାଁ ଦାଣ୍ଡରେ ଘଣ୍ଟା ବଜାଇଥାନ୍ତି। ଆଉ ତା’ ପରେ କାହାକୁ ଦ୍ବିତୀୟ ଥର ପାଇଁ ଡାକିବାକୁ ପଡ଼େ ନାହିଁ। ପିଲାଠୁ ବୟସ୍କ ବ୍ୟକ୍ତି, ସଭିଏଁ ଲାଗିପଡ଼ିନ୍ତି ସଫେଇ କାମରେ। ହାତରେ କୋଡ଼ି, କୋଦାଳ, ଝାଡ଼ୁ, ଝୁଡ଼ି ଆଦି ସଫେଇ ସରଞ୍ଜାମ ଧରି ଗାଁ ଦାଣ୍ଡ ନାଳନର୍ଦ୍ଦମାକୁ ପରିଷ୍କାର କରିଥାନ୍ତି। ଲଗାତାର ୨ ଘଣ୍ଟା ଶ୍ରମଦାନ କରି ସମସ୍ତେ ପୁଣି ନିଜ ନିଜ ଘରକୁ ଫେରନ୍ତି। ଏଥିସହ ପ୍ରତିଦିନ ଲୋକଙ୍କ ଘରୁ ବାହାରୁଥିବା ବର୍ଜ୍ୟବସ୍ତୁଗୁଡ଼ିକୁ ଏତେତେଣେ ନ ପକାଇବା ପାଇଁ ସମସ୍ତଙ୍କୁ ସଚେତନ କରାଯିବା ସହ ପ୍ରତି ୱାର୍ଡରେ ଅଳିଆକୁଣ୍ଡର ବ୍ୟବସ୍ଥା କରାଯାଇଛି। ସାପ୍ତାହିକ ସଫେଇ କାର୍ଯ୍ୟ ପରେ ଏହି ଅଳିଆକୁଣ୍ଡରୁ ଅଳିଆଗୁଡ଼ିକୁ ବାହାର କରାଯାଇ ଗାଁର ବିଭିନ୍ନ କ୍ଷେତରେ ପକାଇ ଦିଆଯାଇଥାଏ। ଖାଲି ସେତିକି ନୁହେଁ, ସରପଞ୍ଚ ଶ୍ରୀ ବାରିକଙ୍କ ନେତୃତ୍ବରେ ଆଖପାଖ ଅଞ୍ଚଳରେ ବ୍ୟାପକ ବୃକ୍ଷରୋପଣ କରାଯାଇ ସବୁଜବନାନି ପରିବେଶ ସୃଷ୍ଟି କରାଯାଇଛି। ଏହାଛଡ଼ା ଗ୍ରାମର ଯୁବ ଗୋଷ୍ଠୀ ବିଭିନ୍ନ ସମୟରେ ରକ୍ତଦାନ ଶିବିର ସାଙ୍ଗକୁ ସାମାଜିକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରିଥାନ୍ତି। ସବୁଠୁ ବଡ଼ କଥା ହେଉଛି, ଖୋଦ୍ ଜିଲ୍ଲାପାଳ ଗ୍ରାମବାସୀଙ୍କ ପ୍ରଶଂସାରେ ଶତମୁଖ। ଗାଁ ବିଷୟରେ ଜାଣିବା ପରେ ସେ ଅନ୍ୟ ବିଭାଗୀୟ ଅଧିକାରୀମାନଙ୍କୁ ସାଙ୍ଗରେ ଧରି ତୁଣ୍ଡରା ଗାଁ ବୁଲିବା ସହ ଗ୍ରାମବାସୀ ଓ ପଞ୍ଚାୟତ ପ୍ରତିନିଧିଙ୍କୁ ଉତ୍ସାହିତ କରିଛନ୍ତି।

 

ଏଭଳି ନିଆରା ପଦକ୍ଷେପ ପାଇଁ ତୁଣ୍ଡରା ଗାଁ’କୁ ମିଳିଛି ଅନେକ ସମ୍ମାନ ଓ ପୁରସ୍କାର। ରେମୁଣା ବ୍ଲକ ପକ୍ଷରୁ ତୁଣ୍ଡରାକୁ ସ୍ବଚ୍ଛ ଗାଁ-ସୁସ୍ଥ ପଂଚାୟତ ଭାବେ ସମ୍ମାନିତ କରାଯାଇଥିବା ବେଳେ ଜିଲ୍ଲାସ୍ତରରେ ତୁଣ୍ଡରାକୁ ସୁସ୍ଥ ଗ୍ରାମ ଭାବେ ଘୋଷିତ କରାଯାଇଛି। ଏ ସଂପର୍କରେ ସରପଞ୍ଚ ଶ୍ରୀ ବାରିକଙ୍କୁ ପଚାରିବାରୁ ସେ ନିଜ ପ୍ରତିକ୍ରିୟାରେ କହିଥିଲେ, ଏକ ସୁନ୍ଦର ଗାଁ ସହ ସୁସ୍ଥ ବାତାବରଣ ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି। ଏହାକୁ ପାଥେୟ କରି ତୁଣ୍ଡରା ଗାଁ ଆଗକୁ ଯାଉଛି ବୋଲି ସେ କହିଥିଲେ।