source : The Indian Express
କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପୁଣିଥରେ ଚୀନ୍ ଉପରେ ପ୍ରବଳ ବର୍ଷିଛନ୍ତି। ଭାଇରସ୍ର ଆରମ୍ଭରୁ ହିଁ ଚୀନ୍ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହେଲା। ଚୀନ୍ର ବିଫଳତା ପାଇଁ ଏବେ ୧୮୪ଟି ରାଷ୍ଟ୍ର ନର୍କ ଯନ୍ତ୍ରଣା ଭୋଗୁଛନ୍ତି। ବିଶ୍ବର ଏହି ଅଦୃଶ୍ୟ ଶତ୍ରୁ ପାଇଁ ଟ୍ରମ୍ପ୍ ଖୋଲାଖୋଲି ଭାବେ ଚୀନ୍କୁ ଦାୟୀ କରିଛନ୍ତି ଏବଂ ଏନେଇ ଚୀନ୍ ବିରୋଧରେ ତଦନ୍ତ ମଧ୍ୟ ଆରମ୍ଭ କରିଛନ୍ତି। ଆମେରିକା, ବ୍ରିଟେନ୍ ଏବଂ ଜର୍ମାନୀର ନେତାମାନେ ଏହା ବିଶ୍ବାସ କରିଛନ୍ତି ଯେ, ଚୀନ୍ ଯଦି ଆରମ୍ଭରୁ ସଠିକ୍ ତଥ୍ୟ ପ୍ରଦାନ କରିଥାନ୍ତା ତେବେ ଭାଇରସ୍ ନିୟନ୍ତ୍ରଣରେ ରହିଥାନ୍ତା ଏବଂ ଏତେ ସଂଖ୍ୟାରେ ମୃତ୍ୟୁ ହୋଇନଥାନ୍ତା କି ବିଶ୍ବ ଅର୍ଥନୀତି ମଧ୍ୟ ଭୁଶୁଡ଼ି ପଡ଼ିନଥାନ୍ତା।
ଟ୍ରମ୍ପ୍ ହ୍ବାଇଟ୍ ହାଉସ୍ରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଏହା କହିଛନ୍ତି ଯେ, ଚୀନ୍ର ଭୁଲ୍ ପାଇଁ ଏବେ ଆମେ ୧୮୪ଟି ରାଷ୍ଟ୍ର ଭୋଗୁଛେ। ଆମେରିକାରେ କରୋନା ଆକ୍ରାନ୍ତ ଏବଂ ମୃତ୍ୟୁସଂଖ୍ୟା ବଢ଼ିବାରୁ ଆମେରିକୀୟ ସାଂସଦମାନେ ଏବେ ବେଜିଂ ଉପରେ ନିର୍ଭରଶୀଳ ନହେବାପାଇଁ ବେଜିଂଠାରୁ କୌଣସି ସହାୟତା ଗ୍ରହଣ ନକରିବାପାଇଁ ଟ୍ରମ୍ପ୍ଙ୍କ ଉପରେ ଚାପ ପକାଇଛନ୍ତି।
ସେପଟେ ଆମେରିକା ନୌସେନା ବାହିନୀର ଏକ ଯୁଦ୍ଧ ଜାହାଜ ୟୁଏସଏସ୍ କିଡ୍ରେ ୬୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। କାଲିଫର୍ଣ୍ଣିଆ ସାନ୍ ଡିଏଗୋରେ ଲାଗିଥିବା ଏହି ଜାହାଜରେ ସମୁଦାୟ ୩୦୦ ଜଣ କର୍ମଚାରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୬୪ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଅନ୍ୟ କର୍ମଚାରୀଙ୍କ ନମୁନା ଟେଷ୍ଟ୍ କରାଯାଇଥିବାବଳେ ସେମାନଙ୍କ ରିପୋର୍ଟ ଆସିନି। ଜାହାଜର ସମସ୍ତ କର୍ମଚାରୀ ଏବେ କ୍ବାରାଣ୍ଟିନ୍ରେ ଅଛନ୍ତି। ତେବେ ଆମେରିକାରେ ଦ୍ବିତୀୟ ଯୁଦ୍ଧ ଜାହାଜ ଭାବେ ନୌସେନାର ଏହି ଜାହାଜ କରୋନା ସଂକ୍ରମିତ ହୋଇଛି। ପୂର୍ବରୁ ଅନ୍ୟ ଏକ ବିମାନ ବାହକ ୟୁଏସ୍ଏସ୍ ଥିଓଡର ରୁଜ୍ଭେଲ୍ଟ୍ ବି କରୋନା ସଂକ୍ରମିତ ହୋଇଥିଲା।
Follow Us