ସାମ୍ନାକୁ ଆସିଲା ରାଜ୍ୟରେ ଅନଲାଇନ୍ ପାଠପଢା ପଛର ସତ: ମାହାଙ୍ଗାରେ ପରିବାର ପୋଷୁଥିବା ଗାଇକୁ ବିକି ଝିଅ ପାଇଁ କିଣିଲେ ସ୍ମାର୍ଟଫୋନ୍

ସାଲେପୁରରେ ସୁନା କାନଫୁଲ ବିକି ଝିଅ ପାଇଁ ମୋବାଇଲ କିଣିଲେ ମାଆ

334

କନକ ବ୍ୟୁରୋ:  କରୋନା ସଂକ୍ରମଣ ଯେତିକି ଭୟ ସଂଚାର କରୁଛି, ତା’ଠାରୁ ଅଧିକ କଷ୍ଟ ଦେଉଛି କରୋନା ଜନିତ ସ୍ଥିତି । ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି କଷ୍ଟ ଭୋଗୁଛନ୍ତିି । ପିଲାଙ୍କ ପାଠପଢ଼ା ସାଂଘାତିକ ଭାବେ ପ୍ରଭାବିତ ହୋଇଛି । ବିଶେଷ କରି ଗ୍ରାମାଂଚଳର ପିଲାମାନଙ୍କ ପାଠପଢ଼ାରେ ଅଚଳାବସ୍ଥା ସୃଷ୍ଟି ହୋଇଛି । କାରଣ ଏବେ ଅନଲାଇନ୍ରେ ପାଠ ପଢ଼ାଯାଉଛି । ହେଲେ ଅନେକଙ୍କ ପରିବାରରେ ସ୍ମାର୍ଟଫୋନ ନାହିଁ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ନିଜ ପିଲାଙ୍କ ପାଠପଢ଼ା ପାଇଁ କେତେ କଷ୍ଟ ସହୁଛନ୍ତିି ପରିବାର ଲୋକ । କିଏ ନିଜର ଏକମାତ୍ର ସମ୍ବଳ ଗାଈ ବିକି ପିଲାଙ୍କ ପାଇଁ ସ୍ମାର୍ଟଫୋନ କିଣୁଛନ୍ତି ତ କିଏ କାନଫୁଲ ବିକି ଦେଇଛନ୍ତି ପିଲାଙ୍କ ପାଠପଢ଼ା ପାଇଁ ।

ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି ମାହାଙ୍ଗା ଲାପଟୁଆଁ ଗାଁର ବର୍ଷାରାଣୀ ଦାସ । ଆଉ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ନ୍ତି ସାଲେପୁର ଉତର ବଟେଶ୍ୱରର ଅର୍ଚ୍ଚିତା ଭୋଇ । ଏହି ଦୁଇ ଝିଅ ବେଶ ମେଧାବୀ, ହେଲେ କରୋନା କାଳରେ ପାଠପଢ଼ିବା ପାଇଁ ସମସ୍ୟା ଦେଇ ଗତି କରୁଥିଲେ । କାରଣ ଅନଲାଇନ୍ ପାଠପଢ଼ା ପାଇଁ ସେମାନଙ୍କ ପାଖରେ ନଥିଲା ସ୍ମାର୍ଟ ଫୋନ । ସେମାନଙ୍କ ପାଇଁ ସ୍ମାର୍ଟଫୋନ ଯୋଗାଡ଼ କରିବା ପାଇଁ ପରିବାର ଲୋକ କେତେ କଷ୍ଟ ସହିଛନ୍ତି, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ବର୍ଷାରାଣୀଙ୍କ ପରିବାରର ସମ୍ବଳ କହିଲେ ଦୁଇଟି ଗାଈ । ବାପା ମଜୁରୀ ଲାଗନ୍ତି, ହେଲେ କରୋନା କାଳରେ କାମ ମିଳିବା ମୁସ୍କିଲ ହୋଇପଡିଛି । ସେପଟେ ଝିଅ ବର୍ଷାକୁ ଶିକ୍ଷୟତ୍ରୀ କରିବା ଲାଗି ସ୍ୱପ୍ନ ଦେଖୁଛନ୍ତି ବାପାମାଆ । କରୋନା ଯୋଗୁଁ ସ୍କୁଲ କଲେଜ ବନ୍ଦ, କେବଳ ଅନଲାଇନ୍ ପାଠପଢ଼ା ଏକମାତ୍ର ଭରସା । ଘରେ ମୋବାଇଲ ଫୋନ ନଥିବାରୁ ୩-୪ ମାସ ହେଲା ବର୍ଷାଙ୍କ ପାଠପଢ଼ା ଠପ୍ ହୋଇ ଯାଇଥିଲା । ଶେଷରେ ଯେଉଁ ଗାଈର କ୍ଷୀର ବିକି ପରିବାର ଚଳାଉଥିଲେ ସେହି ଗାଈକୁ ବିକି ଝିଅ ପାଇଁ ମୋବାଇଲ ଫୋନ ଯୋଗାଡ଼ କରିଛନ୍ତି ବାପାମାଆ ।

ବର୍ଷାରାଣୀଙ୍କ କାହାଣୀ ଭଳି ଅଷ୍ଟମ ଶ୍ରେଣୀରେ ପାଠପଢ଼ୁଥିବା ଅର୍ଚ୍ଚିତା ଭୋଇଙ୍କ କାହାଣୀ । ଝିଅ ଭଲ ପାଠ ପଢ଼େ, କିନ୍ତୁ ମୋବାଇଲ ଫୋନ ଯୋଗୁଁ ଏକରକମ ବନ୍ଦ ହୋଇଯାଇଥିଲା ତାଙ୍କର ପାଠପଢ଼ା । ନିଜେ ପଛେ ଉପାସ ରହିବେ ହେଲେ ଝିଅକୁ ପାଠ ପଢ଼ାଇବେ, ଏଥିଲାଗି ସବୁ କିଛି କରିବାକୁ ପ୍ରସ୍ତୁତ ଥିଲେ ବାପାମାଆ । ମାଆ, ପିନ୍ଧିଥିବା କାନଫୁଲକୁ ବିକି ଝିଅ ପାଇଁ କିଣି ଆଣିଛନ୍ତି ସ୍ମାର୍ଟଫୋନ । ପିଲାଙ୍କ ଅନଲାଇନ୍ ପାଠପଢ଼ା ପାଇଁ ହନ୍ତସନ୍ତ ହେଉଛନ୍ତି ଅଭାବୀ ପରିବାର । ଏହି ଦୁଇଟି କାହାଣୀ ରାଜ୍ୟର ଅନେକ ପରିବାରର ବାସ୍ତବ ସ୍ଥିତିକୁ ଦର୍ଶାଉଛି ।