ପଦ ଛାଡିବା ପୂର୍ବରୁ ଟ୍ରମ୍ପଙ୍କ ବଡ ନିଷ୍ପତ୍ତି । ୭୩ ଜଣ ଦୋଷୀଙ୍କୁ ଦେଲେ କ୍ଷମା । ୭୦ ଜଣଙ୍କ ଦଣ୍ଡ କଲେ କୋହଳ

359

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ପଦ ଛାଡିବାର କେଇ ଘଣ୍ଟା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସେ ରାଷ୍ଟ୍ରପତି କ୍ଷମତାର ଉପଯୋଗ କରି ୭୩ ଜଣ ଦୋଷୀଙ୍କ ଦଣ୍ଡକୁ କ୍ଷମା କରିଦେଇଥିବାବେଳେ ୭୦ ଜଣ ଦୋଷୀଙ୍କର ଦଣ୍ଡକୁ କମାଇ ଦେଇଛନ୍ତି । ଏହା ଭିତରେ ଟ୍ରମ୍ପଙ୍କ କେତେକ ରାଜନୈତିକ ସହଯୋଗୀ ଥିବା ମଧ୍ୟ କୁହାଯାଉଛି ।

ଡିସେମ୍ବର ମାସରେ କ୍ଷମା ଯାଚିକା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଖକୁ ଏକାଧିକ ଅନୁରୋଧ ଆସିଥିଲା । ଏହା ଭିତରେ ହ୍ୱାଇଟ ହାଉସର ପୂର୍ବ ପରାମର୍ଶଦାତା ମଧ୍ୟ ସାମିଲ ଥିଲେ । ଟ୍ରମ୍ପ ଏମାନଙ୍କ ଭିତରୁ କିଛି ଲୋକଙ୍କ ଦଣ୍ଡକୁ ଆଜି ପୁରାପୁରି କ୍ଷମା କରିଦେଇଥିବାବେଳେ ଆଉ କେତେକଙ୍କ ଦଣ୍ଡକୁ କମାଇ ଦେଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ଟ୍ରମ୍ପ ଆମେରିକାର ପୂର୍ବତନ ସୁରକ୍ଷା ପରାମର୍ଶଦାତା ମାଇକେଲ କ୍ଲିନ୍, ପୂର୍ବତନ ପରାମର୍ଶଦାତା ରୋଜର ଷ୍ଟୋନ୍ ଓ ପୂର୍ବତନ କ୍ୟାମ୍ପେନ୍ ମ୍ୟାନେଜର ପାର୍ଲ ମନଫୋଟଙ୍କ ଦଣ୍ଡକୁ ସମ୍ପୂର୍ଣ୍ଣ କ୍ଷମା କରିଦେଇଛନ୍ତି । ବିଭିନ୍ନ ଅଭିଯୋଗରେ ଗତବର୍ଷ ଏମାନଙ୍କୁ ଦଣ୍ଡାଦେଶ ଶୁଣାଇଯାଇଥିଲା । ହେଲେ ଟ୍ରମ୍ପ ଏମାନଙ୍କ ଦଣ୍ଡକୁ ଏବେ କୋହଳ କରିଦେଇଛନ୍ତି ।

ଆଜି ଆମେରିକା ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ ଶେଷ ଦିନ । ଜୋ ବାଇଡେନ୍ ଆଉ ମାତ୍ର କିଛି ଘଣ୍ଟା ପରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଛନ୍ତି । ଏହାପୂର୍ବରୁ ଟ୍ରମ୍ପଙ୍କ ଏହି କ୍ଷମାଦାନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଛି ।