ଫେବୃୟାରୀ ୧୬, ୧୯୮୫, ସମୟ ସକାଳ ୧୦ଟା ।

Advertisment

ଭୂମଧ୍ୟ ସାଗର ଉପର ଦେଇ ୧୪ ଜଣ ଆରବୀୟ ନାଗରିକଙ୍କୁ ନେଇ ଲିବିୟାର ଏକ ପ୍ରାଇଭେଟ ଜେଟ ଡାମାସ୍କସରୁ ଟ୍ରିପୋଲି ଯାଉଥିଲା ।

ସେମାନେ ସମସ୍ତେ ଏକ ଇସ୍ରାଏଲ ବିରୋଧୀ ବୈଠକରେ ଯୋଗଦେଇ ସିରିଆରୁ ଫେରୁଥିଲେ ।

ସେ ଆଲୋଚନାର ବିଷୟ କେବଳ ଇସ୍ରାଏଲ ଓ ମୋସାଦକୁ କେମିତି କ୍ଷତି ପହଞ୍ଚେଇବା ।

ହସଖୁସିରେ କଥାବାର୍ତ୍ତା ଚାଲିଥିବା ବେଳେ ହଠାତ ଦୁଇପଟୁ ଦୁଇଟି F-15 ଯୁଦ୍ଧବିମାନ କେଉଁଠୁ ଆସି ସେ ପ୍ଲେନକୁ ଘେରିବାକୁ ଲାଗିଲେ I

ଯାତ୍ରୀମାନେ ହଠାତ ଏ ସବୁକୁ କିଛି ବୁଝି ନପାରି ଝରକା ବାଟେ ଯାହା ଦେଖିଲେ ଭୟରେ ସେମାନଙ୍କର ପିଳେହିପାଣି ହେଇଗଲା I

କାରଣ ମାତ୍ର କିଛି ମାସ ତଳେ ଏମିତି ଗୋଟେ F-15 ବିମାନ ଟ୍ୟୁନିସିଆରେ ଥିବା ଏକ PLO ଟ୍ରେନିଂ କ୍ୟାମ୍ପକୁ ବୋମାମାଡ କରି ମାଟିରେ ମିଶେଇ ଦେଇଥିଲା I

ସେ ଦୁଇଟା ଯାକ ଇସ୍ରାଏଲର ଯୁଦ୍ଧବିମାନ ବୋଲି ଯାତ୍ରୀମାନେ ଓ ପାଇଲଟ ଜାଣି ସାରିଥିଲେ ।

F-15 ର ପାଇଲଟ ସଂକେତରେ ଅନ୍ୟ ପ୍ଳେନର ପାଇଲଟକୁ ଜଣେଇଦେଲେ ଯେ ଯଦି ଏ ବିଷୟରେ ସେମାନେ ରେଡ଼ିଓରେ କିଛି ବି ବାର୍ତ୍ତାପ୍ରେରଣ କରିବାକୁ ଚେଷ୍ଟା କରନ୍ତି ତେବେ ସେମାନେ ତାଙ୍କୁ ଗୁଳି କରି ଖସେଇଦେବେ I

ଏମାନେ ଜାଣିଥିଲେ ଯେ ଏହା ଫାଙ୍କ ଧମକ ନୁହେଁ ।

..............................

ଭୟ ଦେଖେଇବା ପାଇଁ F -15 ସେହି ପ୍ଲେନକୁ ଲକ୍ଷ୍ୟ କରି କିଛି ଫାଙ୍କ ଗୁଳିଚାଳନା ମଧ୍ୟ କଲେ ।

କିଛି ଯାତ୍ରୀ ମୃତ୍ୟୁ ଭୟରେ କଲମା ପଢିବା ମଧ୍ୟ ଆରମ୍ଭ କରିଦେଲେ I

ସେ ଦୁଇଟି F-15 ଯୁଦ୍ଧ ବିମାନ ଲିବିଆର ସେ ପ୍ଳେନକୁ ଜୋରଜବରଦସ୍ତ କରି ଇସ୍ରାଏଲର ଉତ୍ତରପୂର୍ବ ଏକ ମିଲିଟାରୀ ବେସରେ ଓଲହାଇଦେଲେ I

ଯେଉଁଠାରେ ପୂର୍ବରୁ ମୋସାଦର ଏକ ଇଣ୍ଟୋରେଗେସନ ଟିମ ସେହି ୧୪ ଜଣ ଆରବୀୟ ଲୋକଙ୍କ ଅପେକ୍ଷାରେ ପ୍ରସ୍ତୁତ ହୋଇ ଥାଆନ୍ତି I

