ଭୋଟ ଗଣତି ମଝିରେ ବିଜୟୀ ନେଇ ଟ୍ରମ୍ପଙ୍କ ଦାବି । ଡେମୋକ୍ରାଟ ଦଳ ଭୋଟ ଚୋରି କରୁଥିବା ଓ ବିଜୟୀ ହେବାକୁ ପ୍ରୟାସ କରୁଥିବା ନେଇ ଆଣିଲେ ଅଭିଯୋଗ ।

134

କନକ ବ୍ୟୁରୋ : ଭୋଟ ଗଣତି ବେଳେ ରାଷ୍ଟ୍ରପତି ଟ୍ରମ୍ପ ବିଜୟୀ ହୋଇଗଲେ ବୋଲି ଘୋଷଣା କରିବା ଚାରିଆଡେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନିର୍ବାଚନ ଫଳାଫଳକୁ ବିରୋଧୀ ବଦଳାଇ ଦେବାକୁ ଚକ୍ରାନ୍ତ କରୁଥିବା କହିଛନ୍ତି ଟ୍ରମ୍ପ । ଏଥିପାଇଁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି । ହେଲେ ଚୂଡାନ୍ତ ଫଳାଫଳ ନଆସିବା ଯାଏଁ ଧୈର୍ଯ୍ୟ ଧରିବାକୁ ସମର୍ଥକଙ୍କୁ କହିଛନ୍ତି ଜୋ ବାଇଡେନ୍ ।
ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ମତଗଣନା ଜାରି ରହିଛି । ହେଲେ ଫଳାଫଳ ଆସିବା ଆଗରୁ ଏକ ନାଟକୀୟ ଘଟଣାକ୍ରମରେ ନିଜକୁ ବିଜୟୀ ଘୋଷଣା କରିଦେଇଛନ୍ତି ରିପବ୍ଲିକାନ ପ୍ରାର୍ଥୀ ତଥା ବର୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏପରିକି ଡେମୋକ୍ରାଟ ଦଳ ଭୋଟ୍ ଚୋରି କରୁଥିବା ଓ ଜାଲିଆତି କରି ବିଜୟୀ ହେବାକୁ ପ୍ରୟାସ କରୁଥିବା ଅଭିଯୋଗ ବାଢିଛନ୍ତି । ମଙ୍ଗଳବାର ରାତି ପ୍ରାୟ ସାଢେ ୨ଟାରେ ହ୍ୱାଇଟ ହାଉସରେ ଏକ ପ୍ରେସ ବାର୍ତା ଦେଇଥିଲେ ଡୋନାଲ୍ଡ ଟ୍ରମ୍ପ । ରାତି ୪ଟା ପରେ ଆଉ ମତଗଣନା ହୋଇପାରିବ ନାହିଁ ବୋଲି ସେ ଦାବି କରିଛନ୍ତି ।

ଆମେ ବିଜୟୀ ହେବାକୁ ଯାଉଛୁ । କହିବାକୁ ଗଲେ ଆମେ ଜିତି ସାରିଛୁ । ରିପବ୍ଲିକାନମାନେ ଏକ ବିରାଟ ଉତ୍ସବ ପାଳନ କରିବାକୁ ଯାଉଛନ୍ତି । ତେବେ ତତ୍କ୍ଷଣାତ କିଛି ଅଘଟଣ ଘଟିଛି । ଆମେ ଏକାଧିକ ରାଜ୍ୟରେ ବିଜୟୀ ହୋଇଚାଲିଛୁ । ଏହା ଘେ।।ଣା ହେବାର ଥିଲା । କିନ୍ତୁ ହଠାତ ସେଠାରେ ହେରଫେର ହୋଇଗଲା । ବଡକଥା ହେଲା ଏହି ପ୍ରସଙ୍ଗକୁ ନେଇ ନ୍ୟାୟାଳୟ ଯିବାକୁ ଧମକ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକାବାସୀଙ୍କ ସହ ଧୋକା ହେଲେ ସୁପ୍ରିମକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରାଯିବ ବୋଲି ଚେତାଇ ଦେଇଛନ୍ତି ଟ୍ରମ୍ପ । ହେଲେ ଟ୍ରମ୍ପ ଏଥିନେଇ କେତେଦୂର ଗମ୍ଭୀର ଅଛନ୍ତି ତାହା ଜଣା ପଡିନାହିଁ । କାରଣ ଆମେରିକାରେ ଭୋଟ ଗଣତି ପ୍ରକ୍ରିୟା ରାଜ୍ୟଗୁଡିକର ନିୟମ ଅନୁସାରେ ହୋଇଥାଏ । ନିର୍ବାଚନ ରାତି କିମ୍ବା ପରଦିନ ମଧ୍ୟ ମତଗଣନା ଚାଲିଥାଏ । ଏଥର ପୋଷ୍ଟାଲ ବାଲଟ ଭୋଟିଂ ଅଧିକ ହୋଇଥିବାରୁ ଏହି ପ୍ରକ୍ରିୟା ଆହୁରି ବିଳମ୍ବ ହୋଇପାରେ । ତେଣୁ କେଉଁ ଆଧାରରେ ଟ୍ରମ୍ପ ଏହାକୁ ବେଆଇନ କହୁଛନ୍ତି ତାହା ଜଣାପଡି ନାହିଁ ।

