ରୋଚକ ସ୍ଥିତିରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ : ଗଣତିରେ ଟ୍ରମ୍ପ-ବାଇଡେନଙ୍କୁ ମଧ୍ୟରେ କଡା ଟକ୍କର 

536

କନକ ବ୍ୟୁରୋ : କିଏ ହେବ ଆମେରିକାର ଆଗାମୀ ରାଷ୍ଟ୍ରପତି । ଭୋଟ୍ ଗ୍ରହଣ ସରିବା ପରେ ଏବେ ସମସ୍ତଙ୍କ ନଜର ଗଣତି ଉପରେ । ଏହିଥିରୁ ସ୍ପଷ୍ଟ ହେବ କିଏ ହେବ ଆମେରିକାର ନୂଆ ରାଷ୍ଟ୍ରପତି । ତେବେ ଏହା ଉପରେ କେବଳ ଆମେରିକା ନୁହଁ , ସାରା ବିଶ୍ୱର ନଜର ରହିଛି । ଆମେରିକାରେ ରାଷ୍ଟ୍ରପତି ହେବା ପାଇଁ ଆବଶ୍ୟକ ୨୭୦ ଇଲେକ୍ଟୋରାଲ୍ ଭୋଟ୍ । ସୂଚନା ଅନୁସାରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବାଇଡେନଙ୍କ ମଧ୍ୟରେ କଡା ଟକ୍କର ଚାଲିଛି ।

ଫ୍ଲୋରିଡାରେ ଟ୍ରମ୍ପ ବିଜୟୀ ହେବା ପରେ ଟ୍ରମ୍ପଙ୍କ ସଂଖ୍ୟା ବହୁତ ଉପରକୁ ଉଠିଛି । ଶେଷ ଖବର ସୁଦ୍ଧା ଆଗରେ ଅଛନ୍ତି ବିଡେନ୍ । ବାଇଡେନଙ୍କୁ ୨୩୮ ଇଲେକ୍ଟୋରାଲ୍ କଲେଜ ଭୋଟ୍ ମିଳିଛି । ଟ୍ରମ୍ପ ୨୧୩ ଇଲେକ୍ଟୋରାଲ୍ ଭୋଟ୍ ପାଇଛନ୍ତି । ପ୍ରାଥମିକ ଟ୍ରେଣ୍ଡରେ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବାଇଡେନ , ଟ୍ରମ୍ପଙ୍କ ଠାରୁ ବହୁ ଆଗରେ ରହିଥିଲେ  । କିନ୍ତୁ ପରେ ଏହି ସଂଖ୍ୟାରେ ପରିବର୍ତନ ଆସିଛି । ଆମେରିକା ଗଣମାଧ୍ୟମ ରିପୋର୍ଟ ଅନୁସାରେ ରାଷ୍ଟ୍ରପତି ଟ୍ରମ୍ପ ଅଲବାମା, ମିସିସିପି, ଓକଲାହୋମ୍ ଏବଂ ଟେନେସିରେ ବିଜୟୀ ହୋଇଛନ୍ତି ।

ଡେମୋକ୍ରେଟ୍ ପ୍ରାର୍ଥୀ ଜୋ ବାଇଡେନ କନେକ୍ଟିକଟ୍, ଡେଲାବେୟର, ଇଲିନୋଇସ୍, ମେରିଲାଣ୍ଡ, ମାସାଚୁସେଟସ୍, ନ୍ୟୁଜର୍ସି ଏବଂ ରୋଡ୍ ଆଇଲାଣ୍ଡ ରାଜ୍ୟରେ ବିଜୟୀ ହୋଇଛନ୍ତି । କେଂଟୁକି ଏବଂ ଇଣ୍ଡିଆନାରେ ଟ୍ରମ୍ପ ବିଜୟୀ ହୋଇଛନ୍ତି । ଆରକାନାସରେ ଟ୍ରମ୍ପ ,  ନ୍ୟୁୟର୍କରେ ଜୋ ବାଇଡେନ୍ ବିଜୟୀ ହୋଇଛନ୍ତି । ଫ୍ଲୋରିଡାରେ ଟ୍ରମ୍ପ ଜିତିବା ପରେ ନିର୍ବାଚନ ଫଳା ଫଳ ଅଧିକ ରୋଚକ ହେଉଛି । ଏଥିସହ ବହୁ ସଂଖ୍ୟାରେ  ନାଗରିକ ମେଲ ଇନ୍ ବ୍ୟାଲାଟ ଓ ପୋଷ୍ଟାଲ ଜରିଆରେ ଭୋଟ ଦେଇଛନ୍ତି  । ଏହାର ଗଣତି ସରିନାହିଁ । ଏସବୁକୁ ମିଶାଇଲେ ଚୂଡାନ୍ତ ଫଳାଫଳ ଆସିବ ।