କୋଭିଡ ସର୍ଭେ ବେଳେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ : ବହୁ ସଂଖ୍ୟାରେ ଯକ୍ଷ୍ମା, କୁଷ୍ଠ, ଉଚ୍ଚ ରକ୍ତଚାପ ଓ ଅନ୍ୟ ରୋଗୀଙ୍କୁ ଚିହ୍ନଟ

କରୋନା ଦ୍ୱିତୀୟ ଲହର ବେଳେ ୯୫ ଲକ୍ଷ ଘର ବୁଲି ସର୍ଭେ କରିଥିଲେ ଆଶା ଓ ଅଙ୍ଗନୱାଡ଼ି କର୍ମୀ

266

କନକ ବ୍ୟୁରୋ : କୋଭିଡ୍ ସର୍ଭେବେଳେ ଆସିଲା ସାଂଘାତିକ ତଥ୍ୟ । ରାଜ୍ୟରେ କରୋନାର ଦ୍ବିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ରାଜ୍ୟ ସରକାର ଘରକୁ ଘର ବୁଲି ସର୍ଭେ ପାଇଁ ଘୋଷଣା କରିଥିଲେ। ଯାହାଫଳରେ କୋଭିଡ‌୍ ଲକ୍ଷଣ ଥିବା ରୋଗୀଙ୍କୁ ଆଗୁଆ ଚିହ୍ନଟ ସହିତ ସଂକ୍ରମଣକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇପାରିବ । ମେ’ ୨୪ତାରିଖରୁ ଏହା ଆରମ୍ଭ ହୋଇ ଏହି ସର୍ଭେ ଅଗଷ୍ଟ ୨୩ ପର୍ଯ୍ୟନ୍ତ ଚାଲିଥିଲା । ତେବେ କୌତୂହଳର ବିଷୟ ହେଲା, ରାଜ୍ୟବ୍ୟାପୀ ହୋଇଥିବା ଏବେ ସର୍ଭେରେ କୋଭିଡ ରୋଗୀଙ୍କ ସହିତ ବହୁ ସଂଖ୍ୟାରେ ଯକ୍ଷ୍ମା, କୁଷ୍ଠ, ଉଚ୍ଚ ରକ୍ତଚାପ ଓ ଅନ୍ୟ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଗୋଷ୍ଠୀସ୍ତରରେ ଏକାଧିକ ରୋଗରେ ଆକ୍ରାନ୍ତ ରୋଗୀ ରହିଥିବା ବେଳେ ଏହି ସର୍ଭେ ଯୋଗୁଁ ସେମାନଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇପାରିଛି ।

ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୩ ମାସିଆ ସର୍ଭେରେ ୯୫.୧୮ଲକ୍ଷ ଘରକୁ ଯାଇ ସର୍ଭେ କରାଯାଇଥିଲା। ‌ଅତିକମ୍‌ରେ ୧୫ଦିନରେ ଥରେ ସେମାନଙ୍କୁ ଘରକୁ ଘର ଯାଇ ଲୋକଙ୍କ ବିଭିନ୍ନ ଲକ୍ଷଣ ସଂପର୍କରେ ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଥିଲା । ଯେଉଁ ଲୋକମାନଙ୍କର କୋଭିଡ୍‌ ଲକ୍ଷଣ ରହିଥିଲା ସେମାନଙ୍କୁ ପରୀକ୍ଷା କରିବା ଲାଗି କୁହାଯାଇଥିଲା । ସମୁଦାୟ ୧୬.୪୯ଲକ୍ଷ ନମୁନାର ଆର୍‌ଟିପିସିଆର/ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିବା ବେଳେ ତହିଁରୁ ୨ଲକ୍ଷ ୪ହଜାର ୧୦୪ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାସହ ୫୬,୫୫୨ ମଧୁମେହ, ୭୩୯୯ ନୂତନ ଯକ୍ଷ୍ମା, ୩୦୦୨ ମ୍ୟାଲେରିଆ ଓ ୧୬୨୫ କୁଷ୍ଠ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଯାହାକି ସର୍ଭେର ଅନ୍ୟତମ ବଡ଼ ସଫଳତା ବୋଲି କୁହାଯାଉଛି ।

ପ୍ରାଥମିକ ପର୍ଯ୍ୟାୟରେ ସ୍କ୍ରିନିଂ ପରେ ୧୫,୯୮୮ ସନ୍ଦିଗ୍ଧ କୁଷ୍ଠ ରୋଗୀଙ୍କୁ ଡାକ୍ତରଙ୍କ ଦ୍ବାରା ପରୀକ୍ଷା କରାଯାଇଥିଲା। ତହିଁରୁ ୧୬୨୫ କୁଷ୍ଠ ରୋଗୀ ଥିବା ସ୍ପଷ୍ଟ ହୋଇଥିଲା । ଇତିମଧ୍ୟରେ ସେମାନଙ୍କୁ ଆବଶ୍ୟକ ଏମ୍‌ଡିଟି ଯୋଗାଇ ଦିଆଯାଇଛି। ସେହିପରି ସ୍ପୁଟମ୍ ମାଇକ୍ରୋସ୍କୋପି ଜରିଆରେ ୭୩୯୯ କୁଷ୍ଠ ରୋଗୀକୁ ଚିହ୍ନଟ କରାଯାଇଥିଲା । ଏହା ବ୍ୟତୀତ ପତଳା ଝାଡ଼ାରେ ଆକ୍ରାନ୍ତ ୫୯,୦୭୦ ୫ବର୍ଷରୁ କମ୍ ଶିଶୁଙ୍କୁ ଠାବ କରାଯିବା ପରେ ସେମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି । ସର୍ଭେରେ ୬୭୯୬ ରୋଗୀଙ୍କୁ ଡାଏଲିସିସ୍ ସହିତ ୨୬୫୭ଜଣଙ୍କୁ କେମୋ ଥେରାପି ରୋଗୀଙ୍କ ପଞ୍ଜୀକରଣ କରାଯିବା ସହିତ ତହିଁରୁ ୯୬ ପ୍ରତିଶତ ରୋଗୀଙ୍କୁ ଆବଶ୍ୟକ ଡାଏଲିସି୍ ଓ କେମୋଥେରାପି ଦିଆଯାଇଛି ।