ଜୋ-ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ନାହିଁ ଡୋନାଲ୍ଡ ଟ୍ରମ୍ପ : ଭିଡିଓ ବାର୍ତ୍ତା ଜାରି କରି ଦେଲେ ସୂଚନା;ବାଇଡେନ୍ କହିଲେ, ଆମେରିକା ଇତିହାସର ସବୁଠାରୁ ଅଯୋଗ୍ୟ ରାଷ୍ଟ୍ରପତି

ସେପଟେ ସବୁଦିନ ପାଇଁ ଟ୍ରମ୍ପଙ୍କ ଟୁଇଟ ଆକାଉଂଟ ବ୍ଲକ କଲେ ଟୁଇଟର କର୍ତୁପକ୍ଷ

148

କନକ ବ୍ୟୁରୋ : ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଉତ୍ସବରେ ସାମିଲ ହେବେ ନାହିଁ ଡୋନାଲ୍ଡ ଟ୍ରମ୍ପ । ଆସନ୍ତା ୨୦ ତାରିଖରେ ହେବାକୁ ଥିବା ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବରେ ଟ୍ରମ୍ପ ସାମିଲ ହେବେ ନାହିଁ ବୋଲି ନିଜେ ଘୋଷଣା କରିଛନ୍ତି । ଆମେରିକା ସଂସଦ ଭବନ ହିଂସାକାଣ୍ଡ ପରେ ଆମେରିକା କଂଗ୍ରେସର ଫଳାଫଳକୁ ଏବେ ବି ଟ୍ରମ୍ପ ସ୍ୱୀକାର କରୁନଥିବା ଏହି କଥାରୁ ସ୍ପଷ୍ଟ ହୋଇଛି ।

ଅନ୍ୟପକ୍ଷରେ ଟ୍ରମ୍ପ ପ୍ରଶାସନର ଅନେକ ଅଧିକାରୀ ମଧ୍ୟ ଏହା ମଧ୍ୟରେ ଇସ୍ତଫା ଦେଇସାରିଲେଣି । ଆମେରିକା ସଂସଦ ଭବନ ହିଂସାକାଣ୍ଡକୁ ଟ୍ରମ୍ପ ନିନ୍ଦା କରିଛନ୍ତି । କହିଛନ୍ତି ଯେଉଁମାନେ ଆଇନ ଭଂଗ କରିଛନ୍ତି ସେମାନେ ଦଣ୍ଡ ପାଇବା ଉଚିତ । ଏହି ଅବସରରେ ଭିଡିଓ ଜାରି କରି ଟ୍ରମ୍ପ ଆସନ୍ତା ୨୦ ତାରିଖରେ ଜୋ ବାଇଡେନଙ୍କ କ୍ଷମତା ହସ୍ତାନ୍ତର ଉତ୍ସବ ହେବା ନେଇ ସୂଚନା ଦେଇଥିଲେ । ତେବେ ବର୍ତମାନ ସେ ଏହି ଶପଥ କାର୍ଯ୍ୟକ୍ରମରେ ସାମିଲ ହେବେନାହିଁ ବୋଲି କହିବା ଆଉ ଏକ ବିବାଦୀୟ ସ୍ଥିତି ସୃଷ୍ଟି କରିଛି । କୌଣସି ବିଦାୟୀ ରାଷ୍ଟ୍ରପତି , ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଉତ୍ସବରେ ସାମିଲ ନହେବା ଆମେରିକା ଇତିହାସରେ ଏହା ପ୍ରଥମ ଘଟଣା ହେବ ।

ଟ୍ରମ୍ପଙ୍କ ଏପରି ଘୋଷଣା ପରେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ସେ ମଧ୍ୟ କ୍ଷମତାରେ ରହିବାକୁ ଯୋଗ୍ୟ ନୁହଁନ୍ତି । ଆମେରିକା ଇତିହାସରେ ସେ ହେଉଛନ୍ତି ସବୁଠାରୁ ଅଯୋଗ୍ୟ ରାଷ୍ଟ୍ରପତି । ଆମେରିକା ସଂସଦ ଭବନ ହିଂସାକାଣ୍ଡ ପରେ ନିଜ କାର୍ଯ୍ୟକାଳ ସରିବାର ୧୩ ଦିନ ଆଗରୁ ଟ୍ରମ୍ପ ନିଜ ପରାଜୟ ସ୍ୱୀକାର କରିଥିଲେ । ଏହା ପରେ ପରେ ଜୋ ବାଇଡେନଙ୍କ ଶପଥ ଉତ୍ସବରେ ସେ ସାମିଲ ହେବେ ନାହିଁ ବୋଲି ସୂଚନା ଦେଇଛନ୍ତି । ଏହି ଘଟଣା ଆଗକୁ ଆମେରିକା ରାଜନୀତିରେ ବିବାଦକୁ ଅଧିକ ଦିନ ଧରି ରଖିବ , ସଂଭାବନା ସୃଷ୍ଟି କରିଛି ।