କନକ ବ୍ୟୁରୋ : ଶିକ୍ଷା ପାଇଁ ଆବଶ୍ୟକ ଫି’କୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏକ ଆବେଦନ ଉପରେ ଶୁଣାଣୀ କରି କହିଛନ୍ତି କି ଟିସ୍ୟୁନ ଫି’ ସୁଲଭ କର । ଶିକ୍ଷା ବ୍ୟବସାୟ କେବଳ ଲାଭ ପାଇବା ପାଇଁ ଏକ ମାଧ୍ୟମ ନୁହେଁ । ତେଣୁ ଶିକ୍ଷାଦାନ ସବୁବେଳେ ସୁଲଭ ହେବା ଉଚିତ । ଏହି ରାୟ ସେହି ସମୟରେ ଆସିଛି ଯେତେବେଳେ ଆନ୍ଧ୍ରପ୍ରଦେଶ ସରକାର ଘରୋଇ ମେଡିକାଲ କଲେଜର ଟ୍ୟୁସନ ଫି’ ପୂର୍ବ ଅପେକ୍ଷା ୭ଗୁଣା ବୃଦ୍ଧି କରିବା ପାଇଁ ନିଷ୍ପତି ନେଇଥିଲେ । ପୂର୍ବରୁ ସମାନ ରାୟ ଆନ୍ଧ୍ର ହାଇକୋର୍ଟ ଶୁଣାଇଥିଲେ ଓ ଏହା ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ ହୋଇଥିଲା । ମଙ୍ଗଳବାର ଏହି ପିଟିସନ ଉପରେ ଶୁଣାଣୀ କରି ଆନ୍ଧ୍ର ହାଇକୋର୍ଟଙ୍କ ନିଷ୍ପତିକୁ କାଏମ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ ।

Advertisment

ଫି’ ବୃଦ୍ଧିକୁ ନେଇ କଣ କହିଲେ ସୁପ୍ରିମକୋର୍ଟ:
• ଶିକ୍ଷାଦାନକୁ ବ୍ୟବସାୟିକ ଲାଭ ଭାବେ ଉପଯୋଗ କରିବା ଅନୁଚିତ
• ସୁପ୍ରିମକୋର୍ଟ କହିଛନ୍ତି ସବୁବର୍ଗକୁ ଦୃଷ୍ଟିରେ ରଖି ଫି’ ବୃଦ୍ଧି କରିବା ଉଚିତ
• ଟ୍ୟୁସନ ଫି’ ସବୁବେଳେ ସୁଲଭ ଦର ତଥା ସବୁବର୍ଗଙ୍କ ନିକଟରେ ପହଁଚିବା ଲକ୍ଷ୍ୟ ସହ ନିର୍ଦ୍ଧାରଣ ହେବା ଉଚିତ
• ଯଦି ଆବଶ୍ୟକ ପଡେ ତେବେ ଏଥିପାଇଁ ନିର୍ଦ୍ଦିଷ୍ଟ ମାପଦଣ୍ଡ ସହ ଶୁଳ୍କ ବୃଦ୍ଧି କରିବା ଦିଗରେ ବିଚାର କରାଯାଇପାରେ ।
• ଏହା ଦ୍ୱାରା ଆର୍ଥିକ ଅନଗ୍ରସରଙ୍କଠାରୁ ସବୁବର୍ଗଙ୍କ ପାଇଁ ଶିକ୍ଷାପ୍ରାପ୍ତ ସହଜ ହୋଇପାରିବ ।
• କୋର୍ଟ ଏକଥା ମଧ୍ୟ କହିଛନ୍ତି କି, ଫି’ ଅଧିକ ହେବା କାରଣରୁ ଛାତ୍ରଛାତ୍ରୀମାନଙ୍କୁ ଋଣ ନେବାକୁ ପଡୁଛି ଓ ଅଧିକ ସୁଧହାର ସହ ପୈଠ କରିବାକୁ ପଡୁଛି ।
• ଏହା ନିଶ୍ଚିତଭାବେ ଏକ ମାନସିକ ଚାପ । ତେଣୁ ଶିକ୍ଷାନୁଷ୍ଠାନମାନେ ଏହାକୁ ଦୃଷ୍ଟିରେ ରଖି ଫି’ ନିର୍ଦ୍ଧାରଣ କରିବା ଉଚିତ ।
• ଟ୍ୟୁସନ ଫି’ ନିର୍ଦ୍ଧାରଣ କରିବା ସମୟରେ ପେଶାଦାର ଶିକ୍ଷଣସଂସ୍ଥା ଗୁଡିକ ସ୍ଥାନ, ପାଠ୍ୟକ୍ରମ, ଆବଶ୍ୟକ ଭିତିଭୂମି ଓ ଅନ୍ୟାନ୍ୟ ଅତ୍ୟାବଶକୀୟ ସାଧନକୁ ଦୃଷ୍ଟିରେ ରଖି ବିଚାର କରିବା ଉଚିତ ।
• କୋର୍ଟ ପ୍ରଶ୍ନ କରିଛନ୍ତି କି ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକରେ ଫି’ ବୃଦ୍ଧି ପାଇଁ ଆଡମିଶନ ଆଣ୍ଡ ଫି ରେଗୁଲେଟୋରୀ କମିଟି ସମୀକ୍ଷା ଜାରି ରହିଥିବାବେଳେ ରାଜ୍ୟ ସରକାର କିଭଳି ଫି’ ବୃଦ୍ଧି ନିଷ୍ପତି ନେଲେ?

