କୂଅ ଖୋଳା ନାଁରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଭିଜିଲାନ୍ସର ଖୋଳତାଡ଼ : ଘଟଣାସ୍ଥଳରେ ଭିଜିଲାନ୍ସ ଟିମର ତଦନ୍ତ

145

କନକ ବ୍ୟୁରୋ : ସୁନ୍ଦରଗଡ କୁତ୍ରା ବ୍ଲକ ଅନ୍ତର୍ଗତ ପଂଚରା ଗ୍ରାମ ପଂଚାୟତରେ ମନରେଗା ଯୋଜନାରେ  ହୋଇଥିବା ଦୁର୍ନୀତିର ଖୋଳତାଡ ଆରମ୍ଭ କରିଛି ଭିଜିଲାନ୍ସ । ଗତକାଲି ଖବର ପ୍ରସାରଣ ପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି ।  ଭିଜିଲାନ୍ସର ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ଛାନଭିନ କରିଛନ୍ତି । ଏଠାରେ କୂଅଖୋଳାରେ ବ୍ୟାପକ ଦୁର୍ନୀତି ହୋଇଥିବା ଲୋକେ ଅଭିଯୋଗ କରିଥିଲେ । ଏହି ଯୋଜନାରେ  ଗତ ୩ ବର୍ଷରେ  ମୋଟ ୯୬ଟି କୂଅ ଖୋଳାଯାଇଛି ।

ପ୍ରତ୍ୟେକ କୂଅ ପିଛା ଲକ୍ଷେ ୬୦ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଛି । କିନ୍ତୁ ବ୍ଲକ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ  ଏଠାରେ ମହାଦୁର୍ନୀତି ହୋଇଛି । କୂଅଗୁଡିକୁ ୮ରୁ ୧୦ ଫୁଟ ଖୋଳାଯାଇ ୨୫ରୁ ୩୦ ଫୁଟ ଯାଏଁ ବୋଲି ବିଲ କରାଯାଇଛି ।  କୂଅ ପ୍ରତି  ୩୦ରୁ ୪୦ ହଜାର ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି । କରୋନା କାଳରେ ଲୋକେ  କାମ ପାଉନଥିବାବେଳେ ମେସିନ ସହାୟତାରେ କୂଅ ଖୋଳାଯାଇଛି । ଏହି କାମରେ  ପ୍ରକୃତ ହିତାଧିକାରୀଙ୍କ ନାଁ ମାଷ୍ଟର ରୁଲରେ  ନ ଥାଇ ଅନ୍ୟ ଲୋକଙ୍କ ନାଁ ରହିଛି । ଶେଷ ହୋଇଥିବା କୂଅ ଚାରିପାଖେ ଚାନ୍ଦିନୀ ବି ହୋଇନାହିଁ । ଏ ନେଇ  ଗାଁ ଲୋକଙ୍କ ଅଭିଯୋଗ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି ।