ଆମେରିକାରେ ପ୍ରତିବାଦକାରୀଙ୍କୁ ଟ୍ରମ୍ପଙ୍କ ଧମକ । ‘ସଂଜମତା ରକ୍ଷା ନକଲେ ସେନା କାର୍ଯ୍ୟାନୁଷ୍ଠାନ’ ।

688

କନକ ବ୍ୟୁରୋ : ଆମେରିକାରେ ପ୍ରତିବାଦକାରୀଙ୍କୁ ଟ୍ରମ୍ପଙ୍କ ଧମକ । ‘ସଂଜମତା ରକ୍ଷା ନକଲେ ସେନା କାର୍ଯ୍ୟାନୁଷ୍ଠାନ’ । ଆମେରିକାରେ ଅଣାୟତ ହେବାରେ ଲାଗିଛି ପରିସ୍ଥିତି । ଦେଶରେ ସର୍ବଶକ୍ତିମାନ ନେତାଙ୍କ କାର୍ଯ୍ୟାଳୟ ଆଡକୁ ବଢୁଥିବା ଏହି ଭିଡ, ରାଷ୍ଟ୍ରପତିଙ୍କୁ ଲୁଚିଯିବା ପାଇଁ ବାଧ୍ୟ କରିଥିଲା । ସୁରକ୍ଷା ଦୃଷ୍ଟିରୁ ଗୋଟିଏ ଘଂଟା ପାଇଁ ଅଣ୍ଡରଗ୍ରାଉଣ୍ଡ ବଂକରକୁ ଚାଲିଯାଇଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକାରେ ଗତ କିଛିଦିନ ହେଲା ଜାରି ରହିଥିବା ପ୍ରତିବାଦ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଅଶାନ୍ତିର ନିଆଁ ଦେଶର ୧୪୦ ସହରକୁ ବ୍ୟାପିଯାଇଛି ।

ପ୍ରତିବାଦ ପ୍ରଦର୍ଶନକାରୀ କଡା ପୋଲିସ ପହରାକୁ ବେଖାତିର କରି ହ୍ୱାଇଟହାଉସର ପାଚେରୀ ଡେଇଁବାକୁ ବି ପ୍ରୟାସ କରିଛନ୍ତି । ରାତିର କର୍ଫ୍ୟୁକୁ ମାନିବା ପାଇଁ ଏମାନେ ନାରାଜ । ହେଲେ ପ୍ରତିବାଦ ନାଁରେ ନିଆଁ ଜଳାଇ ଅରାଜକତା ଓ ଲୁଟପାଟ କରୁଥିବା ଲୋକଙ୍କୁ ଖୋଲା ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ହ୍ୱାଇଟହାଉସରୁ ଦେଶକୁ ସମ୍ବୋଧିତ କରି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ରାଜ୍ୟଗୁଡିକୁ ପର୍ଯ୍ୟାପ୍ତ ନ୍ୟାସନାଲ ଗାର୍ଡ ମୁତୟନ ପାଇଁ କୁହାଯାଇଛି । ତଥାପି ଶାନ୍ତି ପ୍ରତିଷ୍ଠା ନହେଲେ ସେ ସେନା ପଠାଇବାକୁ ପ୍ରସ୍ତୁତ ।

