କରୋନା ପଜିଟିଭ ଚିହ୍ନଟ ହେବା ପରେ ହସ୍ପିଟାଲ ଗଲେ ଆମେରିକା ରାଷ୍ଟ୍ରପତି: ୱାଲଟର ରିଡ୍ ଆର୍ମି ହସ୍ପିଟାଲରେ ଡୋନାଲ୍ଡ ଟ୍ରମ୍ପଙ୍କ ଚାଲିଛି ଚିକିତ୍ସା; ଭିଡିଓ ଜାରି କରି କହିଲେ, ଅଛନ୍ତି ସୁସ୍ଥ

228

କନକ ବ୍ୟୁରୋ: କୋଭିଡ ଆକ୍ରାନ୍ତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆର୍ମି ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି । ଆମେରିକାର ୱାଲଟର ରିଡ ମିଲିଟାରୀ ମେଡିକାଲ ସେଂଟରେ ତାଙ୍କୁ କରୋନାର ପ୍ରାଥମିକ ଚିକିତ୍ସା ଦିଆଯାଇଛି । ତେବେ ସେ ହ୍ୱାଇଟ ହାଉସ ଛାଡିବା ପୂର୍ବରୁ ଏକ ଭିଡିଓ ମ୍ୟାସେଜ ଜାରି କରିଥିଲେ । ଯେଉଁଥିରେ ସେ ସୁସ୍ଥ ଥିବା କହିଛନ୍ତି । ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଥମେ ଆଇସୋଲେସନରେ ଥିଲେ ତେବେ ଡାକ୍ତରଙ୍କ ପରାମର୍ଶ ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଆର୍ମି ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି ।

କରୋନାର ଚିକିତ୍ସା ପାଇଁ ସେ ଆସନ୍ତା କିଛି ଦିନ ୱାଲଟର ରିଡ ଆର୍ମିି ହସ୍ପିଟାଲରେ ବିତାଇବେ ବୋଲି ସୂଚନା ମିଳିଛି । ତେବେ ୱାଲଟର ରିଡ ଆର୍ମି ହସ୍ପିଟାଲରୁ ସେ କାମ କରିବା ଜାରି ରଖିବେ ବୋଲି ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ସେ କରୋନା ଆକ୍ରାନ୍ତ ଥିବା ନେଇ ଶୁକ୍ରବାର ସକାଳେ ଏକ ଟ୍ୱିଟ କରି ସୂଚନା ଦେଇଥିଲେ ନିଜେ ଡୋନାଲ୍ଡ ଟ୍ରମ୍ପ । ସେ ଏବଂ ଆମେରିକା ଫାଷ୍ଟଲେଡି ଅର୍ଥାତ ମେଲାନିଆ ମଧ୍ୟ କରୋନା ପଜିଟିଭ ଥିବା ଟ୍ରମ୍ପ ସୂଚନା ଦେଇଥିଲେ ।

ଟେଷ୍ଟ ରେଜଲ୍ଟ ପଜିଟିଭ ଆସିବା ପରେ ଦୁହିଁଙ୍କୁ କ୍ୱାରେଂଟିନ କରିଦିଆଯାଇଥିବା ନିଜ ଟ୍ୱିଟରେ ଲେଖିଥିଲେ ଟ୍ରମ୍ପ । ହ୍ୱାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ପରାମର୍ଶଦାତା ହୋପ ହିକ୍ସ ଗୁରୁବାର କରୋନା ପଜିଟିଭ ଥିବା ଜଣାପଡିଥିଲା । ଏହାପରେ ହିଁ ଟ୍ରମ୍ପ ଓ ପତ୍ନୀ ମାଲେନିଆ ମଧ୍ୟ କୋଭିଡ ପରୀକ୍ଷା କରାଇଥିଲେ ।