କନକ ବ୍ୟୁରୋ : ଏଥର ବି ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ । ଲଗାତାର ଦ୍ବିତୀୟ ବର୍ଷ ପାଇଁ ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପାଠପଢ଼ା ସ୍ବାଭାବିକ ସ୍ଥିତିକୁ ଫେରିନାହିଁ । ସେମିଷ୍ଟର ପରୀକ୍ଷା ଅଫ୍‌ଲାଇନ୍‌ ବଦଳରେ ଅନ୍‌ଲାଇନ୍‌ରେ କରାଯାଉଛି । ଏବେ ବି ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇନାହିଁ । ଏସବୁ ବିଷୟକୁ ଗୁରୁତ୍ବ ଦେଇ ବିଶ୍ବବିଦ୍ୟାଳୟ ଓ କଲେଜ କ୍ୟାମ୍ପସରେ ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ଏନେଇ ବିଧିବଦ୍ଧ କୌଣସି ବିଜ୍ଞପ୍ତି ପ୍ରକାଶ କରାଯାଇନାହିଁ ।

Advertisment

ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ‌ଯେ ବର୍ତମାନ ପରିସ୍ଥିତିରେ ଛାତ୍ର ସଂସଦ ନିର୍ବାଚନ କଥା ଆମେ ଆଦୌ ଚିନ୍ତା କରିନାହୁଁ । କରୋନା ସଂକ୍ରମଣ ଯୋଗୁଁ ଦୁଇ ବର୍ଷ ହେଲା ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଛି । ଶିକ୍ଷାବର୍ଷ ଠିକ୍‌ ଭାବେ ଚାଲି ପାରିନାହିଁ । ଏ ପର୍ଯ୍ୟନ୍ତ ଯୁକ୍ତ୩ ଓ ପିଜି ପାଠ୍ୟକ୍ରମର ପ୍ରଥମ ସେମିଷ୍ଟର୍‌ ପରୀକ୍ଷା ବି ହୋଇପାରିନାହିଁ । କରୋନାକୁ ନଜରରେ ରଖି ଅଫ୍‌ଲାଇନ୍‌ ବଦଳରେ ଅନ୍‌ଲାଇନ୍‌ରେ ସେମିଷ୍ଟର୍‌ ପରୀକ୍ଷା କରାଇବାକୁ ବିଶ୍ବବିଦ୍ୟାଳୟଗୁଡ଼ିକୁ କୁହାଯାଇଛି। ‌କ୍ଲାସରୁମ୍‌ ପାଠପଢ଼ା ହେଉଥିଲେ ମଧ୍ୟ କରୋନା ଭୟରେ ଅଧିକାଂଶ ପିଲା ଆସୁନାହାନ୍ତି। ଯେତିକି ପିଲା ଆସୁଛନ୍ତି, ସେମାନଙ୍କୁ ନେଇ କ୍ଲାସ ହେଉଛି । ଏଭଳି ସମୟରେ ଛାତ୍ର ସଂସଦ ନିର୍ବାଚନ କରିବା ଆଦୌ ସମ୍ଭବପର ନୁହେଁ । ୨୦୨୨ରେ ବି ଛାତ୍ର ସଂସଦ ନିର୍ବାଚନ କରିବା ସପକ୍ଷରେ ଉଚ୍ଚଶିକ୍ଷା ବିଭାଗ ନାହିଁ। ଶିକ୍ଷାବର୍ଷର ପାଠପଢ଼ା ଏବେ ବହୁ ପଛରେ ରହିଛି । ଆସନ୍ତା ଶିକ୍ଷାବର୍ଷ ବି ଏଭଳି ଭାବେ ବିଳମ୍ବିତ ହେବା ନେଇ ଅନୁମାନ କରାଯାଉଛି ।

ସୂଚନା ଅନୁଯାୟୀ, ଏହାକୁ ମିଶାଇ ଲଗାତାର ୪ର୍ଥ ବର୍ଷ ପାଇଁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇଛି । ୨୦୧୮ରେ ବାତ୍ୟା ‘ତିତିଲି’ ପାଇଁ ଅଧାରୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇଥିଲା । ନିର୍ବାଚନ ଯୋଗୁଁ କ୍ୟାମ୍ପସରେ ଅଶାନ୍ତି ସୃଷ୍ଟି ହେଉଥିବା ନେଇ ୨୦୧୯ରେ ବିଶ୍ବବିଦ୍ୟାଳୟ କୁଳପତି, ସରକାରୀ ଡିଗ୍ରି କଲେଜ, ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଅଧ୍ୟକ୍ଷମାନେ ମତ ପ୍ରକାଶ କରିବା ପରେ ଛାତ୍ର ସଂସଦ ନିର୍ବାଚନ ନ ନ କରିବାକୁ ସ୍ଥିର ହୋଇଥିଲା । ୨୦୨୦ ତଥା ଗତବର୍ଷ କରୋନା ଯୋଗୁଁ କ୍ୟାମ୍ପସ ହିଁ ଆଦୌ ଖୋଲିପାରି ନ ଥିଲା। ଆଉ ଏଥର ମଧ୍ୟ ସମାନ ସ୍ଥିତି ଲାଗି ରହିଥିବାରୁ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ନିଷ୍ପତ୍ତି ହୋଇଛି ।