ପ୍ରାୟ ଗୋଟିଏ ସପ୍ତାହ ତଳେ ମିନିଆପୋଲିସରୁ ଆରମ୍ଭ ହୋଇଥିବା ଏହି ପ୍ରତିବାଦ, ପ୍ରାରମ୍ଭିକ ଅବସ୍ଥାରେ ଶାନ୍ତିପୂର୍ଣ୍ଣ ଥିଲା । ହେଲେ ଧିରେଧିରେ ଏହା ଉଗ୍ରହୋଇ ପରିସ୍ଥିତି ଏମିତି ହେଲା, ଯେତେବେଳେ ସାମ୍ନାସାମ୍ନି ହେଲେ ନ୍ୟାସନାଲ ଗାର୍ଡ ଓ ପ୍ରତିବାଦ ପ୍ରଦର୍ଶନକାରୀ । ମିନିଆପୋଲିସ ରାସ୍ତାରେ ଜଣେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୋଏଡଙ୍କର ଗିରଫଦାରି ହେଲା । ଅତି ନିର୍ମମ ଭାବେ ପୋଲିସ ତାଙ୍କୁ ମାଡି ବସିଥିବାବେଳେ ସେ ସହାୟତା ପାଇଁ ଗୁହାରି କରୁଥିଲେ । ହେଲେ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ପରେ ବର୍ଣ୍ଣ ବୈସମ୍ୟର ନିଆଁ ଆମେରିକାରେ ଖୁବଜୋରରେ ବ୍ୟାପିବାରେ ଲାଗିଛି । ଯାହାର ଫଳରେ ଇତିହାସର ସବୁଠାରୁ ଅଶାନ୍ତ ସମୟ ଦେଇ ଗତିକରୁଛି ଆମେରିକା । ଫ୍ଲୋଏଡଙ୍କ ବର୍ବରୋଚିତ ହତ୍ୟା ପାଇଁ ଦୁଃଖ ପ୍ରକାଶ କରିବା ସହ ନ୍ୟାୟ କରାଯିବ ବୋଲି କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ହେଲେ ହତ୍ୟାକାଣ୍ଡକୁ ନେଇ ହେଉଥିବା ପ୍ରତିବାଦ ପ୍ରଦର୍ଶନକୁ ଘରୋଇ ଆତଙ୍କବାଦ ବୋଲି ବିବେଚନା କରୁଛନ୍ତି । ଭିଡକୁ ଉସୁକାଇବା ପଛରେ ବାମପନ୍ଥୀ ଓ ଅରାଜକ ତତ୍ୱଙ୍କ ସମର୍ଥନ ରହିଥିବା ଅଭିଯୋଗ କରୁଛନ୍ତି ।

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ସମ୍ଭାବ୍ୟ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବେଡେନ ଟ୍ୱିଟରରେ ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ପ୍ରଦର୍ଶନ ବେଳେ ପ୍ରତିବାଦକାରୀଙ୍କ ସହ ରାସ୍ତାରେ ବସିଥିଲେ । ଏଥିସହ ପ୍ରତିଶ୍ରୁତି ଦେଇଥିଲେ ଯେ, ସେ ପ୍ରତିବାଦକାରୀଙ୍କ କଥାକୁ ଶୁଣିବେ ଓ ଆନ୍ଦୋଳନକୁ ଏମିତି ମୋଡ ଦେବେ ଯାହା ଦେଶରେ ପରିବର୍ତନ ଆଣିପାରିବ ।

ବିଶ୍ୱ ମହାମାରୀ କରୋନା ସହ ଲଢୁଥିବା ଆମେରିକାରେ ଏହି ହିଂସାତ୍ମକ ଆନ୍ଦୋଳନ ଟ୍ରମ୍ପ ପ୍ରଶାସନ ପାଇଁ ଆଉ ଏକ ବିରାଟ ସଂକଟ ସୃଷ୍ଟି କରିଛି । କାରଣ ପ୍ରତିବାଦକାରୀଙ୍କ ଭିତରେ କିଛି ଏମିତି ଲୋକ ବି ଅଛନ୍ତି, ଯେଉଁମାନେ ଚିନ୍ତା କରୁଛନ୍ତି ଯେ, ଏହି ଆନ୍ଦୋଳନ ଦେଶରେ ବର୍ଣ୍ଣ ବୈସମ୍ୟକୁ ଦୂର କରିବାର ସଂଘର୍ଷରେ ବଡ ଅଭିଯାନ ହେବ । ଆଉ ହିଂସା ବିନା ଏମାନଙ୍କ କଥା ଶୁଣାଯିବ ନାହିଁ । ପରିସ୍ଥିତିକୁ ସମ୍ଭାଳିବା ପାଇଁ ସହରରେ କର୍ଫ୍ୟୁ ଜାରି କରିବା ସହ ନ୍ୟାସନାଲ ଗାର୍ଡ ମୁତୟନ କରିବାକୁ ରାଜ୍ୟ ଗଭର୍ଣ୍ଣର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ ।