କନକ ବ୍ୟୁରୋ : ପ୍ରୋଟୋକଲ ଦୃଷ୍ଟିରୁ ଦେଶରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସବୁଠୁ ଆଗରେ । ଏ ତୁଙ୍ଗ ବ୍ୟକ୍ତିତ୍ୱମାନେ ଭିଭିଆଇପି ଶ୍ରେଣୀର । ଏମାନଙ୍କ ପାଇଁ ଜେଡ୍ ପ୍ଲସ ସୁରକ୍ଷା ବ୍ୟବସ୍ଥା । ଏମାନଙ୍କ ଗସ୍ତ ପାଇଁ ବାୟୁସେନାର ସ୍ୱତନ୍ତ୍ର ବିମାନଠାରୁ ଆରମ୍ଭ କରି ବୁଲେଟ୍ ପ୍ରୁଫ୍ ଗାଡି ପର୍ଯ୍ୟନ୍ତ କେତେ କ’ଣ ବ୍ୟବସ୍ଥା । ଦେଶର ଶାସନ ମୁଖ୍ୟ ପ୍ରଧାନମନ୍ତ୍ରୀ ଯେତେବେଳେ ବି ଯେଉଁଠିକୁ ବି ଯାଆନ୍ତି, ତାଙ୍କ ଚାରିପାଖରେ ଏକ ସ୍ୱତନ୍ତ୍ର ସୁରକ୍ଷା ବଳୟ ଘେରି ରହିଥାଏ ।
ଆଉ ପ୍ରଧାନମନ୍ତ୍ରୀ ଯଦି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ କିମ୍ବା ନିଜ କ୍ୟାବିନେଟ୍ ମନ୍ତ୍ରୀଙ୍କ ଗହଣରେ ଥାନ୍ତି, ସେତେବେଳେ ବି ତାଙ୍କର ଗୁରୁତ୍ୱ ସବୁଠୁ ଅଧିକ । ଏକଥା ଆମେ ଏଥିପାଇଁ କହୁଛୁ, ଏମିତି ଏକ ଭିଡିଓ ଏବେ ଭାଇରାଲ ହୋଇ ବେଶ୍ ଚର୍ଚ୍ଚା ସାଉଁଟିଛି । ଘଟଣା ଗତ ସୋମବାରର । ସ୍ଥାନ ଭୋପାଳ । ଅବସର ଥିଲା ଆଧୁନିକିକରଣ ପରେ ଭୋପାଳ ରେଳ ଷ୍ଟେସନର ଉଦଘାଟନ । ମୁଖ୍ୟ ଅତିଥି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ସବ ସ୍ଥଳକୁ ଯିବା ବେଳେ ସାଙ୍ଗରେ ଥିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ । ସୁରକ୍ଷାକର୍ମୀଙ୍କ ଗହଣରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଯାଉଥିବା ବେଳେ ଅନ୍ୟମନସ୍କ ବଶତଃ ପ୍ରଧାନମନ୍ତ୍ରୀଙ୍କୁ ଟପି ଆଗକୁ ଚାଲିଯାଇଥିଲେ ମୁଖ୍ୟମନ୍ତ୍ରୀ ଶିବରାଜ ।
ଆଉ ଏଇଠି ହିଁ କ୍ୟାମେରା ସାମ୍ନାରେ ଦେଖିବାକୁ ମିଳିଥିଲା ଭିନ୍ନ ଦୃଶ୍ୟ । ହଠାତ୍ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକର୍ମୀ ଆସି ଶିବରାଜ ସିଂହଙ୍କୁ ତାଙ୍କର ଭୁଲ ଦର୍ଶାଇଥିଲେ । ଭୁଲ ଥିଲା ଏଇୟା, ଯେ ସେ ପ୍ରୋଟୋକଲ ଭାଙ୍ଗି ପ୍ରଧାନମନ୍ତ୍ରୀଙ୍କ ଆଗକୁ ଚାଲି ଯାଉଛନ୍ତି । ସତର୍କ ହୋଇ ଶିବରାଜ ସିଂହ ପୁଣି ଦୁଇ ପାଦ ପଛକୁ ରହିଯାଇଥିଲେ । ଆଉ ପ୍ରଧାନମନ୍ତ୍ରୀଙ୍କ ପଛେ ପଛେ ହିଁ ଯାଇଥିଲେ । ହେଲେ କ୍ୟାମେରା ଆଖିରେ ଏସବୁ ଧରାପଡ଼ିଯାଇଥିଲା ।