ବିଶ୍ୱର ସବୁଠାରୁ ପୁରଣା ଗଣତନ୍ତ୍ରରେ ଚାଲିଛି ରାଷ୍ଟ୍ରପତି ଲଢ଼େଇ: ଭୋଟ ବାକ୍ସରେ ସିଲ୍ ହେଲା ଜୋ-ବାଇଡେନ୍ ଓ ଡୋନାଲ୍ଡ ଟ୍ରମ୍ପଙ୍କ ଭାଗ୍ୟ

୧୦ କୋଟିରୁ ଅଧିକ ଭୋଟର କଲେ ମତଦାନ; ଫଳାଫଳ ଆସିବାକୁ ହୋଇପାରେ ବିଳମ୍ବ

125

କନକ ବ୍ୟୁରୋ: ବିଶ୍ୱର ସବୁଠାରୁ ପୁରୁଣା ଗଣତନ୍ତ୍ର ଆମେରିକାରେ ଚାଲିଛି ରାଷ୍ଟ୍ରପତି ପଦ ପାଇଁ ଲଢ଼େଇ । ବିଶ୍ୱର ସବୁଠାରୁ କ୍ଷମତାଶାଳୀ ରାଷ୍ଟ୍ର ଆମେରିକାର ଡୋର କାହା ହାତରେ ରହିବ ? ଏଥିପାଇଁ ମଙ୍ଗଳବାର ମତଦାନ କରିଛନ୍ତି ଆମେରିକୀୟ ଭୋଟର । କରୋନା ମହାମାରୀ ସଂକଟ ଭିତରେ ମଧ୍ୟ ୧୦ କୋଟିରୁ ଅଧିକ ଭୋଟର ଭୋଟ ଦେଇଛନ୍ତି । ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ଟା, ଆମେରିକୀୟ ସମୟ ଅନୁସାରେ ସକାଳ ୬ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଥିଲ । ଭୋଟ ଆରମ୍ଭ ହେବାବେଳଠୁ ବହୁ ସଂଖ୍ୟାରେ ଭୋଟର ଆସି ଭୋଟ ଦେଇଥିବା ଦେଖିବାକୁ ମିଳିଛି । ଆମେରିକାରେ ଏହା ଏକ ରେକର୍ଡ ସଂଖ୍ୟକ ମତଦାନ ବୋଲି କୁହାଯାଉଛି ।

ଅର୍ଥାତ ଏବେ ଭୋଟ ବାକ୍ସରେ ସିଲ୍ ହୋଇଛି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନଙ୍କ ଭାଗ୍ୟ । ଏଥିସହ ବହୁ ସଂଖ୍ୟାରେ ନାଗରିକ ମେଲ ଇନ୍ ବ୍ୟାଲାଟ ଓ ପୋଷ୍ଟାଲ ଜରିଆରେ ଭୋଟ ଦେଇଛନ୍ତି । କେତେକ ପ୍ରଦେଶରେ ନଭେମ୍ବର ୧୦ ରୁ ୧୩ ପର୍ଯ୍ୟନ୍ତ ଏଭଳି ପ୍ରକ୍ରିୟା ଜାରି ରଖିବାକୁ ଅନୁମତି ମିଳିଛି । ତେଣୁ ଫଳାଫଳ ଆସିବାକୁ ବିଳମ୍ବ ହୋଇପାରେ । ଗଣତନ୍ତ୍ରର ଏହି ମହାନପର୍ବରେ ସାମିଲ ହୋଇ ଭୋଟ ଦେଇଛନ୍ତି ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ । ସେ ଫ୍ଲୋରିଡାର ୱେଷ୍ଟ ବିଚରେ ତାଙ୍କର ମତଦାନ କରିଛନ୍ତି । କିଏ ହେବ ଆମେରିକାର ରାଷ୍ଟ୍ରପତି ତା ଉପରେ ସାରା ବିଶ୍ୱର ନଜର ରହିଛି ।

ଆମେରିକାରେ କେମିତି ହୁଏ ରାଷ୍ଟ୍ରପତି ନିର୍ବାଚନ? 

ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଆମେରିକାରେ ସାଧାରଣ ନିର୍ବାଚନ ଭାରତ ଭଳିି ହୋଇନଥାଏ । ସେଠାକାର ଜନତା ସିଧାସଳଖ ନିଜର ଶାସନ ମୁଖ୍ୟ ବା ରାଷ୍ଟ୍ରପତିଙ୍କୁ ବାଛିନଥାନ୍ତି । ବରଂ ପରୋକ୍ଷା ନିର୍ବାଚନ ଦ୍ୱାରା ଆମେରିକାରେ ସର୍ବୋଚ୍ଚ ନେତା ବାଛିବାର ପରମ୍ପରା ରହିଛି ।