ମୋସାଦକୁ ଗୁପ୍ତସୂଚନା ମିଳିଥିଲା କି PLO ର କୁଖ୍ୟାତ ଆତଙ୍କବଦୀ ଅବୁ ନେଦାଳ ଓ ଅହମ୍ମଦ ଜିବ୍ରିଲ ସେହି ପ୍ଳେନରେ ଯାତ୍ରା କରୁଛନ୍ତି ବୋଲି I

ଖାସ ସେଇଥିପାଇଁ ମୋସାଦ ପୁରା ହଲିଉଡ ଫିଲମି ଷ୍ଟାଇଲରେ ଏପରି ଏକ ବିପଦପୂର୍ଣ ମିଶନକୁ କାର୍ଯ୍ୟକାରୀ କରିବାକୁ ଦୁଃସାହସ କରିଥିଲା I

କିନ୍ତୁ ମିଳିଥିବା ସୂଚନା ଭୁଲ ଥିଲା ।

ଏହି ୧୪ ଜଣଙ୍କ ମଧ୍ୟରୁ କେହି ବି ମୋସାଦର ହିଟଲିଷ୍ଟରେ ନଥିଲେ ।

ମାତ୍ର କେଇ ଘଣ୍ଟା ପଚରାଉଚୁରା ପରେ ସେମାନଙ୍କୁ ଡାମାସ୍କସ ଅଭିମୁଖେ ଫେରିଯିବାକୁ ଅନୁମତି ଦେଇଦେଲେ I

ପ୍ଳେନରେ ବସି ସାରିଲା ପରେ ସମସ୍ତେ ଶାନ୍ତିରେ ନିଶ୍ଵାସ ମାରିବାକୁ ଲାଗିଲେ , ସେମାନେ ଭାବୁଥିଲେ ଯେ ମୋସାଦ ତାଙ୍କୁ ଏତେ ସହଜରେ କେମିତି ଛାଡିଦେଲା , କିନ୍ତୁ ମୋସାଦ ପରି ଏତେ ଚତୁର ଆଉ ଦୁଃସାହାସି ସଂସ୍ଥା ଏତେବଡ ମୁର୍ଖାମି କରିଛି ଭାବିବା ସମ୍ପୂର୍ଣ ରୂପେ ଭୁଲଥିଲା ।

ମୋସାଦ ପଚରାଉଚୁରା ମଧ୍ୟରେ ଠଉରେଇ ନେଇଥିଲା କାହାକୁ ଟାର୍ଗେଟ କରିହେବ ।

ସେମାନେ ଏପରି ଜଣେ ଲୋକକୁ ଖୋଜୁଥିଲା ଯାହାଦ୍ଵାରା ତାଙ୍କର ଏକ ଅତ୍ୟନ୍ତ ମହତ୍ବପୂର୍ଣ ଅପରେସନକୁ ପୁରା କରିହେବ । ଯେଉଁ ଅପରେସନ ପାଇଁ ସେମାନେ ବର୍ଷ ବର୍ଷ ଧରି ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରି ସାରିଥିଲେ ବି ସଫଳତା ପାଇ ପାରୁନଥିଲେ I ମୋସାଦ ପ୍ରତୀକ୍ଷାର ଅନ୍ତ ଘଟିଥିଲା ଆଉ ସେମାନେ ଖୋଜୁଥିବା ଲୋକଟିକୁ ସେମାନେ ସେହି 14 ଜଣଙ୍କ ମଧ୍ୟରୁ ପାଇ ସାରିଥିଲେ I

ମୋସାଦର ଲକ୍ଷ୍ୟ ଥିଲା ଲଣ୍ଡନରେ ଥିବା ସିରିଆର ଦୂତାବାସକୁ ଯେମିତି ହେଲେ ବନ୍ଦ କରେଇବା I

ବହୁ ବର୍ଷ ଇଂଲଣ୍ଡର ଅଧିକାରୀ ମାନଙ୍କୁ ଇସ୍ରାଏଲ ଅଭିଯୋଗ କରି ଆସୁଥିଲା ଯେ ଲଣ୍ଡନରେ ଥିବା ସିରିଆ ଦୂତାବାସରୁ PLO ଦ୍ଵାରା ଇସ୍ରାଏଲ ବିରୋଧୀ କାର୍ଯ୍ୟକଳାପ ଚାଲି ଆସୁଛି, ଏହା ଦ୍ଵାରା ବହୁତ ଇସ୍ରାଏଲ ନାଗରିକ ମାନଙ୍କର ପ୍ରାଣହାନୀ ହେଉଛି କିନ୍ତୁ ପ୍ରମାଣ ଅଭାବରୁ ତାଙ୍କର ସେ ପ୍ରଚେଷ୍ଟା ବିଫଳ ହୋଇ ଚାଲିଥିଲା I

କିଛିଦିନ ପୂର୍ବରୁ ହିଁ IDF(Israel defense force) ଦ୍ଵାରା ‘ଏଟା ବେରିଅସ’ ନାମକ ଏକ ଜାହାଜକୁ ବୋମାମାଡ କରି ଧ୍ଵଂସ କରା ଯାଇଥିଲେ ଯେଉଁଥିରୁ ଏତେ ପରିମାଣରେ ଅତ୍ୟାଧୁନିକ ଗୋଳାବାରୁଦ ଜବତ ହୋଇଥିଲା ଯେ ସେଥିରେ ଗୋଟେ ଛୋଟମୋଟ ରେଜିମେଣ୍ଟ ବେଶ କିଛିଦିନ ଧରି ଯୁଦ୍ଧ କରି ପାରିବ I

ସେହି ଅପରେସନରେ PLOର ୨୦ ଆତଙ୍କବାଦୀ ମୃତ୍ୟୁବରଣ କରିଥିଲେ ଏବଂ ୯ ଜଣ ଜୀବନ୍ତ ଧରା ପଡିଥିଲେ I

ଧରା ପଡିଥିବା ଆତଙ୍କବାଦୀଙ୍କ ଠାରୁ ମୋସାଦ ଜାଣିବାକୁ ପାଇଥିଲା ଯେ ସେ IDF ଉପରେ ଆକ୍ରମଣ ଯୋଜନାର ମାଷ୍ଟରମାଇଣ୍ଡ ଥିଲା PLOର କୁଖ୍ୟାତ ଆତଙ୍କବାଦୀ ଅବୁ ନିଦାଲ , ଯାହାର ନାଁ ମୋସାଦର ହିଟଲିଷ୍ଟରେ ବହୁତ ଦିନ ଧରି ଗଡି ଆସୁଥିଲା I

ସମସ୍ତ ପ୍ରକାର ଆତଙ୍କବଦୀ ଗତିବିଧି ପାଇଁ ଅବୁ ନିଡାଲକୁ ଲଣ୍ଡନ ସ୍ଥିତ ସିରିଆ ଦୂତାବାସରୁ ଯଥାସମ୍ଭବ ସହାୟତା ମିଳୁଥିଲା ଖାସ ସେଥିଲାଗି ମୋସାଦ ମୁଖ୍ୟ ନାହୁମ ଆଡମୋନି ନିଜର ସମ୍ପୂର୍ଣ ଶକ୍ତି ଲଗାଇ ଲଣ୍ଡନ ଦୂତାବାସକୁ ଯେମିତି ହେଲେ ବନ୍ଦ କରେଇବାକୁ ଚେଷ୍ଟା ଚଳେଇଥାନ୍ତି I

---- ଅପରେସନ ଚେମ୍ବରମେଡ -----

୧୭ ଡିସେମ୍ବର , ୧୯୮୫

ସମୟ ଦିନ ୧୧ ଟା

ଲଣ୍ଡନର ହିଲଟନ ହୋଟେଲ ।

ସ୍ଥାନୀୟ ବ୍ୟବସାୟୀ ଟମ ଲେଭି ନିଜର ବ୍ୟବସାୟିକ ମିଟିଂ ପାଇଁ ହୋଟେଲରେ ପ୍ରବେଶ କରନ୍ତି I

ସେ ମିଟିଂର ନିର୍ଦ୍ଧାରିତ ସମୟର କିଛି ପୂର୍ବରୁ ଚାଲି ଆସିଥିଲେ ତେଣୁ ସମୟ କାଟିବା ପାଇଁ ତଳେ ଥିବା ବାରକୁ ଯାଇ ବିଅର ଅର୍ଡର ଦିଅନ୍ତି I

ଟମ ଲେଭି ମୋସାଦର ଜଣେ ଅଣ୍ଡରକଭର ଏଜେଣ୍ଟ ଥିଲେ ।

ବିଅର ପିଇବା କେବଳ ବାହାନା ଥିଲା, ଅସଲରେ ତାଙ୍କ ନଜର ଥାଏ ସେଠାକୁ ସବୁବେଳେ ଆସୁଥିବା ଜଣେ ଆରବୀୟ ଯୁବକ ଉପରେ I
କ୍ରମଶଃ.......
1/3