କନକ ବ୍ୟୁରୋ : ଆସନ୍ତା ନଭେମ୍ୱର ୩ ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ । ଏହା ଆଗରୁ ଆମେରିକାର ପ୍ରମୁଖ ଗଣମାଧ୍ୟମ ଏବଂ ଫେସବୁକ୍ ଏବଂ ଟୁଇଟର ପରି ସୋସିଆଲ୍ ମିଡିଆ ଉପରେ ଜୋରଦାର ବର୍ଷିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କ ପ୍ରତିପକ୍ଷ ରହିଥିବା ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଜୋ ବିଡେନଙ୍କ ୟୁକ୍ରେନ୍ ଦୁର୍ନୀତି ସମ୍ପର୍କିତ ଏକ ଖବର ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ହୋଇଛି । ତେବେ ଏହି ଖବରକୁ ସେୟାର କରିବାରେ କଟକଣା ଜାରି କରିଛି ସୋସିଆଲ୍ ମିଡିଆ ଫେସବୁକ୍ ଏବଂ ଟୁଇଟର । ବାସ୍ ଏହି ଘଟଣାକୁ ନେଇ ଟୁଇଟର ଏବଂ ଫେସବୁକ୍ ଉପରେ ବର୍ଷିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ ।
ବିଶେଷକରି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଡେମୋକ୍ରାଟିକ୍ ପାର୍ଥୀ ଥିବା ଜୋ ବିଡେନଙ୍କୁ ନେଇ ଏହି ଖବର ଉପରେ କଟକଣା ଲଗାଇବା କଥାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଟ୍ରମ୍ପ । ଏହି ଖବର ଦୁର୍ନୀତିଗ୍ରସ୍ତ ବିଡେନ ଓ ତାଙ୍କ ପୁଅର ଗୁମର ଖୋଲିଦେବ । ଏହା ଉପରେ ଅଙ୍କୁଶ ଲଗାଯିବା ଫଳରେ ଏହା ତାଙ୍କ ପ୍ରତି ସମବେଦନା ସୃଷ୍ଟି କରିବାକୁ ଉଦ୍ୟମ କରିବ । ଆମେରିକା ନାଗରିକ ଏହାର ଫଳ ଆଗାମୀ ଦିନରେ ଭୋଗିବେ ବୋଲି ଚେତାଇ ଦେଇଛନ୍ତି ଟ୍ରମ୍ପ । ସିଧାସଳଖ ଫେସବୁକ୍ ଏବଂ ଟୁଇଟରକୁ ଗାଳି କରିବା ସହ ଏହାକୁ ନେଇ ଟୁଇଟ୍ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ସେପଟେ ଟ୍ରମ୍ପଙ୍କ ଏପରି ଅଭିଯୋଗ ପରେ ପରେ କ୍ଷମାପ୍ରାର୍ଥନା ସହି ଜବାବ ରଖିଛନ୍ତି ଟୁଇଟର ମୁଖ୍ୟ ଜ୍ୟାକ୍ ଡୋରସେ । ବିଡେନଙ୍କ ୟୁକ୍ରେନ୍ ଷ୍ଟୋରୀ ସହିତ କିଛି ବ୍ୟକ୍ତିଗତ ଇମେଲ୍ ଠିକଣା ରହିଥିବାରୁ ଏହାକୁ ପ୍ରାଇଭେଟ୍ ରଖାଯାଇଛି । କୌଣସି ବ୍ୟକ୍ତି ଏହାକୁ ସେୟାର କରିବା ନେଇ କଟକଣା ରଖାଯାଇଥିବା ସେ ସଫେଇ ରଖିଛନ୍ତି ।