ବିଜେପିକୁ ସମାଲୋଚନା କଲେ ଇମ୍ରାନ୍ ! କହିଲେ, ଏଫ୍-୧୬ ବିମାନକୁ ଭାରତୀୟ ସେନା ଖସାଇଛି ବୋଲି ମିଥ୍ୟା ପ୍ରଚାର କରି ନିର୍ବାଚନ ଜିତିବାକୁ ଚାହୁଁଛି ବିଜେପି ।

407

ନିର୍ବାଚନ ପୂର୍ବରୁ ସରଗରମ ହୋଇଛି ଜାତୀୟ ରାଜନୀତି । ପାକିସ୍ତାନୀ ଯୁଦ୍ଧ ବିମାନ ଏଫ୍-୧୬କୁ ଭାରତୀୟ ବାୟୁ ସେନା ଗୁଳି କରି ଖସାଇ ଦେଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଥିବା ଦାବି ପ୍ରସଂଗରେ ବଜେପିକୁ ତୀବ୍ର ସମାଲୋଚନା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ସେ କହିଛନ୍ତି ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପରି ମିଛ କଥା ପ୍ରଘଟ କରିଛନ୍ତି । ଫେବ୍ରୁଆରୀ ୨୭ ତାରିଖରେ ପାକିସ୍ତାନ ତା’ର କୌଣସି ଏଫ୍ ୧୬ ବିମାନକୁ ହରାଇନାହିଁ ବୋଲ ଇମ୍ରାନ ନିଜର ମତ ରଖି କହିଛନ୍ତି ।

ଇମ୍ରାନ ତାଙ୍କ ଟ୍ଵିଟର୍ ଆକାଉଣ୍ଟରେ ଏକ ଟ୍ଵିଟ୍ କରି କହିଛନ୍ତି ଯେ ‘ସତ୍ୟ ସବୁବେଳେ ତିଷ୍ଠି ରହେ । ସତ୍ୟ ହିଁ ସବୁଠାରୁ ଭଲ ନୀତି । ଭାରତୀୟ ସେନା ପାକ୍ ବିମାନ ଏଫ୍ ୧୬କୁ ଖସାଇ ଦେଇଥିଲା ବୋଲି ମିଛ ଦାବି କରି ବିଜେପି ନିର୍ବାଚନ ଜିତିବାର ପ୍ରୟାସ କରୁଛି । ଆମେରିକାର ପ୍ରତିରକ୍ଷା ଅଧିକାରୀମାନେ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନରୁ କୌଣସି ଏଫ୍ ୧୬ ବିମାନ ହଜିନାହିଁ ।’

ଉଲ୍ଲେଖଯୋଗ୍ୟ, ଫେବ୍ରୁଆରୀ ୨୭ ତାରିଖରେ ପାକ୍ ଯୁଦ୍ଧ ବିମାନ ଏଫ୍ ୧୬ ଭାରତ ସୀମା ଭିତରକୁ ପଶି ଆସିବା ପରେ ଭାରତୀୟ ବାୟୁ ସେନା ପାକିସ୍ତାନ ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦେଇଥିଲା ବୋଲି ବାୟୁସେନା ପକ୍ଷରୁ କୁହାଯାଇଥିଲା । ମାତ୍ର ଏହାକୁ ପାକିସ୍ତାନ ପ୍ରାରମ୍ଭରୁ ହିଁ ଅସ୍ୱୀକାର କରି ଆସୁଛି । ପ୍ରମାଣ ଦେବାକୁ ଯାଇ ଭାରତ ରାଡର୍ ଛବିର ସହାୟତା ନେଇଥିଲା । ରାଡର୍ ଛବିରୁ ସ୍ପଷ୍ଟ ଜାଣିବାକୁ ମିଳିଥିଲା ଯେ ଭାରତୀୟ ବାୟୁସେନା ପାକ୍ ଯୁଦ୍ଧ ବିମାନ ଏଫ୍ ୧୬କୁ ଗୁଳି କରି ଖସାଇ ଦେଇଥିଲା ।