ଚଳନ୍ତା ଟ୍ରେନରୁ ଯାତ୍ରୀଙ୍କୁ ବାହାରକୁ ଠେଲିଦେଲେ ଟିଟିଇ । ଟ୍ରେନରୁ ପଡି ଚାଲିଗଲା ଯାତ୍ରୀଙ୍କ ଜୀବନ ।

332

କନକ ବ୍ୟୁରୋ : ଯାତ୍ରୀଙ୍କୁ ଚଳନ୍ତା ଟ୍ରେନରୁ ବାହାରକୁ ଠେଲିଦେଲେ ଟିଟିଇ । ଟ୍ରେନରୁ ପଡି ଚାଲିଗଲା ଯାତ୍ରୀଙ୍କ ଜୀବନ । ଲକଡାଉନ୍ ସମୟରେ ଲକ୍ଷ୍ନୌରୁ ଘରକୁ ଫେରୁଥିବା ଜଣେ ଯାତ୍ରୀଙ୍କୁ ଚଳନ୍ତା ଟ୍ରେନରୁ ଧକ୍କା ଦିଆଯାଇଥିବାର ଖବର ସାମ୍ନାକୁ ଆସିଛି । ଅଭିଯୋଗ ଅନୁଯାୟୀ, ୫୦୦ ଟଙ୍କା ଚାଲାଣ ବିବାଦକୁ ନେଇ ଜଣେ ଟିଟିଇ, ଚଳନ୍ତା ଟ୍ରେନରୁ ଯାତ୍ରୀଙ୍କୁ ଠେଲିଦେଇଛନ୍ତି । ଏହାପରେ ଟ୍ରେନରେ ଥିବା ଜିଆରପି ଅଭିଯୁକ୍ତ ଟିଟିଇଙ୍କୁ ଗିରଫ କରି ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ସିକନ୍ଦରାବାଦରେ ଚାକିରି କରୁଥିବା ବସନ୍ତଙ୍କର ଲକଡାଉନରେ ଚାକିରି ଚାଲିଯାଇଥିଲା । ଏଥିପାଇଁ ସେ ସିକନ୍ଦରାବାଦ-ଗୋରଖପୁର ସ୍ପେଶାଲ ଟ୍ରେନରେ ଘରକୁ ପ୍ରତ୍ୟାବର୍ତ୍ତନ କରୁଥିଲେ । ତେବେ ବ୍ୟସ୍ତତା ଭିତରେ ଟିକେଟ୍ କରିପାରିନଥିଲେ ବସନ୍ତ । ଯେତେବେଳେ ଟିକେଟ୍ ଚେକ୍ କରିବା ପାଇଁ ଟିଟିଇ ପହଞ୍ଚିଥିଲେ, ଟିଟିଇ ୧୫୦୦ ଟଙ୍କା ଜୋରିମାନା ଦେବାକୁ କହିଥିଲେ । କିନ୍ତୁ ବସନ୍ତଙ୍କ ପାଖରେ ମାତ୍ର ୧୦୦୦ ଟଙ୍କା ଥିଲା ।

ତେବେ ୫୦୦ ଟଙ୍କାକୁ ନେଇ ଟିଟିଇ ଏବଂ ବସନ୍ତଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଅଭିଯୋଗ ଅନୁଯାୟୀ, ଟିଟିଇ ବସନ୍ତଙ୍କୁ ମାଡ ମାରିବା ସହ ଚଳନ୍ତା ଟ୍ରେନରୁ ତଳକୁ ଠେଲିଦେଲେ । ଆଉ ଟ୍ରେନ ତଳେ ପଡି ବସନ୍ତଙ୍କର ମୃତ୍ୟୁ ହୋଇଗଲା । ଏହି ଘଟଣା ପରେ ଟ୍ରେନରେ ଉପସ୍ଥିତ ଥିବା ଅନ୍ୟ ଯାତ୍ରୀମାନେ ରାଗିଯାଇଥିଲେ । ଟ୍ରେନର ଚେନ୍ ଟାଣି ଅଟଳାଇବା ସହିତ, ଟିଟିଇଙ୍କୁ ନିସ୍ତୁକ ମାଡ ମଧ୍ୟ ମାରିଥିଲେ ।