କନକ ବ୍ୟୁରୋ: ରାସ୍ତା ଉପରେ ସ୍ୱାମୀ ସ୍ତ୍ରୀ କଳିର ପ୍ରାୟ ଦୁଇ ମାସ ପରେ ଗୋଟିଏ ଫ୍ରେମରେ ପୁଣି ଥରେ ଦେଖିବାକୁ ମିଳିଛନ୍ତି ଅଭିନେତା ବାବୁସାନ ଓ ପତ୍ନୀ ତୃପ୍ତି । ବାବୁସାନ ଡିସଚାର୍ଜ ହୋଇ ହସ୍ପିଟାଲରୁ ବାହାରିବା ସମୟରେ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ । ସ୍ୱାମୀ- ସ୍ତ୍ରୀଙ୍କ ଏକାଠି ହେବାର ଏହି ଦୃଶ୍ୟ ଆଜି ଚାରିଆଡେ ଚର୍ଚ୍ଚାର ବିଷୟ ହୋଇଛି । ସବୁ ବିବାଦ ସତ୍ୱେ ପତ୍ନୀ ତୃପ୍ତିଙ୍କର କେଉଁଠି ନା କେଉଁଠି ସ୍ୱାମୀ ବାବୁସାନଙ୍କ ପ୍ରତି ଭଲ ପାଇବା ରହିଥିବା ଆଲୋଚନା ହେଉଛି ।..

Advertisment

ବିବାଦ ପରେ ପ୍ରଥମ ଥର ପାଇଁ ଏକାଠି ଦେଖିବାକୁ ମିଳିଛନ୍ତି ଅଭିନେତା ବାବୁସାନ ମହାନ୍ତି ଓ ତାଙ୍କ ପତ୍ନୀ ତୃପ୍ତି ଶତପଥୀ । ଏ ହେଉଛି ବାବୁସାନ ହସ୍ପିଟାଲରୁ ଡିସଚାର୍ଜ ହେବା ସମୟର ଦୃଶ୍ୟ । ହୁଇଲ ଚେୟାରରେ ବସି ହସ୍ପିଟାଲରୁ ବାହାରକୁ ଆସୁଛନ୍ତି ବାବୁସାନ ଆଉ ତାଙ୍କ ପାଖେ ପାଖେ ଚାଲିଛନ୍ତି ତୃପ୍ତି । ବାହାରିବା ସମୟରେ ବାବୁସାନ ତୃପ୍ତିଙ୍କ ହାତକୁ ଧରି କିଛି କହୁଥିବା ଦେଖାଯାଉଛି । ତୃପ୍ତି ବି ବାବୁସାନଙ୍କୁ କିଛି କହୁଥିବା ଦେଖାଯାଉଛି । ଯାହା ଆଜି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଆଉ ପୁଣି ଥରେ ସ୍ୱାମୀ ସ୍ତ୍ରୀ ଏକାଠି ହେବାର ସଂକେତ ଦେଉଛି ।

ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବାବୁସାନଙ୍କ ଘରକୁ ନେବା ପାଇଁ ପହଁଚିଥିଲେ ପତ୍ନୀ ତୃପ୍ତି । ସାଂଗରେ ଥିଲେ ତାଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର । ଉଭୟ ହସ୍ପିଟାଲକୁ ଭିତରକୁ ଯାଇ ବାବୁସାନଙ୍କୁ ଦେଖା କରିଥିଲେ । କିଛି ସମୟ କଥାବାର୍ତା ହୋଇଥିଲେ । ତାପରେ ହସ୍ପିଟାଲରର ଫର୍ମାଲିଟି ପୂରଣ କରିବା ପରେ ବାବୁସାନଙ୍କୁ ସାଂଗରେ ଧରି ବାହାରକୁ ଆସିଥିଲେ ।

ଦମନ ଫିଲ୍ମର ପ୍ରମୋସନ ପାଇଁ ଯାଇ ଲେହରେ ଅସୁସ୍ଥ ହୋଇପଡିଥିଲେ ବାବୁସାନ । ଅକ୍ସିଜେନ୍ ସ୍ତର କମିବା ଓ ପେଟଜନିତ ସମସ୍ୟା କାରଣରୁ ଭୁବନେଶ୍ୱରର ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ବାବୁସାନ୍ । ସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଆଉ ପତ୍ନୀ ହିସାବରେ ନିଜେ ହସ୍ପିଟାଲ ଯାଇ ବାବୁସାନଙ୍କୁ ଘରକୁ ନେଇଛନ୍ତି ତୃପ୍ତି ।