ଗରିବ ମୁଣ୍ଡରେ ଚଡକ :୧୧ବର୍ଷର ପୁଅ ପେଟରେ ବଢୁଛି ଟ୍ୟୁମର

ଗରିବ ମୁଣ୍ଡରେ ଚଡକ :୧୧ବର୍ଷର ପୁଅ ପେଟରେ ବଢୁଛି ଟ୍ୟୁମର

vlcsnap-2016-08-27-16h34m17s579କନକ ବ୍ୟୁରୋ : ଶରୀର ତୁଳନାରେ ପେଟର ଆକାର ହୋଇ ଯାଇଛି ବହୁତ ବଡ। ପେଟର ଓଜନ ସଂଭାଳି ପାରୁନି ଗୋଡ। ଏପରି ଅବସ୍ଥାରେ ମେଡିକାଲରେ ପଡି ଛଟପଟ ହେଉଛି ୧୧ ବର୍ଷର ବାଳକ ଦୁର୍ଜନ। କାରଣ ପେଟ ଭିତରେ ରହିଛି ଏକ ବଡ ଟ୍ୟୁମର। ଏହା ହେଉଛି ନବରଂଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଝରିଗୁଡା ଗାଁ ଚିତର ଭତ୍ରାଙ୍କ ପୁଅର ଅବସ୍ଥା।

ପାଖରେ ଯାହା କିଛି ଟଙ୍କା ପଇସା ଥିଲା ପୁଅର ଚିକିତ୍ସା ପାଇଁ ସବୁ ସରିଲାଣି। ବିଭିନ୍ନ ପ୍ରକାର ଡାକ୍ତରୀ ପରୀକ୍ଷା କରାଇ ଚିତର ଏବେ ସର୍ବସ୍ୱାନ୍ତ। ଏପରିକି ହଳବଳଦ ବିକିବା ସହ ଯାହା କିଛି ଜମିବାଡି ଥିଲା ସେ ସବୁକୁ ବି ବନ୍ଧା ପକାଇ ସାରିଛନ୍ତି। କିନ୍ତୁ ଅର୍ଥାଭାବରୁ ପୁଅର ଅପରେସନ୍ ହୋଇପାରୁନି ବୋଲି କୋହଭରା କଣ୍ଠରେ କୁହନ୍ତି ଚିତର।

ଉମରକୋଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଏବେ ଦୁର୍ଜନଙ୍କ ଚିକିତ୍ସା ଆରମ୍ଭ ହୋଇଛି। ଏହାକୁ ଏସାଇଟିସ ରୋଗ ବୋଲି କହିଛନ୍ତି ଡାକ୍ତର। ବଢି ଚାଲିଥିବା ପେଟରୁ କିଛି ପାଣି ବାହାର କରାଯାଇଛି। ଆଉ ଟିକେ ସୁସ୍ଥ ହେଲେ ତାକୁ କୌଣସି ମେଡିକାଲ କଲେଜ୍ ପଠାଯିବ ବୋଲି ଡାକ୍ତର କହିଛନ୍ତି। ତେବେ ପାଠ ପଢା ବନ୍ଦ କରି ମେଡିକାଲ ବେଡରେ ଥିବା ଦୁର୍ଜନ କିନ୍ତୁ ବୁଝି ପାରୁନି ବାପାଙ୍କ ଆର୍ଥିକ ଅବସ୍ଥା। ଶୀଘ୍ର ଭଲ ହେଲେ ପାଠ ପଢିବ ବୋଲି କହିଛି ଦୁର୍ଜନ।

ସରକାର ଓ ପ୍ରଶାସନ ସହଯୋଗର ହାତ ବଢାଇଲେ ପୁଣି ଥରେ ଅବୋଧ ବାଳକ ଦୁର୍ଜନ ମୁହଁରେ ହସ ଫୁଟିବ ଆଉ ସେ ପାଠ ପଢି ପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe