ପରିଣତ ବୟସରେ ବି କମିନି ପ୍ରେମ । ଭାଇରାଲ ହେଲା ଭଲପାଇବାର ଭିଡିଓ । କିଏ କହିଦେବ ପ୍ରେମର ବୟସ କେତେ ?

348

କନକ ବ୍ୟୁରୋ: ଆଜିର ସ୍ୱାର୍ଥପର ଦୁନିଆରେ ପ୍ରେମ କେବେ ସ୍ୱାର୍ଥପରତାର ସଂଜ୍ଞା ସାଜିଲାଣି ତ, ପୁଣି କେଉଁଠି ବିଶ୍ୱାସଘାତର ବାଟୋଇ ହେଲାଣି । ପ୍ରତାରଣା, ପ୍ରତିଶୋଧ, ପରକୀୟାର ପ୍ରତିଶବ୍ଦ ଏବେ ପ୍ରେମ ପାଲଟିଲାଣି । ପବିତ୍ର ପ୍ରେମର ସଂଜ୍ଞା, ପ୍ରକୃତ ଅର୍ଥ ଧିରେଧିରେ କଳଙ୍କିତ ହେଲାଣି । ପ୍ରେମ ଯେ ମନର ମନ୍ଦିରରେ ପୂଜା ପାଉଥିବା ଗୋଟେ ପବିତ୍ର ଫୁଲ ତାହା ଆଜିର କିଛି ଯୁବପିଢିଙ୍କ ପାଇଁ ମାନେ ହିଁ ରଖେନି । ପ୍ରେମ ଯେ, ହୃଦୟର ହିମାଳୟରେ ଧ୍ୟାନମଗ୍ନ ପ୍ରେମଯୋଗୀ ତାହା ମାନିବାକୁ ଅନେକ ନାରାଜ । ପ୍ରେମକୁ ସମୟ ଅତିବାହିତ କରିବାର ଏକ ସୁବର୍ଣ୍ଣ ସୁଯୋଗ ଭାବୁଥିବା । ପାର୍କ, ପପ୍, ହୋଟେଲରେ ପ୍ରେମ ନାଁରେ ପବିତ୍ରତାକୁ ପରସ୍ତ ପରସ୍ତ କରି ପ୍ରୀତିର ଚିଠି ଚିରୁଥିବା, ବିଶ୍ୱାସର ବାଲିଘର ଭାଙ୍ଗୁଥିବା ପ୍ରେମିକ ପ୍ରେମିକାମାନେ ଥରେ ଦେଖନ୍ତୁ ଏ ଦୃଶ୍ୟ । ଘରେ ସ୍ୱାମୀ-ସ୍ତ୍ରୀର ସମ୍ପର୍କକୁ ସୁଦୃଢ ନକରି ବାହାରେ ପରକୀୟା ପ୍ରୀତିରେ ବେଫିକର ମାତିଥିବା ପୁରୁଷ-ମହିଳାମାନେ ବି ଥରେ ଏ ହୃଦୟଜିତା, ପବିତ୍ରତା, ପ୍ରତିବଦ୍ଧତାର ଚିତ୍ରକୁ ଦେଖନ୍ତୁ । ବୁଝିବାକୁ ଚେଷ୍ଟା କରନ୍ତୁ କେମିତି ପରିଣତ ବୟସରେ ବି ଜଣଙ୍କ ପ୍ରତି ଜଣଙ୍କର ବିଶ୍ୱସନୀୟତା ବଜାୟ ରହିଛି । ବୃଦ୍ଧାବସ୍ଥାରେ ବି ଜଣଙ୍କ ହାତ ଜଣେ ନଛାଡିବାକୁ ଜଣେ କେମିତି ସଙ୍କଳ୍ପ ନେଇଛି । ସତରେ ସେମାନଙ୍କ ପ୍ରେମକୁ ଏଉଠୁ ସଲାମ କରିବାକୁ ଇଚ୍ଛା ହେଉଛି ।

ପରିଣତ ବୟସ, କମି ଆସିଲାଣି ଆୟୁଷ, ଧୁଡଧୁଡ ହେଲାଣି ଚମ । ଏଇ ବୟସରେ ବୁଢାବୁଢୀ ଦୁଇ ଜଣ ତଳେ ବସିଛନ୍ତି । ବୃଦ୍ଧଙ୍କ ହାତରେ ବଳ କମି ଆସୁଥିବାରୁ ତାଙ୍କ ପେଟକଥା ବୁଝି ତାଙ୍କୁ ନିଜ ହାତରେ ଖୁଆଇ ଦେଉଛନ୍ତି, ପିଆଇ ଦେଉଛନ୍ତି ବୃଦ୍ଧା । ସୋସିଆଲ ମିଡିଆରେ ପ୍ରେମର ଏହି ୧୫ ସେକେଣ୍ଡର ଭିଡିଓ ଭାଇରାଲ ହେଉଥିବା ବେଳେ ସେମାନଙ୍କ ଭଲପାଇବା, ସମ୍ପର୍କ ପ୍ରତି ସମ୍ମାନ ଆଉ ଉଭୟଙ୍କର ବୁଝାବଣା ହଜାର ହଜାର ଲୋକଙ୍କ ହୃଦୟ ଜିତିଛି ।

ଆଇଏଏସ ଅଫିସର ଡ. ସୁମିତା ମିଶ୍ରା ନିଜ ଟ୍ୱିଟର ହାଣ୍ଡେଲରେ ଏହି ଭିଡିଓ ପୋଷ୍ଟ କରିଛନ୍ତି ଆଉ କ୍ୟାପସନ ଲେଖିଛନ୍ତି, ଯଦି ଯିଏ ପଚାରିବ ପ୍ରେମର ମାନ କଣ ? ତାକୁ ଏହି ଭିଡିଓ ଦେଖାଇବ ଆଉ ସେମାନଙ୍କ ବୟସ କଥା କହିବ । ବୋଧହୁଏ ସେମାନେ ଆପେଆପେ ବୁଝିଯିବେ ପ୍ରେମର ପ୍ରକୃତ ସଂଜ୍ଞା ।

ଭଲପାଇବା ଭରା ଏ ଭିଡିଓ ପଛରେ ସେମାନଙ୍କ ଅଭାଗାପଣକୁ ଅନେକ ୟୁଜର୍ସ ଗୁରୁତ୍ୱ ଦେଇଛନ୍ତି । ବୟସର ଅପରାହ୍ନରେ କଣ ସେମାନଙ୍କ ପାଖରେ କେହି ନାହିଁ ? ଏ ବୟସରେ ସେମାନଙ୍କ ପୁଅବୋହୂ ସେବା କରିବା କଥା ମାତ୍ର ସେମାନେ କୁଆଡେ ଗଲେ ବୋଲି ଅଭିଯୋଗ ଆଣିଛନ୍ତି ଅନେକ । ଆଜିକାଲି ଦୁନିଆରେ ବାପାମାଆଙ୍କୁ ବୋଝ ଭାବୁଥିବା ଅନେକ ପୁଅବୋହୂଙ୍କ ପାଇଁ ଏ ବୟସରେ ବି ଏକୁଟିଆ ରୁହନ୍ତି ବାପାମାଆ । ଯେତେବେଳେ ସେମାନଙ୍କର ଜନ୍ମକଲା ସନ୍ତାନ ପରକରି ଦିଏ ସେତେବେଳେ ଦୁହେଁ ଦୁହିଁଙ୍କର ସାହାରା ସାଜିବା ଛଡା ଆଉ କିଛି ଉପାୟ ହିଁ ନଥାଏ । ସେ ଯାହା ବି ହେଉନା କାହିଁକି ପରିଣତ ବସୟର ଏ ପ୍ରେମ କାହାଣୀ ଅନେକଙ୍କ ପାଇଁ ପ୍ରେରଣା ନିଶ୍ଚିତ । ଆଉ ଏବେବି ଯଦି ଆପଣଙ୍କ ମନରେ ପ୍ରେମର ମାନେ ନେଇ ପ୍ରଶ୍ନ ଆସୁଥିବ, ତେବେ ମୁଁ କହିବ- କିଛି ସମୟ ଏ ନିର୍ଭେଜାଲ ଭଲପାଇବାର ନିରୁତା ଭିଡିଓକୁ ଦେଖନ୍ତୁ… ଆପଣ ତ ପ୍ରେମର ପ୍ରକୃତ ଅର୍ଥ ପାଇଯିବେ ତା ସହ ଆପଣଙ୍କୁ ବି ପ୍ରେମ ହେଇଯିବ…