ସୁପ୍ରିମକୋର୍ଟର ବିଚାରପତି ଏମ୍. ଆର. ଶାହ ଏବଂ ଏମଏମ୍ ସୁନ୍ଦରେଶଙ୍କ ଖଣ୍ଡପୀଠ ଆବେଦନ ଉପରେ ଶୁଣାଣୀ କରିଥିଲେ । ଖଣ୍ଡପୀଠ କହିଥିଲେ ଆନ୍ଧ୍ର ସରକାରଙ୍କ ନିଷ୍ପତି ଆଦୌ ଗ୍ରହଣୀୟ ନୁହେଁ । ସବୁ ବର୍ଗଙ୍କ ପାଇଁ ଏହା ଉପଯୋଗୀ ନୁହେଁ ତେଣୁ ଏଭଳି ନିଷ୍ପତ ସମ୍ପୂର୍ଣ୍ଣ ଭୁଲ୍ ଅଟେ ।

କଣ ନିଷ୍ପତି ନେଇଥିଲେ ଆନ୍ଧ୍ର ସରକାର?

• ଆନ୍ଧ୍ରପ୍ରଦେଶ ସରକାର ଟ୍ୟୁସନ ଫି’ ୨୪ ଲକ୍ଷକୁ ବୃଦ୍ଧି କରିବାପାଇଁ ନିଷ୍ପତି ନେଇଥିଲେ ।
• ଘରୋଇ ଅଣ ଅନୁଦାନପ୍ରାପ୍ତ ମେଡିକାଲ କଲେଜରେ ବାର୍ଷିକ ଫି’ ପୂର୍ବ ଅପେକ୍ଷା ୭ଗୁଣ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଥିଲେ
• ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଏହାକୁ ରଦ୍ଦ କରିଦେଇଥିଲେ ଓ ଏବେ ସୁପ୍ରିମକୋର୍ଟ ମଧ୍ୟ ରାଜ୍ୟସରକାଙ୍କୁ ଭର୍ସନା କରି ଫି ବୃଦ୍ଧି ନକରିବାକୁ କହିଛନ୍ତି

ଟ୍ୟୁସନ ଫି’ ଉପରେ କୋର୍ଟ କେବଳ କଡ଼ା ଟିପ୍ପଣୀ ଦେଇନାହାଁନ୍ତି ବଂର ଉଭୟ ଆନ୍ଧ୍ରପ୍ରଦେଶ ସରକାର ଓ ମେଡିକାଲ କଲେଜ ଉପରେ ଅଢେଇ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ କଲେଜମାନେ ବିଦ୍ୟାର୍ଥୀଙ୍କଠୁ ଅତିରିକ୍ତ ଫି ନେଇଛନ୍ତି ସେମାନେ ସେହି ଟଂକା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି