କ୍ଷମତାର ଅପବ୍ୟବହାର ନେଇ ଆଉ ପାଦେ ଆଗେଇ ପାରନ୍ତି ଟ୍ରମ୍ପ: କ୍ୟାପିଟଲ ହିଲ୍ କାଣ୍ଡରେ ନିଜକୁ ନିଜେ କରିପାରନ୍ତି କ୍ଷମା, ରାଷ୍ଟ୍ରପତି ଭାବେ ରହିଛି ରାଜକ୍ଷମା ଅଧିକାର; ଆମେରିକୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ

ସେପଟେ, ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଆଣି ପଦରୁ ବହିସ୍କାର ପାଇଁ ଜୋର ଧରୁଛି ଦାବି

152

କନକ ବ୍ୟୁରୋ: ଆମେରିକାରେ କ୍ଷମତା ହସ୍ତାନ୍ତରକୁ ନେଇ ରାଜନୈତିକ ଦଙ୍ଗା ଓ ହିଂସା ଘଟଣାରେ ନିଜେ ନିଜକୁ କ୍ଷମା ଦେଇପାରନ୍ତି ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତିଙ୍କ କ୍ଷମତା ବଳରେ ସେ ଏବେ ନିଜକୁ ରାଜକ୍ଷମା ଦେବା ଉପରେ ବିଚାର କରୁଥିବା ଆମେରିକୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଅନ୍ୟପଟେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣି କ୍ଷମତାରୁ ବହିଷ୍କାର କରିବାକୁ ଆମେରିକାରେ ଦାବି ହେଉଛି ।

ଯେଉଁ ଘଟଣାକୁ ସାରା ବିଶ୍ୱ ନିନ୍ଦା କରୁଛି, ଗଣତନ୍ତ୍ରର ଉପରେ ଆକ୍ରମଣ ବୋଲି କୁହାଯାଉଛି, ସେହି ‘କ୍ୟାପିଟଲ ହିଲ୍ କାଣ୍ଡ’କୁ ନେଇ ନିଜକୁ ନିଜେ ସାର୍ଟିଫିକେଟ୍ ଦେବାକୁ ବିଚାର କରୁଛନ୍ତି ଡୋନାଲ ଟ୍ରମ୍ପ । ବିଶ୍ୱର ସର୍ବପୁରାତନ ଗଣତନ୍ତ୍ରର ଗୌରବମୟ ପରମ୍ପରାକୁ ଆଳ କରି ଟ୍ରେମ୍ପ, ଖସି ଯିବାକୁ ଯୋଜନା କରୁଥିବା ଆର୍ନ୍ତଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ରାଷ୍ଟ୍ରପତି ହିସାବରେ ନିଜେ ନିଜକୁ କ୍ଷମା କରିବାର ଅଧିକାର ଡୋନାଲ ଟ୍ରମ୍ପଙ୍କ ପାଖରେ ରହିଛି । ଆମେରିକୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟରୁ ଜଣାପଡିଛି, ଯେ ଟ୍ରମ୍ପ ନିଜେ ନିଜକୁ ରାଜକ୍ଷମା କରିବାକୁ ଚାହୁଁଛନ୍ତି । ଆମେରିକାର ରାଷ୍ଟ୍ରପତି ଭାବରେ ତାଙ୍କ ପାଖରେ ନିଜକୁ ନିଜେ କ୍ଷମା କରିବାର ଭିଟୋ ପାୱାର ରହିଛି ।

କ୍ୟାପିଟଲ ହିଲ୍ ହଙ୍ଗାମା ପରେ ସାରା ବିଶ୍ୱର ଅଙ୍ଗୁଳି ଟ୍ରମ୍ପଙ୍କ ଆଡକୁ ଉଠୁଥିବା ବେଳେ ନିଜକୁ ନିଜେ କ୍ଷମା କରିଦେବା ନେଇ ବିଚାର କରିବା ଚର୍ଚ୍ଚା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆଉ ଏହାରି ଭିତରେ ନିର୍ବାଚନୀ ଲଢେଇ ପରେ ପ୍ରଥମ ଥର ଟ୍ରମ୍ପ ଏହାକୁ ଚ୍ୟାଲେଞ୍ଜ କରିବା ପରିବର୍ତେ କ୍ଷମତା ହସ୍ତାନ୍ତର କରିବାକୁ ରାଜି ହୋଇ ଯାଇଛନ୍ତି । ଏକ ଭିଡିଓ ଜାରି କରି ବାଇଡେନଙ୍କୁ କ୍ଷମତା ହସ୍ତାନ୍ତର ପାଇଁ ଘୋଷଣା କରିଛନ୍ତି ସତ, କିନ୍ତୁ ବାଇଡେନଙ୍କ ନିର୍ବାଚନ ଉପରେ ପ୍ରଶ୍ନ ଉଠାଇବାକୁ ଭୁଲିଲେ ନାହିଁ ।

କ୍ୟାପିଟଲ ହିଲ ହିଂସାକାଣ୍ଡ ପାଇଁ ଟ୍ରମ୍ପଙ୍କୁ ଦାୟୀ କରି ତାଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ଯୋଜନା ଚାଲିଛି । ହାଉସ ଅଫ ରିପ୍ରେଜେଂଟେଟିଭର ସ୍ପିକର ନାନ୍ସି ପେଲୋସି ଏବଂ ସିନେଟରେ ନେତା ଚୁକ ସ୍କୁମର ମହାଭିଯୋଗ ଆଣିବା ପାଇଁ ଉପରାଷ୍ଟ୍ରପତି ମାଇକ ପେନ୍ସଙ୍କ ନିକଟରେ ଦାବି କରିଛନ୍ତି । ଏପରିକି ନାନ୍ସି ପେଲୋସି କହିଛନ୍ତି ଉପରାଷ୍ଟ୍ରପତି ଯଦି ଅଭିଯୋଗ ଆଧାରରେ ପ୍ରକ୍ରିୟା ଆରମ୍ଭ ନକରନ୍ତି ତେବେ ସେ ସଦନର ବୈଠକ ଡକାଇ ମହାଭିଯୋଗ ପ୍ରସ୍ତାବ ଆଗତ କରିବେ । ତେଣୁ ଅବଧି ଶେଷ ହେବା ଆଗରୁ ଟ୍ରମ୍ପଙ୍କୁ ହ୍ୱାଇଟ୍ ହାଉସ୍ରୁ ବିଦା କରାଯାଇପାରେ ।