ଲଦାଖ ସୀମାରେ ଉତ୍ତେଜନା ଭିତରେ ଟ୍ରମ୍ପ ସହ କଥା ହେଲେ ମୋଦି: କରୋନା ସ୍ଥିତି, ସୀମା ବିବାଦ ସହ ଜି-୭ ସମ୍ମିଳନୀ ଉପରେ ଫୋନରେ ଦୁଇ ନେତାଙ୍କ ଆଲୋଚନା

569

କନକ ବ୍ୟୁରୋ: ଲଦାଖ ସୀମାରେ ଚୀନ ସହ ଉତେଜନା ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟୁଇଟ୍ କରି ଖୋଦ ମୋଦି ଏହି ସୂଚନା ଦେଇଛନ୍ତି । ଟୁଇଟର ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ମୋର ବନ୍ଧୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସହ ସାର୍ଥକ ଚର୍ଚ୍ଚା ହୋଇଛି । ଜି-୭ ସମ୍ମିଳନୀ ପାଇଁ ଆମେରିକାର ଅଧ୍ୟକ୍ଷତା ନେଇ ଟ୍ରମ୍ପଙ୍କ ଯୋଜନା, କରୋନା ମୁକାବିଲା ସମତେ ଅନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛୁ ।

ଉଭୟ ନେତା ଫୋନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଦୁଇ ଦେଶରେ କରୋନା ସ୍ଥିତି, ଭାରତ ଓ ଚୀନ ସୀମାରେ ଉତେଜନା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ସୁଧାର, ଜି-୭ରେ ଅନ୍ୟ ଦେଶକୁ ସାମିଲ କରିବା ଓ ଆମେରିକାରେ ଚାଲିଥିବା ପ୍ରଦର୍ଶନ ଓ ହିଂସା ଉପରେ ଆଲୋଚନା କରିଛନ୍ତି ଟ୍ରମ୍ପ ଓ ମୋଦି । ଦୁଇ ନେତା ଏପରି ସମୟରେ ଚର୍ଚ୍ଚା କରିଛନ୍ତି, ଯେତେବେଳେ ଚୀନ ସହ ଉତେଜନାକୁ ନେଇ କିଛି ଦିନ ପୂର୍ବରୁ ମଧ୍ୟସ୍ଥତା ପ୍ରସ୍ତାବ ଦେଇଥିଲେ ଟ୍ରମ୍ପ । ଅବଶ୍ୟ ଟ୍ରମ୍ପଙ୍କ ଏହି ପ୍ରସ୍ତାବକୁ ଉଭୟ ଭାରତ ଓ ଚୀନ ଖାରଜ କରିଦେଇଛନ୍ତି ।