କୋର୍ଟରେ ପଂହଚିଲା ଆମେରିକା ନିର୍ବାଚନର ଲଢେଇ : କୋର୍ଟ ଗଲେ ଟ୍ରମ୍ପ, ପେନସିଲଭାନିଆ ଓ ମିସିଗନର ଗଣତି ରୋକିବାକୁ କଲେ ଦାବି

ୱିସକିନସନ ଗଣତି ପୁଣି କରିବାକୁ ଦାବି

661

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରୋଚକ ସ୍ଥିତି । ଫଳାଫଳ ଆସିବା ଆଗରୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଲାଗୁଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ ଏବେ ଆଇନ ଜାଲରେ ଛନ୍ଦି ହୋଇଯିବ । ଡୋନାଲ୍ଡ ଟ୍ରମ୍ପ କିଛି ରାଜ୍ୟରେ ଭୋଟିଂରେ ଗଡବଡ ହୋଇଥିବା ଅଭିଯୋଗ ଆଣିଛନ୍ତି । ୱିସକିନସନ୍ ରେ ରି-କାଉଁଟିଂ ଦାବି କରିଛନ୍ତି । ଟ୍ରମ୍ପ ଦାବି କରିଛନ୍ତି ପ୍ରଥମେ ସେ ଆଗରେ ଚାଲିଥିଲେ । କିନ୍ତୁ ଅଚାନକ ଜୋ ବାଇଡେନଙ୍କ ସପକ୍ଷରେ ଚାଲି ଯାଇଛି ଫଳାଫଳ ।

ଟ୍ରମ୍ପ ଅଭିଯୋଗ ଆଣିଛନ୍ତି ସମସ୍ତେ ଏକାଠି ହୋଇ ତାଙ୍କୁ ହରାଇବାକୁ ଉଦ୍ୟମ କରିଛନ୍ତିା ଏହାରି ଭିତରେ ଟ୍ରମ୍ପଙ୍କ ଦଳ ମଧ୍ୟ ଭୋଟିଂ ଅବଧି ସରିବା ପରେ ବେଆଇନ ଭାବେ ମତଦାନ ଜାରି ରହିଥିବା ଗତକାଲି ଅଭିଯୋଗ ଆଣିଥିଲା । ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇ ଟ୍ରମ୍ପ ଏବେ ଆଇନର ଆଶ୍ରୟ ନେଇଛନ୍ତି । ତେଣୁ ଚୂଡାନ୍ତ ନିଷ୍ପତି ସୁପ୍ରିମକୋର୍ଟ ଦେବା ପରେ ଆସିବ ଫଳାଫଳ । ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ କୌଣସି ଚମତ୍କାର ହିଁ ବିଜୟୀ କରାଇପାରେ । କାରଣ ତାଙ୍କୁ ୨୧୪ ଇଲେକ୍ଟୋରାଲ୍ କଲେଜ୍ ଭୋଟ୍ ମିଳିଛି ।

ନିର୍ବାଚନ ଜିତିବାକୁ ଆବଶ୍ୟକ ୨୭୦ ଇଲେକ୍ଟୋରାଲ୍ ଭୋଟ୍ । ଯାହାକି ଏବେ ଟ୍ରମ୍ପଙ୍କ ପାଇଁ ବହୁ ଦୂର । ଏବେ ଟ୍ରମ୍ପ ପେନସିଲଭାନିଆ, ଜର୍ଜିଆ, ନର୍ଥ କାରୋଲିନା, ଆଲାସ୍କାରେ ସେ ଜୋ ବାଇଡେନ୍ ଆଗରେ ଚାଲିଛନ୍ତି । ଏହି ୪ ରାଜ୍ୟରେ ରହିଛି ୫୪ ଇଲେକ୍ଟୋରାଲ୍ କଲେଜ୍ ଭୋଟ୍ । ଯଦି ଏହା ମିଳିଯାଏ ତେବେ ଟ୍ରମ୍ପଙ୍କୁ ୨୬୮ ଇଲେକ୍ଟୋରାଲ୍ ଭୋଟ୍ ମିଳିଯିବ । ଏପରି ସ୍ଥିତିରେ ଯଦି କୌଣସି ରାଜ୍ୟରେ ଟ୍ରମ୍ପ ପୁରା କ୍ଲିନ୍ ସୁଇପ୍ କରିପାରନ୍ତି ତେବେ ଫଳାଫଳ ତାଙ୍କ ସପକ୍ଷରେ ଆସିପାରେ ବୋଲି କୁହାଯାଉଛି ।