ଆମେରିକା କ୍ୟାପିଟଲ ହଲ ଆକ୍ରମଣ ଘଟଣା । ବରଖାସ୍ତ ହୋଇପାରନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମହାଭିଯୋଗ ଚଳାଇବାକୁ ବାଚସ୍ପତିଙ୍କ ଦାବି

118

କନକ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ମାନେ କ୍ୟାପିଟଲ ହିଲ୍ ରେ ପ୍ରବେଶ କରି ଆକ୍ରମଣ କରିବା ପରେ ଆମେରିକା ରାଜନୀତି ଏବେ ସରଗରମ ରହିଛି । ଟ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହେବା ଓ ଡେମୋକ୍ରାଟିକ୍ ପାର୍ଟିର ନେତା କ୍ଷମତା ଦଖଲ କରିବାକୁ ମାତ୍ର ୧୨ ଦିନ ବାକି ରହିଛି । ହେଲେ ଏବେ ଟ୍ରମ୍ପଙ୍କ ଉପରେ ମହାଭିଯୋଗ ଚଳାଇବାକୁ ଆଲୋଚନା ଚାଲିଛି । ଆମେରିକା ସଂସଦର ବାଚସ୍ପତି ନାନସୀ ପେଲୋସି ମହାଭିଯୋଗ ନେଇ ସଂକେତ ଦେବା ସହ ଟ୍ରମ୍ପ ତୁରନ୍ତ ରାଷ୍ଟ୍ରପତି ପଦ ଛାଡନ୍ତୁ ବୋଲି ଦାବି କରିଛନ୍ତି    ।

କ୍ୟାପିଟଲ ହଲ ଉପରେ ଆକ୍ରମଣ ହେବା ପରେ ଆମେରିକା ସଂସଦର ବାଚସ୍ପତି ନାନସୀ ପେଲୋସି ପୁରା ସକ୍ରିୟ ହୋଇ ଉଠିଛନ୍ତି । ଏହା ସହ ସେ ଟ୍ରମ୍ପଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ଆଣିବା ସହ ସେ ତୁରନ୍ତ ପଦ ଛାଡନ୍ତୁ ବୋଲି ଦାବି କରିଛନ୍ତି । ଡେମୋକ୍ରାଟିକ ସାଂସଦ ମାନଙ୍କ ସହ ବୈଠକ ବେଳେ ସେ ଆଶଂକା କରିଛନ୍ତି କି ଏହି କେତେଦିନ କ୍ଷମତାରେ ରହିବା ଦ୍ୱାରା ଟ୍ରମ୍ପ ପରାମାଣୁ ଯୁଦ୍ଧ କରିପାରନ୍ତି । ସେ କହିଛନ୍ତି କି ଆମେରିକା ଓ ଆମେରିକା ଲୋକତନ୍ତ୍ରର ସୁରକ୍ଷା ପାଇଁ ଟ୍ରମ୍ପଙ୍କ ଉପରେ ମହାଭିଯୋଗ ଚଳାଇବା ଆବଶ୍ୟକ । ଏହାପରେ ବି ଯଦି ଟ୍ରମ୍ପ ସ୍ୱଇଚ୍ଛାରେ ପଦ ନଛାଡନ୍ତି ତାହେଲେ ସଂସଦ ତରଫରୁ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଆମେରିକା ଇତିହାସରେ ଟ୍ରମ୍ପ ଏଭଳି ଜଣେ ରାଷ୍ଟ୍ରପତି ଯେ ଗୋଟିଏ ଥର କ୍ଷମତା କାଳ ମଧ୍ୟରେ ତାଙ୍କ ଉପରେ ଦ୍ୱିତୀୟ ଥର ମହାଭିଯୋଗ ଚାଲିପାରେ । ଏହା ପୂର୍ବରୁ ୨୦୧୯ ମସିହାରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ହୋଇଥିଲା । କାରଣ ଥିଲା ୨୦୨୦ ମସିହାରେ ରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ୟୁକେନ ଠାରୁ ସାହାଯ୍ୟ ମାଗିବା ଭଳି ଅଭିଯୋଗ ହୋଇଥିଲା । କୁହାଯାଇଥିଲା କି ଜୋ-ବାଇଡେନ ଓ ତାଙ୍କ ପୁଅ ହଣ୍ଟର ବାଇଡେନଙ୍କୁ ୟୁକେନ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଥିଲା । ଟ୍ରମ୍ପ ଚାହୁଁଥିଲେ କି ଏହି ଆର୍ଥିକ କାରବାର ଲୋକଙ୍କ ସାମ୍ନାକୁ ଆସୁ । ଯାହାଦ୍ୱାରା ଲୋକଙ୍କ ନଜରରେ ବାଇଡେନଙ୍କ ଛବି ମଳିନ ପଡିଯିବ ।

ଏନେଇ ଟ୍ରମ୍ପ ଓ ୟୁକେନ ରାଷ୍ଟ୍ରପତିଙ୍କ ମଧ୍ୟରେ ଫୋନରେ ଅନେକ ସମୟ ଧରି କଥାବାର୍ତ୍ତା ହୋଇଥିଲା । ସେମାନଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ରେକର୍ଡ ଗୋଇନ୍ଦା ସଂସ୍ଥା ହାତରେ ପଡିଥିଲା ଓ ତାହାକୁ ଗୋଇନ୍ଦା ସଂସ୍ଥା ସାର୍ବଜନୀନ କରିଥିଲା । ଏହାକୁ ନେଇ ବିରୋଧୀ ମାନେ ଅଭିଯୋଗ କରିଥିଲେ କି ଟ୍ରମ୍ପ ୟୁକେନ ରାଷ୍ଟ୍ରପତିଙ୍କୁ ବାଇଡେନଙ୍କ ସହ ହୋଇଥିବା ଆର୍ଥିକ କାରବାରର ଯାଂଚ କରିବାକୁ ଚାପ ପକାଉଛନ୍ତି । ଏହାସହ ବିରୋଧୀ ମାନେ ଅଭିଯୋଗ ଆଣିଥିଲେ କି ଯଦି ୟୁକେନ ରାଷ୍ଟ୍ରପତି ଏଭଳି ନକରନ୍ତି ତାହେଲେ ୟୁକେନକୁ ଆମେରିକା ଦେଇଥିବା ସୈନ୍ୟ ପ୍ରତ୍ୟାହାର କରିବାକୁ ବି ଟ୍ରମ୍ପ୍ ଧମକ ଦେଉଛନ୍ତି । ହେଲେ ବିରୋଧୀ ମାନଙ୍କର ଏଭଳି ଅଭିଯୋଗର ପ୍ରମାଣ ନମିଳିବାରୁ ଟ୍ରମ୍ପଙ୍କ ଉପରେ ମହାଭିଯୋଗ ଚାଲିପାରି ନଥିଲା । ଏବେ ପୁଣି ଦ୍ୱିତୀୟଥର ପାଇଁ ଟ୍ରମ୍ପଙ୍କ ଉପରେ ମହାଭିଯୋଗ ଚାଲିବା ନେଇ ଆଲୋଚନା ଜୋର ଧରିଛି । ହେଲେ ତାଙ୍କର କାର୍ଯ୍ୟକାଳ ୧୨ ଦିନ ବାକି ଥିବାରୁ ପ୍ରସ୍ତାବ ପାରିତ ହୋଇ ମହାଭିଯୋଗ ହେବା କଷ୍ଟକର କିନ୍ତୁ ଅସମ୍ଭବ ନୁହେଁ । ଯଦି ଟ୍ରମ୍ପଙ୍କ ଉପରେ ମହାଭିଯୋଗ ଚାଲେ ତେବେ ସେ ୨୦୨୪ ରେ ପୁଣିଥରେ ରାଷ୍ଟ୍ରପତି ଭାବେ ନିର୍ବାଚନ ଲଢିପାରିବେ ନାହିଁ ।

ଆମେରିକାର ସମ୍ବିଧାନ ମୁତାବକ ରାଷ୍ଟ୍ରପତିଙ୍କ ବିରୋଧରେ ଦେଶଦ୍ରୋହ, ଲାଂଚ, ଓ ଅନ୍ୟ କିଛି ସଂଗୀନ ଅଭିଯୋଗ ଆସିଲେ ତାଙ୍କୁ ମହାଭିଯୋଗର ସାମ୍ନା କରିବାକୁ ପଡିଥାଏ । ଏହି ଅଭିଯୋଗର ଶୁଣାଣି ଏକ ସ୍ୱତନ୍ତ୍ର ପ୍ରକ୍ରିୟା ମାଧ୍ୟମରେ ଚାଲିଥାଏ । ଯାଂଚ ପରେ ଅପରାଧର ପ୍ରମାଣ ସଂସଦର ନ୍ୟାୟ ସମିତିକୁ ଦିଆଯାଇଥାଏ । ଏହି ସମିତି ପୁଣିଥରେ ପ୍ରମାଣକୁ ଯାଂଚ କରେ ଓ ଶୁଣାଣି କରିଥାଏ । ଶୁଣାଣି ପରେ ତାହାକୁ ଡ୍ରାଫ୍ଟ କରି ସବୁ ପ୍ରମାଣକୁ ସିନେଟର ସମସ୍ତ ସଦସ୍ୟଙ୍କ ନିକଟରେ ପହଂଚାଯାଇଥାଏ ।

୨୦୧୯ ରେ ଏହି ଅଭିଯୋଗ ପରେ ପ୍ରକ୍ରିୟା ପାଖା ପାଖି ୩ ମାସ ଯାଏ ଚାଲିଥିଲା । ହେଲେ ଏବେ କଥା ହେଉଛି ସିଧା କ୍ୟାପିଟଲ୍ ହଲ୍ ଉପରେ ଆକ୍ରମଣ । ତେଣୁ ଏନେଇ ଡେମୋକ୍ରାଟିକ ସଦସ୍ୟଙ୍କ ଉପରେ କୌଣସି ଯାଂଚ ହେବାର ସମ୍ଭାବନା ନାହିଁ । ଖୋଦ ସଂସଦର ବାଚସ୍ପତି ନାନସୀ ପେଲୋସି ମହାଭିଯୋଗ ପାଇଁ ଦାବି କରିଛନ୍ତି । ତେଣୁ ଏମିତି ବି ହୋଇପାରେ ପ୍ରମାଣ ଜମା କରିବା ଓ ଯାଂଚ ବଦଳରେ ସିଧା ସଳଖ ଭୋଟ ହେବ ଓ ଯାଂଚ ସମିତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ନାନସୀ ପେଲୋସି କହିଛନ୍ତି କି ଏହା ମଧ୍ୟରେ ଉପରାଷ୍ଟ୍ରପତି ମାଇକ୍ ଫେନ୍ସ ଓ ଅନ୍ୟ କ୍ୟାବିନେଟ୍ ସଦସ୍ୟ ମାନେ ଟ୍ରମ୍ପଙ୍କୁ ସମ୍ବିଧାନର ୨୫ ତମ ସଂଶୋଧନ ପ୍ରକ୍ରିୟା ସହାୟତାରେ ପଦରୁ ହଟାଇ ଦେବେ ତେବେ ମହାଭିଯୋଗ ପ୍ରକ୍ରିୟା ଚଳାଇବାର କୌଣସି ଆବଶ୍ୟକତା ପଡିବ ନାହିଁ । କହିରଖୁ କି ଆମେରିକୀୟ ସମ୍ବିଧାନର ୨୫ ସଂଶୋଧନ ରେ କୁହାଯାଇଛି କି ଯଦି ଜଣେ ରାଷ୍ଟ୍ରପତି ଅଯୋଗ୍ୟ ଘୋଷିତ ହେଲେ ତାହେଲେ ବାକି କାର୍ଯ୍ୟକାଳ ଉପରାଷ୍ଟ୍ରପତି ସମ୍ଭାଳି ପାରିବେ । ଟ୍ରମ୍ପ ବର୍ତ୍ତମାନ ଯେଭଳି କ୍ଷମତାରେ ଥାଇ ବି ହିଂସାକୁ ପ୍ରୋତ୍ସାହିତ କରୁଛନ୍ତି ତାହାକୁ ଦେଖିଲେ ଏହା ମନେହୁଏ ଯେ ସେ ରାଷ୍ଟ୍ରପତି ପଦ ପାଇଁ ଯୋଗ୍ୟ ନୁହେଁ । ତାଙ୍କର ଅସ୍ଥିରତା ନା କେବଳ ଆମେରିକା ନୁହେଁ ପୁରା ବିଶ୍ୱକୁ ଆଶ୍ଚର୍ଯ୍ୟନ୍ୱତ କରିଛି । ଏପଟେ ପ୍ରଥମଥର ପାଇଁ ଜଣେ ବାଚସ୍ପତି ରାଷ୍ଟ୍ରପତିଙ୍କ ବରଖାସ୍ତ ଦାବି କରିଛନ୍ତି । ଯଦି ଟ୍ରମ୍ପ୍ ନିଜ ତରଫରୁ ପଦ ନଛାଡନ୍ତି ତାହେଲେ ତାଙ୍କୁ ବରଖାସ୍ତ କରିବାକୁ ଆମେରିକା ସମ୍ବିଧାନରେ ପ୍ରାବଧାନ ରହିଛି ।

ଏପଟେ ମହାଭିଯୋଗକୁ ନେଇ ସଂସଦରେ ଅନେକ ଆଶଂକା ଦେଖା ଦେଇଛି । ଜାନୁଆରୀ ୨୦ ତାରିଖରେ ବାଇଡେନ୍ ଶପଥ ନେବେ । ଏହାକୁ ନଜରରେ ରଖି ସାଂସଦ ମାନେ ଆଶଂକା କରିଛନ୍ତି କି ଏହି ସମୟରେ ଯଦି ଟ୍ରମ୍ପଙ୍କୁ ବରଖାସ୍ତ କରାଯାଏ ତାହେଲେ ବାଇଡେନଙ୍କ କାର୍ଯ୍ୟାକାଳ ଆରମ୍ଭରୁ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଅର୍ଦ୍ଧାଧିକ ସଦସ୍ୟଙ୍କ ମତ ଯେ ଯଦି ଏବେ ଏଭଳି କରାଯିବ ତାହା ଭଲ ଠାରୁ ଅଧିକ ମାରାତ୍ମକ ହେବ । ଅନ୍ୟପଟେ କିଛି ସାଂସଦ କହିଛନ୍ତି କି ଦେଶବାସୀ ଓ ବାଇଡେନଙ୍କୁ ଯେତେ ବି ମୁସ୍କିଲର ସାମ୍ନା କରିବାକୁ ପଡୁ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଆସିବା ନିହାତି ଦରକାର । କାରଣ ଆଗକୁ ଆମେରିକାର ଯିଏ ବି ରାଷ୍ଟ୍ରପତି ହେଉ ସେ ନିଶ୍ଚିନ୍ତ ଭାବେ ସଚେତନ ହେବ ।