କ୍ୟାପିଟଲ ହିଲରେ ଆକ୍ରମଣ ଘଟଣାରେ ନିଜେ ନିଜକୁ କ୍ଷମା ମାଗି ପାରନ୍ତି ଟ୍ରମ୍ପ: ରାଷ୍ଟ୍ରପତି ହିସାବରେ କ୍ଷମା କରିବାର ରହିଛି ଅଧିକାର

ଆମେରିକୀୟ ଗଣମାଧ୍ୟମରେ ରିପୋର୍ଟ, ନିଜକୁ କ୍ଷମା କରିବାକୁ ଚାହୁଁଛନ୍ତି ଟ୍ରମ୍ପ

158

କନକ ବ୍ୟୁରୋ: ଆମେରିକାର କ୍ୟାପିଟଲ ହିଲରେ ଆକ୍ରମଣ ଘଟଣାରେ ନିଜେ ନିଜକୁ କ୍ଷମା ମାଗି ପାରନ୍ତି ଟ୍ରମ୍ପ ।  ରାଷ୍ଟ୍ରପତି ହିସାବରେ ନିଜେ ନିଜକୁ କ୍ଷମା କରିବାର ଅଧିକାର ଡୋନାଲ ଟ୍ରମ୍ପଙ୍କ ପାଖରେ ରହିଛି ଅଧିକାର । ଆମେରିକୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟରୁ ଜଣାପଡିଛି, ଯେ ଟ୍ରମ୍ପ ନିଜେ ନିଜକୁ ରାଜକ୍ଷମା କରିବାକୁ ଚାହୁଁଛନ୍ତି । ବ୍ୟାପକ ହିଂସାକାଣ୍ଡ ଭିତରେ ଆମେରିକାରେ ଟ୍ରମ୍ପ ଯୁଗର ରକ୍ତାକ୍ତ ଅବସାନ ଘଟିଛି । କାର୍ଯ୍ୟକାଳ ଶେଷ ହେବାର ୧୩ ଦିନ ପୂର୍ବରୁ ପରାଜୟ ସ୍ୱିକାର କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏବଂ ନିଜକୁ ନିଜେ କ୍ଷମା ମାଗିବେ ବୋଲି କହିଛନ୍ତି । ଜାନୁୟାରୀ ୬ତାରିଖରେ ଆମେରିକାର ସଂସଦ, କ୍ୟାପିଟଲ୍ ବିଲ୍ଡିଂରେ ହୋଇଥିବା ହିଂସାକୁ ନିନ୍ଦା କରି ଏକ ଭିଡିଓ ଜାରି କରିଛନ୍ତି ଟ୍ରମ୍ପ ।

ସେ ଟ୍ୱିଟରକୁ ଫେରିଥିବା ବେଳେ ତାଙ୍କର ଇନଷ୍ଟାଗ୍ରାମ ଓ ଫେସବୁକ ଆକାଉଂଟ ବ୍ଲକ ରହିଛି । ଟ୍ୱିଟରରେ ଭିଡିଓ ସେୟାର କରି ନିଜର ପରାଜୟ ସ୍ୱୀକାର କରିଛନ୍ତି ଟ୍ରମ୍ପ । ଏହାସହ ତାଙ୍କର ରାଷ୍ଟ୍ରପତି କାର୍ଯ୍ୟକାଳ ଶୀଘ୍ର ଶେଷ ହେବ ବୋଲି ପ୍ରଥମ ଥର ପାଇଁ ସ୍ୱିକାର କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଜାନୁୟାରୀ ୨୦ତାରିଖରେ ଆମେରିକାରେ ନୂଆ ପ୍ରଶାସନ ଦାୟିତ୍ୱ ଗ୍ରହଣ କରିବ ବୋଲି କହିଛନ୍ତି ଟ୍ରମ୍ପ । ଶାନ୍ତି ଶୃଙ୍ଖଳାର ସହ କ୍ଷମତା ହସ୍ତାନ୍ତର କରିବା ଉପରେ ଗୁରୁତ୍ୱ ଦେବେ ବୋଲି ଟ୍ରମ୍ପ କହିଛନ୍ତି । ଏହାସହ ଟ୍ରମ୍ପଙ୍କ ଇନଷ୍ଟାଗ୍ରାମ ଓ ଫେସବୁକ ଆକାଉଂଟ ବ୍ଲକ ରହିଛି । ଫେସ୍ବୁକ୍ ମୁଖ୍ୟ ମାର୍କ ଜୁକରବର୍ଗ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରିଥିଲେ ଏବଂ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବା ଅତିକମ୍ରେ ଆସନ୍ତା ୨ ସପ୍ତାହ ଯାଏଁ ପ୍ରେସିଡେଂଟ ଟ୍ରମ୍ପ ଆଉ ଫେସବୁକ୍ ଓ ଇନ୍ଷ୍ଟାଗ୍ରାମ ବ୍ୟବହାର କରିପାରିବେ ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି ।

ସେପଟେ ଜାନୁଆରି ୨୦ ତାରିଖରେ ଜୋ-ବାଇଡେନ ଆମେରିକାର ପରବର୍ତି ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ସମୟ ପୂର୍ବରୁ ଯାଇପାରେ ଡୋନାଲ୍ଡ ଟ୍ରମ୍ପଙ୍କ ପଦ । ଆମେରିକା ସଂସଦର ବାଚସ୍ପତି ଓ କେତେକ ସାଂସଦ ୨୫ତମ ସମ୍ବିିଧାନ ସଂଶୋଧନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏବଂ ଏପରି ନହେଲେ କାର୍ଯ୍ୟାନୁଷ୍ଠାନ ମହାଭିଯୋଗ ପ୍ରସ୍ତାବ ଆସିପାରେ । ଟ୍ରମ୍ପ ନିଜ ପରାଜୟକୁ ଶେଷ ପର୍ଯ୍ୟନ୍ତ ଅସ୍ୱୀକାର କରି କ୍ଷମତା ଜାବୁଡି ଧରିବାର ଅପପ୍ରୟାସ କରିଥିଲେ । ବୁଧବାର ଦିନ ଆମେରିକାର ସଂସଦ, କ୍ୟାପିଟଲ୍ ବିଲ୍ଡିଂକୁ କବଜା କରିବାକୁ ଉଦ୍ୟମ କରିଥିଲେ ଟ୍ରମ୍ପଙ୍କ ସମର୍ଥକ । ଯେଉଁ ରକ୍ତାକ୍ତ ହିଂସାକାଣ୍ଡ ଘଟିଲା, ସେଥିରେ ୪ ଜଣଙ୍କ ଜୀବନ ଯାଇଛି । ଏହି ଘଟଣାରେ ଶହେରୁ ଅଧିକ ଜଣ ଗିରଫ ହୋଇଛନ୍ତି ।