ଲକ୍ଷାଧିକ ଲୋକ ଆମ ସପକ୍ଷରେ ଭୋଟ ଦେଇଛନ୍ତି । କିଛି ଦୁଃଖୀ ଲୋକ ତାକୁ କମାଇ ଦେବାକୁ ଚାହୁଁଛନ୍ତି । ଆମେ ଉତ୍ସବ ପାଇଁ ପ୍ରସ୍ତୁତ ହେଉଥିଲୁ, ହେଲେ ଶେଷ ମୁହୂର୍ତରେ ବାତିଲ ହେଲା । କରୋନା ମହାମାରୀ କାରଣରୁ ଏଥର ନିର୍ବାଚନରେ ପ୍ରାୟ ୧୦ କୋଟି ମତଦାତା ପୋଷ୍ଟାର ବାଲଟ ଜରିଆରେ ଭୋଟ ଦେଇଛନ୍ତି । ଏବଂ ଅଧିକାଂଶ ପୋଷ୍ଟାଲ ବାଲଟ ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନଙ୍କ ସମର୍ଥନରେ ଯାଇଥିବା ବିଭିନ୍ନ ସର୍ଭେରେ ଆକଳନ କରାଯାଇଛି । ତେଣୁ ଅନୁମାନ କରାଯାଉଛି ଏହି ଭୟରେ ଭୋଟ୍ ଜାଲିଆତି ଓ ଗଣତିରେ ବିଳମ୍ବ ଭଳି ଅଭିଯୋଗ ଆଣି ଫଳାଫଳରେ ବଡଧରଣର ହେରଫେର ହେଉଥିବା ଧାରଣା ଦେବାକୁ ଚାହୁଁଛନ୍ତି ଟ୍ରମ୍ପ । ହେଲେ ତାଙ୍କ ପ୍ରତିପକ୍ଷ ବାଇଡେନ ମଧ୍ୟ ଫଳାଫଳ ତାଙ୍କ ସପକ୍ଷରେ ଯିବ ବୋଲି ଦାବି କରିବା ସହ ଧୈର୍ଯ୍ୟ ଧରିବାକୁ ସମର୍ଥକମାନଙ୍କୁ ପରାମର୍ଶ ଦେଇଛନ୍ତି ।

ମୋର ସମସ୍ତ ସମର୍ଥକଙ୍କୁ ଶୁଭେଚ୍ଛା । ବହୁତ ବହୁତ ଧନ୍ୟବାଦ । ମୋର ଜେଜେ ମାଆ ସବୁବେଳେ ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦେଉଥିଲେ । ବିଶ୍ୱାସ ରଖନ୍ତୁ ଆମେ ଜିତିବାକୁ ଯାଉଛୁ । ତେବେ ଟ୍ରମ୍ପଙ୍କ ଆଗୁଆ ବିଜୟ ଦାବି ପରେ ଆମେରିକାରେ ବଡଧରଣ ଅଶାନ୍ତିର ଆଶଙ୍କା କରାଯାଉଛି । ନିର୍ବାଚନୀ ଫଳାଫଳ ରିପବ୍ଲିକାନ ପାର୍ଟି ସପକ୍ଷରେ ନଗଲେ ଟ୍ରମ୍ପଙ୍କ ସମର୍ଥକ ଗଣ୍ଡଗୋଳ ଆରମ୍ଭ କରିଦେଇପାରନ୍ତି । ହେଲେ ହ୍ୱାଇଟ ହାଉସ ସାମ୍ନାରେ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମଧ୍ୟ ଆନ୍ଦୋଳନ ପ୍ରଦର୍ଶନ ହୋଇଛି । ଏପରିକି ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ବିଜୟୀ ହେଲେ ଏମାନେ ପ୍ରତିବାଦ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ।